ଅନୁଗୋଳ: ଅନୁଗୋଳ ସଭାଘର ଠାରେ ଗତ ୪ଦିନ ଧରି ଚାଲିଥିବା ନାଟ୍ୟମ ନାଟ୍ୟ ମେଳା ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଯାଇଛି ନାଟକ "ସମ୍ପର୍କ" । ଭୁବନେଶ୍ୱରର ରଙ୍ଗମ୍ ଅନୁଷ୍ଠାନ ଦ୍ବାରା ମଞ୍ଚସ୍ଥ ହୋଇଥିଲା ଏହି ନାଟକ । ଭଡ଼ା ଘର ସମସ୍ୟା ଓ ସମ୍ପର୍କକୁ ନେଇ ଆଧାରିତ ଏହି ନାଟକ ।
ତେବେ କରାଳି ମହାନ୍ତିଙ୍କ ଘରେ ଦୀର୍ଘ ୩୬ ବର୍ଷ ଧରି ଭଡ଼ାରେ ଥିଲେ ବୃଦ୍ଧ ଗଜମାଧବ । କରାଳି କିନ୍ତୁ ଏତେଦିନ ପରେ ଗଜ ମାଧବଙ୍କୁ ଘରୁ ବାହାରି ଯିବାକୁ ନୋଟିସ ଦେଇଥିଲେ । ଅନ୍ୟ ଘର ଭଡାଟିଆ ଗଜମାଧବଙ୍କୁ ସମର୍ଥନ କରିଥିଲେ । ଏହାକୁ ନେଇ କେସ ହୋଇଥିବା ବେଳେ କେସରେ ଜିତିଲେ କରାଳୀ । ଶେଷକୁ ଗଜମାଧବ ଘର ଛାଡ଼ିଲେ ଏବଂ ତାଙ୍କ ସ୍ଥାନରେ ରହିବାକୁ ଆସିଥିବା ନୂଆ ଭଡ଼ାଟିଆଙ୍କ ମଧ୍ୟରେ ମନର ସମ୍ପର୍କକୁ ନେଇ ନାଟକ ଗତିଶୀଳ ହୋଇଛି । ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ଯୋଗ ଦେଇଥିଲେ । ସେହିପରି ରାଜ୍ୟ ନାଟ୍ୟ ମହାସଂଘର ସଭାପତି ମନୋଜ ପଟ୍ଟନାୟକ, ଓଡ଼ିଶାବାର୍ କାଉନସିଲର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ଏବଂ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଅତିଥିମାନେ ନାଟ୍ୟମର ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିଥିଲେ । ନାଟ୍ୟମର ସଭାପତି ସୁଧାଂଶୁ ମୋହନ ଦ୍ବିବେଦୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସମୀର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।