ନିଆଳି:ଚାଲିଛି ଶୀତ ଋତୁ । ଫୁଲକୋବି ଅମଳର ସମୟ । ଏକର ଏକର ଜମିର ଜମି କୋବିରେ ଭର୍ତ୍ତି । ହେଲେ ଏପରି ସମୟରେ କଟକ ଜିଲ୍ଲା ନିଆଳିର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବୀ ବିକ୍ରି । ଫୁଲକୋବି ଗୋଟାକୁ ୫ ରୁ ୧୦ ଟଙ୍କାରେ ବିକ୍ରି ହେଉଛି । ବେପାରୀମାନେ ଚାଷୀଙ୍କ ଠାରୁ କମ୍ ଟଙ୍କାରେ ଫୁଲକୋବି କିଣି ନେଇ ଚଢ଼ା ଦରରେ ବିକ୍ରି କରୁଛନ୍ତି । ଫଳରେ ବେପାରୀ ମାଲାମାଲ୍ ହେଉଥିବା ବେଳେ ସେପଟେ କେମିତି ଋଣ ଟଙ୍କା ପରିଶୋଧ କରିବ ସେହି ଚିନ୍ତାରେ ଚାଷୀ । ଆଶା କରିଥିଲା ଚଳିତ ବର୍ଷ ଭଲ ଦି ପଇସା ଉପାର୍ଜନ କରିଥାନ୍ତା । କିନ୍ତୁ ବଜାର ଦର ହଠାତ୍ ହ୍ରାସ ଏବଂ ଅଦିନିଆ ବର୍ଷା ପାଗ ଯୋଗୁଁ ଏବେ ଫୁଲକୋବି ଚାଷୀ ଚିନ୍ତାରେ ପଡି ଯାଇଛନ୍ତି ।
କଟକ ଜିଲ୍ଲା ନିଆଳିର କଣ୍ଟାପଡ଼ା,କଟକ ସଦର, ବାରଙ୍ଗ,୪୨ ମୌଜା ଏବଂ ଆଖପାଖ ଅଞ୍ଚଳର ହଜାର ହଜାର ଚାଷୀ ଫୁଲକୋବି ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଫୁଲକୋବି ଚାଷରୁ ଭଲ ଟଙ୍କା ରୋଜଗାର କରି ପିଲା ଛୁଆଙ୍କ ପାଠପଢା ମଧ୍ୟ କରିଥାଆନ୍ତି । ତେଣୁ ଭଲ ଫସଲ ପାଇଁ ହଜାର ହଜାର ଟଙ୍କାର ଖତ, ସାର ଦେଇଥିଲା । ପାଗ ଠିକ୍ଠାକ୍ ଥିବାରୁ ଚାଷ ମଧ୍ୟ ଭଲ ହୋଇଛି । ଆଶା କରିଥିଲେ ଫୁଲକୋବି ବିକି ଋଣ ଟଙ୍କା ସୁଝିଦେବ । କିନ୍ତୁ ଚାଷୀଙ୍କ ଏହି ଆଶା ଫସର ଫାଟି ଯାଇଛି । ଏବେ ମୁଲିଆ ଲଗାଇ ତୋଳୁଛି । ହେଲେ ବିକ୍ରି ବେଳକୁ ମଜୁରୀ ଟଙ୍କା ବି ବାହାରୁନି । ଫୁଲକୋବି ଅମଳ ହେଲା ବେଳକୁ ଗତ ମାସେ ହେଲା ଦର କମି କମି ଆସୁଛି ।
ଯେଉଁ ଫୁଲକୋବି ପୂର୍ବରୁ ଗୋଟାକ ୩୦ରୁ ୫୦ ଟଙ୍କା ଥିଲା ଏବେ ସେ କୋବି ବଜାରରେ ୫ ଟଙ୍କା ଠାରୁ ଆରମ୍ଭ କରି ୧୦ ଟଙ୍କାରେ ବ୍ରିକି ହେଉଛି । ବେପାରୀ ଚାଷୀଙ୍କ ଠାରୁ ଶାଗ ମାଛ ଦରରେ କୋବି କିଣି ବଜାରରେ ୧୦ ଗୁଣା ଅଧିକ ଦରରେ ବିକ୍ରି କରୁଛନ୍ତି । ତେବେ ବଜାରରେ ଚାହିଦା ଓ ଦରଦାମ କମିଯିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଶୀତଳ ଭଣ୍ଡାରଟିଏ ନ ଥିବାରୁ କଷ୍ଟ ଉପାର୍ଜିତ ପରିବା ସାଇତି ନପାରି ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ ।