ପୁରୀ/ବ୍ରହ୍ମପୁର :ପୁଣି ବଦଳିଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ଧାଡି ଦର୍ଶନ ଆରମ୍ଭ ତାରିଖ । ଚଳିତମାସ(ଜାନୁଆରୀ) 20 ତାରିଖରୁ ନହେଁ ବରଂ (ଆସନ୍ତାମାସ) ଫେବୃଆରୀ 1 ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ନାଟ ମଣ୍ଡପ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ସମୟ ଘୁଞ୍ଚାଯାଇଛି । ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
- ନାଟ ମଣ୍ଡପ ହୁଣ୍ଡି ସ୍ଥାନାନ୍ତରଣ କାରଣରୁ ବିଳମ୍ବ: ମନ୍ତ୍ରୀ
ମନ୍ତ୍ରୀ କହିଛନ୍ତି, ''ଚଳିତ ମାସ 20 ତାରିଖରୁ ସମ୍ପୂର୍ଣ୍ଣ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ସମସ୍ତ ପ୍ଲାର୍ଟଫର୍ମ ପ୍ରସ୍ତୁତ ହୋଇସାରିଥିବା ବେଳେ ଏଥିରେ ଗୋଟିଏ ପ୍ରତିବନ୍ଧକ ରହିଥିଲା ଏବଂ ସାମାନ୍ୟ ଚର୍ଚ୍ଚା ଓ ଆଲୋଚନା ରହିଥିଲା । ଏପରିକି ନାଟ ମଣ୍ଡପ ମଧ୍ୟରେ ଯେଉଁ ହୁଣ୍ଡି ରହିଛି ତାହାର ସ୍ଥାନାନ୍ତରଣ ପ୍ରକ୍ରିୟା ଦରକାର ରହିଛି । ଯାହାକି ହୁଣ୍ଡିକୁ ସ୍ଥାନାନ୍ତରଣ କରିବା ପାଇଁ ଔପଚାରିକତା ପ୍ରକ୍ରିୟା ବାକି ରହିଥିବା ବେଳେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଦରକାର । ଖୁବଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ଆସନ୍ତା ଜାନୁଆରୀ 20 ବଦଳରେ ଫେବୃଆରୀ 1 ତାରିଖରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବୁ ବୋଲି ନିଷ୍ପତ୍ତି ହୋଇଛି । ''
- ଅସ୍ଥାୟୀ ବ୍ୟାରିକେଡ଼ ସହିତ ରହିବ ରାମ୍ପର ବ୍ୟବସ୍ଥା
ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ନେଇ ସାତପାହାଚଠାରୁ ନାଟ ମଣ୍ଡପ ଦେଇ ଜୟ-ବିଜୟ ଦ୍ଵାର ପର୍ଯ୍ୟନ୍ତ ଏକ ଅସ୍ଥାୟୀ ବ୍ୟାରିକେଡ଼ ସହିତ ରାମ୍ପର ବ୍ୟବସ୍ଥା ରହିବ । ଯେଉଁ ବ୍ୟାରିକେଡ଼ ଦେଇ ଭକ୍ତମାନେ ଧାଡି଼ରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାଦ୍ବାରା ଶୃଙ୍ଖଳିତ ଦର୍ଶନ ସହିତ ଭକ୍ତମାନେ ଏକ ଭଲ ଅନୁଭୂତି ନେଇ ଫେରିବେ ବୋଲି ସରକାର ଆଶା ରଖିଛନ୍ତି । ଯାହାକି ମହାପ୍ରଭୁଙ୍କ ଦର୍ଶନ ସମୟରେ ଆଉ ଠେଲାପେଲା ପରିସ୍ଥିତି ହେବ ନାହିଁ । ଭକ୍ତମାନେ ଧାଡ଼ିରେ ଯାଇ ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କର ଦର୍ଶନ କରି ଫେରିବେ ବୋଲି ମନ୍ତ୍ରୀ କହିଛନ୍ତି ।