କୋରାପୁଟ: କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ କେଁ ଦେଖା ଦେଇଛି । ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ଏହି ପ୍ରକଳ୍ପ ବିଳମ୍ୱ ହେଇଥିବା ବେଳେ ବର୍ତ୍ତମାନ ଏହି ଜମି ଗୁଡିକର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏହି ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇ ଯାଉଛି । ଅନ୍ୟପକ୍ଷରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ସାଧାରଣରେ ଦାବି ଉଠିଛି ।
କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନରୁ ଆରମ୍ଭ ହୋଇ ଥିଲେ ମଧ୍ୟ ରେଳ ବିଭାଗର କିଛି ଜାଗା ଅଧିଗ୍ରହଣ ହୋଇପାରି ନଥିବାରୁ ରାସ୍ତା ନିର୍ମାଣରେ ସମସ୍ୟା ଉପୁଜିଥିଲା । ବାଇପାସ୍ ରାସ୍ତା ନିର୍ମାଣରେ ରେଳ ବିଭାଗର କିଛି ଜମି ରହିଥିଲା ଯାହାକୁ ମଞ୍ଜୁର ଦେଇନଥିଲା ରେଳ ବିଭାଗ । ଏହି ସମସ୍ୟାକୁ ନେଇ ବାରମ୍ବାର ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ସେଗୁଡିକ ଫେଲ ମାରିଥିଲା ।
ଏହାରି ମଧ୍ୟରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କୋରାପୁଟ ଗସ୍ତରେ ଆସିଥିବା ସମୟରେ ବାଇପାସ୍ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାସହ ରେଳ ବିଭାଗର ଅଧିକାରୀଙ୍କୁ ଜମି ହସ୍ତାନ୍ତର ପ୍ରକିୟା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଜାତୀୟ ରାଜପଥ ବିଭାଗର ସୁନାବେଡା଼ ଡିଭିଜନ ପକ୍ଷରୁ ଏକ ଜନ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନିଟି ଡିଜାଇନ୍ ମଧ୍ୟରୁ ଏକ ଡିଜାଇନକୁ ଅନୁମୋଦନ ମିଳିଥିଲା । ଏହି ରାସ୍ତାର ଲମ୍ବ ୩.୮ କିମି ରହିଥିବା ବେଳେ ଏହି ପ୍ରକଳ୍ପର ଅଟକଳ ପ୍ରାୟ ୭୫ କୋଟି ଆକଳନ କରାଯାଇଛି । କୋରାପୁଟ ସହର ଉପକଣ୍ଠସ୍ଥ ମାଛରା ନିକଟରୁ ଏହି ବାଇପାସ ରାସ୍ତା ଆରମ୍ଭ ହୋଇ ରେଳ ଷ୍ଟେସନ ଛକ ତଥା ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ରହିବ । ଏଥିପାଇଁ କୁମ୍ଭା, କହ୍ନେଇପୁଟ ଓ କୋରାପୁଟର କିଛି ଜମି ଅଧିଗ୍ରହଣ କରାଯିବ । ଏହି ଜମି ଗୁଡ଼ିକର ମୂଲ୍ୟ ନିର୍ଧାରଣ କରି କୋରାପୁଟ ତହସିଲ୍ ପକ୍ଷରୁ ଜାତୀୟ ରାଜପଥ ବିଭାଗକୁ ଅବଗତ କରାଯାଇଛି । ହେଲେ ଏହି ମୂଲ୍ୟକୁ ନେଇ ଏବେ ରାଜ୍ୟ ସରକାର ଓ ଜନ ପ୍ରତିନିଧି ତପ୍ତର ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।ଯଥାଶୀଘ୍ର ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ଉଠିଛି ।