ଓଡିଶା

odisha

ETV Bharat / state

ପାର୍ବଣ ଋତୁରେ ବାହାରକୁ ବାହାରୁଥିଲେ ହୋଇଯାଆନ୍ତୁ ସତର୍କ, ମାତିପାରନ୍ତି ଲୁଟେରା-ଅପରାଧୀ ଗ୍ୟାଙ୍ଗ - Crime during puja - CRIME DURING PUJA

ଧରାପୃଷ୍ଠରେ ଦଶହରା ଏବଂ ନବରାତ୍ରୀ ଉତ୍ସବ । ପାର୍ବଣ ଭିଡ଼ର ସୁଯୋଗ ନେଇଥାନ୍ତି ଲୁଟୋରା ଗ୍ୟାଙ୍ଗ । କମିଶନରେଟ ପୋଲିସ ଫୋକସରେ ଏହି ସବୁ ଅପରାଧୀ ଗୋଷ୍ଠୀ ।

ପାର୍ବଣ ପାଇଁ ବ୍ୟସ୍ତବହୁଳ ହେବ ସହର, ପୋଲିସ ଫୋକସରେ ଏହି ସବୁ ଅପରାଧୀ ଗୋଷ୍ଠୀ
ପାର୍ବଣ ପାଇଁ ବ୍ୟସ୍ତବହୁଳ ହେବ ସହର, ପୋଲିସ ଫୋକସରେ ଏହି ସବୁ ଅପରାଧୀ ଗୋଷ୍ଠୀ (ETV Bharat Odisha)

By ETV Bharat Odisha Team

Published : Oct 5, 2024, 2:20 PM IST

ଭୁବନେଶ୍ବର: ଆରମ୍ଭ ହୋଇସାରିଛି ପାର୍ବଣର ମାହୋଲ । ଉତ୍ସବମୁଖର ହେଲାଣି ରାଜଧାନୀ । ପୂଜା ମାହୋଲରେ ଲୋକଙ୍କ ଭିଡ ଭିତରେ ଫାଇଦା ନେଇପାରନ୍ତି ଅପରାଧୀ । ଲୋକଙ୍କ ଭିଡ ଓ ବ୍ୟସ୍ତତାର ସୁଯୋଗ ନେଇ ସକ୍ରିୟ ହୋଇପାରନ୍ତି ଅପରାଧୀ ଗୋଷ୍ଠୀ । ଭିନ୍ନ ଭିନ୍ନ ଢ଼ଙ୍ଗରେ ଅପରାଧିକ କାର୍ଯ୍ୟକଳାପ ଘଟାଇବାକୁ କରିପାରନ୍ତି ଯୋଜନା । ଏପରି ସମୟରେ ସହରବାସୀଙ୍କ ପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ । ଏନେଇ ନୂଆ ଡିସିପି ପିନାକ ମିଶ୍ରଙ୍କ ପାଇଁ ଅପରାଧୀ ଗ୍ୟାଙ୍ଗଗୁଡ଼ିକ ଚ୍ୟାଲେଞ୍ଜ ହୋଇପାରନ୍ତି ।

