ଓଡିଶା

odisha

ETV Bharat / state

ଶେଷ ହେଲା ବାହ୍ୟ ଚନ୍ଦନଯାତ୍ରା, ଚାପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ - chandan yatra end in Puri - CHANDAN YATRA END IN PURI

Chandan yatra: ଶେଷ ହେଲା ବାହ୍ୟ ଚନ୍ଦନଯାତ୍ରା । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାନ । ଦର୍ଶନ କଲେ ହଜାର ହଜାର ଭକ୍ତ । ଅଧିକ ପଢନ୍ତୁ

ଶେଷ ହେଲା ବାହ୍ୟ ଚନ୍ଦନଯାତ୍ରା, ଚାପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ
ଶେଷ ହେଲା ବାହ୍ୟ ଚନ୍ଦନଯାତ୍ରା, ଚାପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ (ETV Bharat Odisha)

By ETV Bharat Odisha Team

Published : May 30, 2024, 8:29 AM IST

ପୁରୀ:ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟାରୁ ଚାଲିଥିବା ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ଗତକାଲି (ବୁଧବାର) ସଂଧ୍ୟାରେ ସମାପିତ ହୋଇଛି । ଶ୍ରୀମନ୍ଦିରରେ ଯାତଭୋଗ ସରିବା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ଜଳକ୍ରୀଡ଼ା କରିଛନ୍ତି । ଭଉଁରୀରେ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଜଳକ୍ରୀଡ଼ା କରିଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଣରେ ଶ୍ରୀକ୍ଷେତ୍ରର ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏହି ପ୍ରସିଦ୍ଧା ଯାତ୍ରା ଶାନ୍ତିଶୃଙ୍ଖଳାର ଶେଷ ହୋଇଛି ।

ଶେଷ ହେଲା ବାହ୍ୟ ଚନ୍ଦନଯାତ୍ରା, ଚାପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ (ETV Bharat Odisha)
‘ଦୋଳେଚ ଦୋଳଗୋବିନ୍ଦ, ଚାପେଚ ମଧୁସୂଦନ, ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ଲଭ୍ୟତେ’ । ଅର୍ଥାତ ଚାପରେ ଭକ୍ତଟିଏ ମଧୁସୂଦନ ରୂପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିିଁ ବୋଲି ବିଶ୍ବାସ ରହିଛି । ମାନବୀୟ ଲୀଳାଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡ଼ା କରିଥାନ୍ତି । ଅକ୍ଷୟ ତୃତୀୟା ତିଥିରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଥିଲା । ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ଯାତ୍ରାର ଅନ୍ତିମପର୍ବ ଶେଷ ହୋଇଛି ।

ନୀତି ଅନୁସାରେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କି ଓ ବିମାନରେ ଏକ ବିରାଟ ପଟୁଆରରେ ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ଧ୍ୱନିରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ପରେ ପୁଷ୍କରିଣୀର ଅଗ୍ନିକୋଣରୁ ଐସାନ୍ୟ କୋଣ ପର୍ଯ୍ୟନ୍ତ ୭ ଘେରା ଲେଖାଏଁ ୨୧ ଘେରା ଜଳକ୍ରୀଡ଼ା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାବେଳେ ବାଣ ବିସ୍ଫୋରଣ, ୨୦ରୁ ଅଧିକ ଆହତ - Firecracker Explosion

ଗତକାଲି (ବୁଧବାର) ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ସମଗ୍ର ବଡ଼ଦାଣ୍ଡରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ଓ ଏହାର ଚତୁଃପାର୍ଶ୍ଵରେ ଭକ୍ତଙ୍କ ଗହଳି ଲାଗିଥିଲା । ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନ ପଟୁଆରରେ ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ନନ୍ଦା ଓ ଭଦ୍ରା ଚାପରେ ୨୧ ଘେରା ଜଳକ୍ରୀଡା କରିଛନ୍ତି । ସିଂହଦ୍ୱାରଠାରୁ ବଡ଼ଦାଣ୍ଡ, ମାର୍କେଟ ଛକ ଓ ନରେନ୍ଦ୍ର ପୁଷ୍କରିଣୀ ସମେତ ବିଭିନ୍ନ ପ୍ରବେଶ ପଥରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା । ଚନ୍ଦନ ଚକଡ଼ାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁସଜ୍ଜିତ କରାଯାଇଥିଲା । ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାତି ପର୍ଯ୍ୟନ୍ତ ଜଳକ୍ରୀଡ଼ା କରିଥିଲେ । ତେବେ ଗତକାଲି ମହାପ୍ରଭୁଙ୍କ କୌଣସି ଜଳକ୍ରୀଡ଼ା ହେବନାହିଁ । କେବଳ ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଏହାପରେ ପୁନଶ୍ଚ ୨୧ ଦିନ ବ୍ୟାପି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details