କେନ୍ଦୁଝର:ଥମୁନି ପାଣି ସମସ୍ୟା । କାନପୁର ବିସ୍ଥାପିତମାନେ ଜଳ ସମସ୍ୟା ଯୋଗୁ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ଘରକୁ ଘର ପିଇବା ପାଣି ପହଞ୍ଚାଇବା ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି । ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରୁଛନ୍ତି । ଏଥିପାଇଁ କେଉଁଠି ବୋରୱେଲ ତ ଆଉ କେଉଁଠି ନଦୀ ବନ୍ଧ ନିର୍ମାଣ କରୁଛନ୍ତି । କିନ୍ତୁ ଏତେ ଯୋଜନା ପରେ ମଧ୍ୟ ପାନୀୟ ଜଳ ସମସ୍ୟା ଦୂର ହେଉନାହିଁ । ବିଶେଷ କରି ଡ଼ହ ଡ଼ହ ଖରାରେ ଶୁଦ୍ଧ ପାନୀୟ ଜଳ ମିଳୁନଥିବାବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିସ୍ଥାପିତ ।
ସୂଚନା ଅନୁସାରେ, କେନ୍ଦୁଝରର କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ପୁନଃବାସ ଓ ପୁନଃ ଥଇଥାନ ବସତି ଅଙ୍ଗୁଳିଆରୁ ଏଭଳି ଅଭିଯୋଗ ଆସିଛି । ଏହି ପ୍ରକଳ୍ପ ପାଇଁ ଚମକପୁର ଗ୍ରାମର ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ଶତାଧିକ ଗ୍ରାମବାସୀଙ୍କୁ ଅଙ୍ଗୁଲିଆକୁ ସ୍ଥାନାନ୍ତର କରାଯାଇ ଥଇଥାନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସେତେବେଳେ ପୁନଃବାସ ହୋଇଥିବା ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର ସାଜିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଗାଁରେ ଗାଧୋଇବା ଯୋଗ୍ୟ ପୋଖରୀ ନଥିବାବେଳେ ପାନୀୟ ଜଳ ମଧ୍ୟ ଉପଲବ୍ଧ ନାହିଁ । ଫଳରେ ପାଣି ପାଇଁ ଗ୍ରାମବାସୀଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ଏହା ବି ପଢନ୍ତୁ...ଷ୍ଟିଲ ସିଟିରେ ପାନୀୟ ଜଳ ସମସ୍ୟା, ହନ୍ତସନ୍ତ ବସ୍ତି ବାସିନ୍ଦା - Rourkela Water Problem