ଭୁବନେଶ୍ବର:ଚଳିତ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧିର ଅନୁପାଳନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ କଲ୍ୟାଣକାରୀ ଯୋଜନା ଘୋଷଣା, ନୂଆ ପ୍ରକଳ୍ପ କିମ୍ବା କାର୍ଯ୍ୟକ୍ରମ ଘୋଷଣା, ଆର୍ଥିକ ଅନୁଦାନ କିମ୍ବା ରିହାତି ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଉପରେ ନିଷେଧାଦେଶ । ରାଜନୈତିକ ଦଳ ସର୍ଭେ ନାଁରେ ହିତାଧିକାରୀ ଆଧାରିତ ଯୋଜନା ପାଇଁ ଭୋଟର ନାମଲେଖା ପଞ୍ଜୀକରଣ ବନ୍ଦ କରିବାକୁ ନିର୍ଦ୍ଦେଶ । ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ । ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ କଲ୍ୟାଣକାରୀ ଯୋଜନା ଘୋଷଣା, ନୂଆ ପ୍ରକଳ୍ପ କିମ୍ବା କାର୍ଯ୍ୟକ୍ରମ ଘୋଷଣା, କୌଣସି ପ୍ରକାର ଆର୍ଥିକ ଅନୁଦାନ କିମ୍ବା ରିହାତି ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଭଳି କାର୍ଯ୍ୟକୁ ଭାରତ ନିର୍ବାଚନ ଆୟୋଗ ନିଷିଦ୍ଧ କରିଛନ୍ତି । ଏପ୍ରକାର ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜନୈତିକ ଦଳକୁ ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ପାଇଁ ଭୋଟର ପଞ୍ଜୀକରଣ ବନ୍ଦ କରବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ନାମରେ ଭୋଟରଙ୍କ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ କାର୍ଯ୍ୟକଳାପ ଉପରେ ଭାରତ ନିର୍ବାଚନ ଆୟୋଗ ଗମ୍ଭୀର ଦୃଷ୍ଟି ଦେଇଛନ୍ତି । ଲୋକପ୍ରତିନିଧି ଅଧିନିୟମର ଧାରା ୧୨୩ (୧) ଅନୁଯାୟୀ ଏହା ଏକପ୍ରକାର ପ୍ରରୋଚନା ଯାହା ଦୁର୍ନୀତି ଅନ୍ତର୍ଭୁକ୍ତ ।
ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳକୁ ଭାରତ ନିର୍ବାଚନ ଆୟୋଗ କୌଣସି ବିଜ୍ଞାପନ, ସର୍ଭେ ବା ଆପ ମାଧ୍ୟମରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ ଯୋଜନା ପାଇଁ ପଞ୍ଜୀକରଣ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଆଇନଗତ ସର୍ବେକ୍ଷଣ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରୟାସ ମଧ୍ୟରେ ସୀମାକୁ ଅସ୍ପଷ୍ଟ କରୁଥିବା କାର୍ଯ୍ୟକଳାପକୁ ଆୟୋଗ ଧ୍ୟାନକୁ ନେଇଛନ୍ତି । ଯାହା ଛଦ୍ମ ଭାବରେ ଆଇନଗତ ସର୍ଭେ ମାଧ୍ୟମରେ ନିର୍ବାଚନରେ ଲାଭ ହାସଲ ପାଇଁ କରାଯାଉଛି ।