ଜୋରଦାର ହେବ ପାଟ୍ରୋଲିଂ:
ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି,‘‘ଆମର ପାର୍ବଣ ପାଇଁ ସବୁ ବର୍ଷ ଭଳି ବିସ୍ତୃତ ବ୍ୟବସ୍ଥା କରଯାଇଛି । ନବରାତ୍ରି ପାଳନ ଆରମ୍ଭ ହୋଇଯାଇଛି, ତେଣୁ ଏନେଇ ଆମେ ସମସ୍ତ ପ୍ରକାର‌ ବ୍ୟବସ୍ଥା କରିଛୁ । ବିଭିନ୍ନ ସ୍ତରରେ ଆଲୋଚନା କରି ଅତିରିକ୍ତ ପାଟ୍ରୋଲିଂ ମଧ୍ୟ କରାଯିବ । ପୂଜା ପାଇଁ ଭିଡ଼ ମଧ୍ୟ ହେବ । ସହରକୁ ସୁରକ୍ଷିତ ରଖିବା ପାଇଁଁ ପଟ୍ରୋଲିଂ ସିଷ୍ଟମକୁ ଅଧିକ ଜୋରଦାର‌ କରାଯିବ । ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟକ ଦିନ ଏନେଇ ସମୀକ୍ଷା କରାଯାଉଛି । ଆଗାମୀ ଦିନରେ ଧରପଗଡ ଜୋରଦାର‌ ହେବ । କିଭଳି ସୁରୁଖୁରୁରେ ସହରରେ ପୂଜା ପାଳନ ହେବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରାଯିବ । ସେମାନେ କୋୖଣସି ଅଭ୍ୟାସଗତ ଅପରାଧୀ ହୋଇଥିଲେ କିମ୍ବା ଜାମିନ ସର୍ତ୍ତାବଳୀ ଉଲ୍ଲଂଘନ କରୁଥିଲେ, ତାଙ୍କ ଉପରେ କାର୍ଯାନୁଷ୍ଠାନ ନିଆଯିବ ।’’

ପାର୍ବଣ ପାଇଁ ବ୍ୟସ୍ତବହୁଳ ହେବ ସହର, ପୋଲିସ ଫୋକସରେ ଏହି ସବୁ ଅପରାଧୀ ଗୋଷ୍ଠୀ (ETV Bharat Odisha)
  • ନଜର ପକାନ୍ତୁ ପାର୍ବଣ ସମୟରେ ସକ୍ରିୟ ହେଉଥିବା ଅପରାଧୀ ଗୋଷ୍ଠୀଗୁଡିକ ସମ୍ପର୍କରେ...


୧. 'କାର କାଚ ଭଙ୍ଗା ଗ୍ୟାଙ୍ଗ'
ଅନେକ ସମୟରେ ସହରରେ ଦେଖାଯାଏ, ପୂଜା ସମୟରେ ଲୋକେ ରାସ୍ତାକଡରେ ବା ପାର୍କିଂ ପ୍ଲେସରେ କାର ପାର୍କିଂ କରିଥାନ୍ତି । ହେଲେ କିଛି ଦୁର୍ବୁତ୍ତ କାରର କାଚ ଭାଙ୍ଗି ଭିତରେ ଥିବା ଜିନିଷପତ୍ର ଚୋରି କରନ୍ତି । ପୂଜା ସମୟରେ ଭିଡର ସୁଯୋଗ ନେଇ ଏଭଳି ଅପରାଧୀ ସକ୍ରିୟ‌ ହୋଇ ମାର୍କେଟିଂ ଜିନିଷ ହେଉ ବା ମୋବାଇଲ ଓ ଲ୍ୟାପଟପ୍ ଭଳି ଗ୍ୟାଜେଟ ମଧ୍ୟ ଚୋରି କରନ୍ତି । ତେଣୁ ସେଥି ପ୍ରତି ଧ୍ୟାନ ଦେବା ସହ ଗାଡିରେ କିଛି ଦାମି ଜିନିଷ ନରଖିବା ପୋଲିସ ପରାମର୍ଶ ଦେଇଛି ।

ପାର୍ବଣ ପାଇଁ ବ୍ୟସ୍ତବହୁଳ ହେବ ସହର, ପୋଲିସ ଫୋକସରେ ଏହି ସବୁ ଅପରାଧୀ ଗୋଷ୍ଠୀ (ETV Bharat Odisha)


୨. 'ମୋ ବସ ଲୁଟେରା'

ପୂଜା ସମୟରେ ‘ମୋ ବସ’ରେ ମାତ୍ରାଧିକ ଭିଡ ହୋଇଥାଏ । ଏହାର ସୁଯୋଗ ନେଇ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ମୋବାଇଲ, ମନିପର୍ସ ଓ ଗହଣା ମଧ୍ୟ ଚୋରି କରନ୍ତି ଦୁର୍ବୃତ୍ତ । ଏପରିକି ବ୍ଲେଡରେ ପକେଟ କାଟି ପର୍ସ ବା ମୋବାଇଲ ଝାମ୍ପି ନେବାର ନଜିର ମଧ୍ୟ ରହିଛି । ତେଣୁ ଭିଡ଼ରେ ଯାତ୍ରା କରିବା ବେଳେ ନିଜ ଚାରିପାଖ ପ୍ରତି ସଜାଗ ରୁହନ୍ତୁ ।

