ସମ୍ବଲପୁର:ବିଜେପିରେ ସାମିଲ ହେଲେ ଯୁବ କଂଗ୍ରେସ ନେତା ଦୁଲାଲ ପ୍ରଧାନ । ଦଳୀୟ ସଦସ୍ୟତା ଓ ପଦ ପଦବୀରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି ଦୁଲାଲ । ଲୋକସଭା ପ୍ରାର୍ଥୀ ଟିକଟ ପାଇବା ପରେ କାଟିବାକୁ ନେଇ ଅସନ୍ତୋଷ ହୋଇ କଂଗ୍ରେସ ଛାଡିଥିଲେ । ଦଳ ଅସମ୍ମାନ କରିଥିବାରୁ ଏଭଳି କରିଥିବା ନେଇ ସେ କହିଛନ୍ତି ।
ସୂଚନା ଅନୁସାରେ, କିଛିଦିନ ତଳେ ଚଳିତ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଦଳ ଦୁଲାଲଙ୍କୁ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଥିଲା । ପରବର୍ତ୍ତି ସମୟରେ ନାଟକୀୟ ଢଙ୍ଗରେ ଦୁଲାଲଙ୍କ ଟିକଟ କାଟି ଦେଇଥିଲେ । ତାଙ୍କ ସ୍ଥାନରେ ବିଜେଡି ଦଳ ଛାଡି କଂଗ୍ରେସରେ ଯୋଗଦାନ କରିଥିବା ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ କରିଥିଲା । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦୁଲାଲ । କିଛିଦିନ ସମ୍ବଲପୁରରେ ତାଙ୍କୁ ଦେଖିବାକୁ ମିଳିନଥିଲା । ଏହାରି ଭିତରେ ବୁଧବାର ରାତିରେ କଚେରୀ ରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ଯୁବ କଂଗ୍ରେସ ନେତା ଦୁଲାଲ ପ୍ରଧାନ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ତାଙ୍କୁ ସମ୍ମାନର ସହିତ ଗ୍ରହଣ କରିଥିବାରୁ ସେ ସମସ୍ତ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।