ଭୁବନେଶ୍ୱର:ଘର ବାହୁଡିଲେ ଧନେଶ୍ୱର ମାଝୀ ।ଶଙ୍ଖ ଛାଡି ପୁଣି ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ତଥା 5 ଥରର ବିଧାୟକ ଧନେଶ୍ୱର ମାଝୀ । ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ସେ ବିଜେଡି ଛାଡିଥିଲେ । ମୋଦିଙ୍କ ଉପରେ ଲୋକଙ୍କ ଆସ୍ଥା ବଢୁଥିବାରୁ ସେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ।
ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତାମାନଙ୍କ ଦଳ ଡିଆଁ ମଧ୍ୟ ସେତେ ଅଧିକ ଦେଖିବାକୁ ମିଳିଛି । ପୂର୍ବତନ ରାଜ୍ୟସଭା ସାଂସଦ ଏବଂ କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ୫ ଥରର ବିଧାୟକ ଧନେଶ୍ୱର ମାଝୀ ଶୁକ୍ରବାର ଦିନ ବିଜେପିରେ ସାମିଲ ହୋଇଛନ୍ତି । ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ଓଡିଶାର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ ଥିବା ବେଳେ ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ତେଣୁ ଏହି ଆସ୍ଥା ଓ ଗ୍ୟାରେଣ୍ଟିକୁ ନେଇ ବିଜେପିରେ ମିଶିଥିବା କହିଛନ୍ତି ଧନେଶ୍ୱର ମାଝୀ ।