ପାର୍ବଣ ପାଇଁ ବ୍ୟସ୍ତବହୁଳ ହେବ ସହର, ପୋଲିସ ଫୋକସରେ ଏହି ସବୁ ଅପରାଧୀ ଗୋଷ୍ଠୀ (ETV Bharat Odisha)


୩. 'ନିଶା ଦିଆ ଲୁଟେରା ଗ୍ୟାଙ୍ଗ'

ବସ ଷ୍ଟାଣ୍ଡ ,ରେଳ ଷ୍ଟେସନ ଓ ସହରର ନିଛାଟିଆ ଏକାକି ସ୍ଥାନରେ ଭୁବନେଶ୍ୱର ବାହାରୁ ଆସୁଥିବା ବା ଭୁବନେଶ୍ୱରରୁ ବାହାରକୁ ଯାଉଥିବା ଯାତ୍ରୀଙ୍କ ଉପରେ‌ ଏହି ବର୍ଗର ଅପରାଧୀ ବର୍ଗ ଟାର୍ଗେଟ କରିଥାଏ । ଏମାନେ ଲିଫ୍ଟ ଦେବା, ଟ୍ୟାକ୍ସି ବା ଅଟୋରେ ଭଡ଼ା ନେବା ବାହାନାରେ ଯାତ୍ରୀଙ୍କୁ ନିଜ ଜାଲରେ ଫସାନ୍ତି । ବାଟରେ ସମ୍ପର୍କ ବଢାଇ ଚକୋଲେଟ ବା ଚା’ କିମ୍ବା ଅନ୍ୟ ଖାଦ୍ୟ ଓ ପାନୀୟ ସାମଗ୍ରୀରେ ନିଶା ମିଶାଇ ବେହୋସ କରି ଲୁଟପାଟ୍‌ କରନ୍ତି । ଏଭଳି ନଜିର ପୁର୍ବରୁ ରହିଛି । ତେଣୁ ଅଚିହ୍ନା, ଅଜଣା ଲୋକଙ୍କ ଉପରେ ନଜର‌ ରଖନ୍ତୁ । ସେମାନଙ୍କଠାରୁ ଦୂରତା ବଜାୟ ରଖନ୍ତୁ ।


୫. 'ସପିଂ ମଲ ଲୁଟେରା ଗ୍ୟାଙ୍ଗ'

ପୂଜା ଗହଳିରେ ଅନେକ ବ୍ୟବସାୟିକ ଦୋକାନ ଓ ସଂପି ମହଲରୁ ମଧ୍ୟ ଚୋରି ହୁଏ । ଗହଳି ଦେଖି ସଂପି ମଲରେ ପଶିଥାନ୍ତି ଏଭଳି ଲୁଟେରା । ଏପରିକି କେତେବେଳେ ପ୍ରାଇସ ଟ୍ୟାଗକୁ କାଟି ତ କେତେବେଳେ‌ ଗହଳି କରି ପୋଷାକ ଓ ଅନ୍ୟ ସାମଗ୍ରୀ ଅଣ୍ଟିରେ ଲୁଚାଇ ଚୋରି କରିଥାନ୍ତି । ଗ୍ରୋସରୀଠୁ ଆରମ୍ଭ କରି ଶାଢ଼ୀ ଓ ଷ୍ଟେସନାରୀ ସାମଗ୍ରୀ ମଧ୍ୟ ଏମାନେ ଚୋରି କରନ୍ତି । ପୂର୍ବରୁ ମଧ୍ୟ ଏପରି ନଜିର ରାଜଧାନୀରେ ରହିଛି । ତେଣୁ ଏମାନଙ୍କ ଉପରେ ମଧ୍ୟ ନଜର‌ ରଖିବା ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ସତର୍କ ରହିବା ଜରୁରୀ ।

