ବଲାଙ୍ଗୀର: ଯୁବତୀଙ୍କୁଗୁଣି ଗାରେଡ଼ି କରି ତାନ୍ତ୍ରିକ ଗିରଫ । ଯୁବତୀ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରୁ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ଯୁବତୀଙ୍କ ମୁଣ୍ଡରେ ଗୁଞ୍ଜା ଯାଇଛି ଅନେକ ଛୁଞ୍ଚି । ବଲାଙ୍ଗୀର ଜଣେ ତାନ୍ତ୍ରିକ ଏପରି କରିଥିବାବେଳେ ଯୁବତୀ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଭିଯୋଗ ପରେ ସମ୍ପୃକ୍ତ ତାନ୍ତ୍ରିକ ଗିରଫ ହୋଇଛି । ବଲାଙ୍ଗୀରରେ ବହୁ ମାତ୍ରାରେ ଏଭଳି ଗୁଣିଗାରେଡି ଘଟଣା ସାମନାକୁ ଆସୁଛି । ଆଧୁନିକ ଯୁଗରେ ମଧ୍ୟ ଚିକିତ୍ସା ନ ପାଇଁ ଲୋକେ ଗୁଣିଗାରେଡିର ସାହାଯ୍ୟ ନେଉଛନ୍ତି । ଯେଉଁଥିରେ ଜୀବନ ହାନି ଘଟିବା ସହ ଲୋକେ ହଇରାଣ ହେଉଛନ୍ତି।
ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳର ଜଣେ ଯୁବତୀ ଦୀର୍ଘ ଦିନରୁ ଅସ୍ବାଭାବିକ ଆଚରଣ କରୁଥିବାବେଳେ ହାତ ଗୋଡ଼କୁ ନିଜେ କାଟି ପକାଉଥିଲେ । ଯାହାକୁ ନେଇ ତାଙ୍କ ବାପା ତାଙ୍କ ଝିଅଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସବୁ ପରୀକ୍ଷା ପରେ ଯୁବତୀ ଜଣକ ସୁସ୍ଥ ଥିବାବେଳେ ଏହି ଅସ୍ବାଭାବିକ ଆଚରଣର କାରଣ ଜଣାପଡ଼ି ନଥିଲା । ଏହାପରେ ଝିଅକୁ ନେଇ ଘରକୁ ଫେରିଥିଲେ ବାପା । ହେଲେ ଘରେ ପହଞ୍ଚିବା ପରେ ଯୁବତୀ ଜଣକ ପୁଣି ସେହିପରି ଆଚରଣ କରିଥିଲେ । ଯାହାକୁ ନେଇ ଲୋକେ ତାଙ୍କୁ ଗୁଣିଗାରେଡିର ପରାମର୍ଶ ଦେଇଥିଲେ । ଏହାପରେ ସେ ସିନ୍ଧେକେଲା ଅନ୍ତର୍ଗତ ଜାମୁଟ ଝୁଲା ଗ୍ରାମର ଆତ୍ମଘୋଷିତ ବାବା ଓ ତାନ୍ତ୍ରିକ ତେଜ ରଣା ପାଖକୁ ନେଇଥିଲେ । ଯେଉଁଠାରେ ତାନ୍ତ୍ରିକ ଜଣକ ଅନେକ ଛୁଞ୍ଚି ନେଇ ଯୁବତୀଙ୍କ ମୁଣ୍ଡରେ ଗୁଞ୍ଜି ଦେଇଥିଲେ ।