ଭୁବନେଶ୍ବର: କେଉଁ ଦିନ ପାଳିବେ ଦୀପାବଳି ? କେଉଁ ଦିନ ପାଳନ ହେବ କାଳୀପୂଜା ? କେବେ ହେବ ପୟାଶ୍ରାଦ୍ଧ ? ଆସନ୍ତା ୩୧ ଅକ୍ଟୋବର ନା ନଭେମ୍ବର ୧ରେ ପାଳନ ହେବ ଦୀପାବଳି ଅମାବାସ୍ୟା । କାଳୀପୂଜା ଓ ଦୀପବଳି ଅମାବାସ୍ୟାକୁ ନେଇ ଦ୍ଵନ୍ଦ ଉପୁଜିଛି । ରାଜ୍ୟରେ ପ୍ରଚଳିତ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ ପରେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି । ଉତ୍କଳୀୟ ପରମ୍ପରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ ଅନୁସରଣ କରାଯାଏ । ସାଧାରଣରେ କେବେ କେଉଁ ଦିନ ନୀତିକାନ୍ତି ଅନୁଷ୍ଠିତ ହେବ ତାର ଦିନ ଧାର୍ଯ୍ୟ ପଣ୍ଡିତମାନେ କରନ୍ତି । ପାଞ୍ଜି ଗଣନା ଅନୁଯାୟୀ ଦିନ ଧାର୍ଯ୍ୟ କରାଯାଏ । ବିଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତଥ୍ୟ ପାଇଁ ଅସୁବିଧାରେ ଶ୍ରଦ୍ଧାଳୁ ଏବଂ ସାଧାରଣ ଲୋକ । ତେବେ କେଉଁଦିନ ପାଳନ ହେବ କାଳୀପୂଜା । ଏନେଇ କ'ଣ କହୁଛନ୍ତି ଜ୍ୟୋତିଷ ବିଶାରଦ ।
ଶ୍ରୀମନ୍ଦିର ନୀତିକାନ୍ତିରେ ପାଳନ ହେବ ଦୀପାବଳି:
ଶ୍ରୀମନ୍ଦିର ଚୂନରା ସେବାୟତ ଶରତ ମହାନ୍ତିକହିଛନ୍ତି, "ବିଭିନ୍ନ ପଞ୍ଜିକା ବା କ୍ୟାଲେଣ୍ଡରେ ବିଭିନ୍ନ କଥା ଲେଖାଯାଇଥାଏ । ବୈଷ୍ଣବ ମତରେ ଗୋଟିଏ ଏକାଦଶୀ ରହିଥାଏ କିନ୍ତୁ ଶ୍ରୀମନ୍ଦିରରେ ଯେଉଁଦିନ ମହାଦୀପ ପ୍ରଜ୍ବଳନ ହୁଏ ସେଦିନ ଏକାଦଶୀ ଓ ସେଦିନ ଏକାଦଶୀ ବ୍ରତ ପାଳନ କରାଯାଏ । ଯାହା ଗତକାଲି ସମ୍ଭୁ ଏକାଦଶୀ ବା ରମା ଏକାଦଶୀ ରହିଥିଲା । ସେହି ହିସାବରେ ଚତୁର୍ଦ୍ଦଶୀ ଦିନ ଲୋକନାଥଙ୍କ ପାଖରେ ମାହାଦୀପ ଉଠିବ । ଅମାବାସ୍ୟା ଦିନ ଅମାବାସ୍ୟା ନାରାୟଣ ସାଗର ବିଜେ ହେବେ । ଶ୍ରୀମନ୍ଦିର ନୀତି ଅନୁସାରେ ସେହିଦିନ ଧାର୍ଯ୍ୟ କରାଯାଇଛି, ଯାହା ୧ ତାରିଖରେ ପାଳନ ହେବ । ଆମେ ଉତ୍କଳ ପରମ୍ପରାରେ ଉତ୍କଳବାସୀ ବଡ଼ ଦେଉଳରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଅନୁସରଣ କରନ୍ତି । ତେଣୁ ଶ୍ରୀମନ୍ଦିରରେ ଯେଉଁଦିନ ନୀତିକାନ୍ତି ହେବ ସେହି ଦିନକୁ ଧରିବା । ୧ ତାରିଖରେ ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶ, ବାଳ ଧୂପ, ଅମାବାସ୍ୟା ନାରାୟଣଙ୍କର ସାଗରସ୍ନାନ ବିଜେ ନୀତି ଅନୁଷ୍ଠିତ ହେବ । ସେହିଦିନ ଆମେ ଅମାବାସ୍ୟା, ବଡ଼ବଡ଼ିଆ ବା ପୟାଶ୍ରାଦ୍ଧ କରାଯିବ ।"
ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳିରେ ଘରେ ଲଗାନ୍ତୁ ଏହି ୬ ଗଛ, ପରିବାର ଉପରେ ହେବ ମା' ଲକ୍ଷ୍ମୀଙ୍କ କୃପା |