ପାର୍ବଣ ପାଇଁ ବ୍ୟସ୍ତବହୁଳ ହେବ ସହର, ପୋଲିସ ଫୋକସରେ ଏହି ସବୁ ଅପରାଧୀ ଗୋଷ୍ଠୀ (ETV Bharat Odisha)


୬. 'ଏଟିଏମ ଓ ସୁଡଙ୍ଗ ତଡ଼ା ଗ୍ୟାଙ୍ଗ'

ପୂଜା ସମୟରେ ବ୍ୟାପାର ଭଲ ଯୋଗୁଁ ଅନେକ ବ୍ୟାବସାୟିକ ଦୋକାନରେ‌ କ୍ୟାସ ବା ନଗଦ ଟଙ୍କା ରହିଥାଏ । ଯାହାକୁ ଲୁଟ୍‌ ପାଇଁ ଅନେକ ସମୟରେ ସଟର ତାଡି ବା ଆଜବେଷ୍ଟସ୍‌ ଭାଙ୍ଗି ବା କାନ୍ଥକୁ ତାଡି ସୁଡ଼ଙ୍ଗ କରି ମଧ୍ୟ ଲୁଟ କରନ୍ତି ଅପରାଧୀ । ଅଧିକାଂଶ ଏଟିଏମ୍, ଗହଣା ଦୋକାନ ଓ ମେଡ଼ିସିନ ଷ୍ଟୋର ସମେତ ମୋବାଇଲ ଦୋକାନକୁ ସଫ୍ଟ ଟାର୍ଗେଟ କରନ୍ତି ଏଭଳି ଅପରଧୀଙ୍କ ଗୋଷ୍ଠୀ । ଏମାନଙ୍କ ଉପରେ ନଜର ରଖିବା ସହ ଏମାନଙ୍କ ଗତିବିଧି ପ୍ରତି ସତର୍କ ରହିବା ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ନିତ୍ୟାନ୍ତ ଜରୁରୀ ।

ପାର୍ବଣ ପାଇଁ ବ୍ୟସ୍ତବହୁଳ ହେବ ସହର, ପୋଲିସ ଫୋକସରେ ଏହି ସବୁ ଅପରାଧୀ ଗୋଷ୍ଠୀ (ETV Bharat Odisha)


. 'ଗହଣା ସଫା ଆଳରେ ଲୁଟ ଗ୍ୟାଙ୍ଗ'

ଦେଖାଯାଏ ଦୁର୍ଗା ପୂଜା ଏବଂ ପର୍ବଣ ଋତୁରେ ମହିଳାମାନେ ନିଜ ଅଳଙ୍କାର ପିନ୍ଧି ଘର ବାହାରକୁ ଯିବା ପାଇଁ ଏହାକୁ ସଫା କରନ୍ତି । ଏହି ସୁଯୋଗର ନେଇ କିଛି ଅପରାଧୀ ଗହଣା ସଫା ଆଳରେ ଘର ଘର ବୁଲନ୍ତି । ମହିଳଙ୍କର ସୁନା ହେଉ ବା ରୂପା ଅଳଙ୍କାରର ସଫା କରିବା ବାହାନାରେ ଜିନିଷ ନେଇ ଛୁ ମାରନ୍ତି । କିଛି ସ୍ଥାନରେ ଏମାନେ ନକଲି ଜିନିଷ ଧରାଇଦେଇ ଅଳଙ୍କାର ଧରି ଫେରା ହୋଇଯାଆନ୍ତି ।


୮. 'ଛିନତାଇ ଗ୍ୟାଙ୍ଗ'

ପୂଜା ସମୟରେ ଲୋକଙ୍କ ଭିଡ଼ ଦେଖି ଏହି ସମୟରେ ସକ୍ରିୟ ହୁଅନ୍ତି ଛିନତାଇ ଗ୍ୟାଙ୍ଗ । ଏମାନେ ବିଶେଷ କରି ବାଇକ ଯୋଗେ ବୁଲନ୍ତି । ଏକୁଟିଆ ମହିଳା, ଯୁବତୀ ଓ ରାତିଅଧରେ ବୁଲୁଥିବା ବ୍ୟବସାୟୀ ବା ସାଧାରଣ ଲୋକଙ୍କୁ ଏମାନେ ଟାର୍ଗେଟ କରନ୍ତି । ମୋବାଇଲ, ପର୍ସ ଓ ଟଙ୍କା ଛଡାଇ ବା ସହ ଗହଣା ନେଇ ମଧ୍ୟ ଏମାନେ ଖସିଯାନ୍ତି । ଏନେଇ ଏମାନେ ମାସ୍କ‌ ବା ହେଲମେଟ ବ୍ୟବହାର କରିବା ସହ ନିଜ ଗାଡ଼ିର ନମ୍ବର ଜଣାପଡ଼ିଯିବା ଭୟରେ ଏମାନେ ଗାଡି ନମ୍ବରକୁ କଳା ଟେପ ଲଗାଇ ମଧ୍ୟ ବୁଲି ବୁଲି ଅପରାଧ ଘଟାଇଥାନ୍ତି ।


୯. 'ପୋଲିସ ପରିଚୟ ଦେଇ ଲୁଟନ୍ତି'

ଏମାନେ ବିଶେଷ କରି ଅତି ଚାଲାକ ପରିଚୟରେ ଲୁଟନ୍ତି । ନିଜକୁ ପୋଲିସ ଅଧିକାରୀ ବା କର୍ମଚାରୀ ପରିଚୟ ଦେଇ ଲୁଟପାଟ କରନ୍ତି । ଏମାନେ ମର୍ଣ୍ଣିଂ ଓ୍ବାକ ସମୟରେ ରାସ୍ତାରେ ଲୋକଙ୍କୁ ସୁରକ୍ଷା ଯୋଗାଇବା ଆଳରେ ଗହଣା ନେଇ ଫେରାର ମାରନ୍ତି । ବଡ଼ବଡ଼ିଆ, ବୃଦ୍ଧା ଓ ମହିଳାମାନଙ୍କୁ ଏହି ବର୍ଗର ଅପରାଧୀ ଟାର୍ଗେଟ କରିବାର ନଜିର ରହିଛି ।


୧୦. 'ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ'

ଏବେ ସହରରେ ଏବେ ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ଏମାନେ ଘରର ଗ୍ରିଲ୍‌, ତାଲା ତାଡି ସୁନା ଅଳଙ୍କାର ଭଳି ଦାମୀ ଜିନିଷ ନେଇଛୁ ମାରନ୍ତି । ସେହିପରି କେବଳ ଆପାର୍ଟମେଣ୍ଟ ନୁହେଁ ସରକାରୀ କ୍ବାଟରକୁ ମଧ୍ୟ ଟାର୍ଗେଟ କରନ୍ତି । ଛୁଟିରେ ଘରେ କେହି ନଥିବାର ସୁଯୋଗ ଦେଖି ଲୁଟ କରନ୍ତି ଏହି ଗୋଷ୍ଠୀ । ଘରର ବାଲକୋନୀ ଡେଇଁ କିମ୍ବା ହଷ୍ଟେଲରେ କେହି ନଥିବାର ସୁଯୋଗ ଦେଖି ଏମାନେ ବିଲ୍ଚିଂରେ ପ୍ରବେଶ କରି ଲୁଟପାଟ କରନ୍ତି । କେହି ସାମ୍ନାକୁ ଆସିଲେ ମାରଣାସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଖସି ପଳାନ୍ତି । ନିକଟରେ ମୈତ୍ରୀ ବିହାର ଥାନା ଏରିଆରେ ଏପରି ଏକ ଅପରାଧ ସାମ୍ନାକୁ ଆସିଥିଲେ । ଲୁଟପାଟ ପାଇଁ ଏକ ଆପାର୍ଟମେଣ୍ଟରେ ପ୍ରବେଶ କରି ଦୁର୍ବୃତ୍ତମାନେ ପ୍ରବେଶ କରି ଏକାଥିବା ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details