ଓଡିଶା

odisha

ETV Bharat / state

ଓଡ଼ିଶାର ପର୍ଯ୍ୟଟନ ବିକାଶର ମଙ୍ଗ ଧରିବ କୋରାପୁଟ: ପ୍ରଭାତି ପରିଡା - KORAPUT TOURISM DESTINATION

କୋରାପୁଟ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ।

Tourist Destinations In Koraput
Tourist Destinations In Koraput (ETV Bharat Odisha)

By ETV Bharat Odisha Team

Published : 15 hours ago

କୋରାପୁଟ:ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ଏଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ତେବେ କୋରାପୁଟରେ ଥିବା ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ପର୍ଯ୍ୟଟନସ୍ଥଳୀକୁ ସରସ ଓ ସୁନ୍ଦର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସାଧାରଣ ଜନତାଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୁବଶୀଘ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏହାସହ କୋରାପୁଟ ସମଗ୍ର ଓଡିଶାର ପର୍ଯ୍ୟଟନ ବିକାଶର ମଙ୍ଗ ଧରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।


ପର୍ଯ୍ୟଟନସ୍ଥଳୀର ହେବ ବିକାଶ:

Tourist Destinations In Koraput (ETV Bharat Odisha)

'ପରବ' ଉଦଯାପନୀ ଉତ୍ସବରେ ଯୋଗଦେବାକୁ ଆସିବା ଅବସରରେ କୋରାପୁଟ ବ୍ଲକର ଲଙ୍କାପୁଟ ପଞ୍ଚାୟତର ପଣ୍ଡିଘାଟରୁ କୋଲାବ ଜଳଭଣ୍ଡାର ମଧ୍ୟରେ ଥିବା ୪ଟି ଟାପୁ ବୁଲି ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରୁ ଫେରିବା ପରେ ସେମିଳିଗୁଡା ବ୍ଲକର ଜାନୀଗୁଡା, ନୂଆପୁଟରେ ଥିବା କଫି ବଗିଚା ବୁଲିଛନ୍ତି । ସେଠାରୁ ପୁଟସିଲ୍ ଇକୋ ରିଟ୍ରିଟ୍, ଦେଓମାଳି ଆଦି ବୁଲି ଦେଖିଛନ୍ତି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାକହିଛନ୍ତି, "କୋଲାବ ନଦୀରେ ପଣ୍ଡିରେ ଥିବା ଦ୍ବୀପକୁ ବୁଲି ଦେଖିଛୁ । ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର କରାଯିବ । ପୁଟସିଲ୍ ଇକୋ ରିଟ୍ରିଟ୍‌କୁ ବୁଲି ଦେଖିଛୁ । ଦେଓମାଳିକୁ ବୁଲି ଦେଖିଛୁ । ଦେଓମାଳିର କିପରି ଉନ୍ନତିକରଣ କରାଯାଇପାରିବ ଏହା ଉପରେ ଧ୍ୟାନ ଦିଆଯିବ । କୋରାପୁଟ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବ । ପ୍ରାକୃତିକ ପରିବେଶରେ ଭରପୁର କୋରାପୁଟକୁ ବିଶ୍ବ ଦରବାରରେ ଦେଖାଇବା ପାଇଁ ପର୍ଯ୍ୟଟନ ବିଭାଗକୁ ସୁଯୋଗ ମିଳିବ । ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଏଥିପାଇଁ ୮୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି ।"

ଦେଓମାଳିର ଭିତ୍ତିଭୂମି ବିକାଶ:

ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ରାଜ୍ୟ ପଯ୍ୟଟନ ବିଭାଗ ସଚିବ ବଳୱନ୍ତ ସିଂ, ଜିଲ୍ଲାପାଳ ୱି.କୀର୍ତ୍ତିଭାସନ ଓ ଏସପି ରୋହିତ ବର୍ମା ବୁଲି ପର୍ଯ୍ୟଟନର ବିକାଶ ଦିଗରେ ସାଧାରଣ ଲୋକଙ୍କ ସହ ଚର୍ଚ୍ଚା କରିଛନ୍ତି । ପଣ୍ଡିଘାଟରେ ୩୦ କୋଟି ବ୍ୟୟ‌ରେ ୪ଟି ଟାପୁର ସ‌ୌନ୍ଦର୍ଯ୍ୟକରଣ କରାଯିବ । ଘାଟରେ ଅନୁସଙ୍ଗିକ ଭିତ୍ତିଭୂମିର ବିକାଶ ସହ ଜଳକ୍ରୀଡା, ବୋଟିଂ ଆଦିର ପ୍ରସ୍ତାବିତ ଡିପିଆର୍ ‌କୋରାପୁଟ ବ୍ଲକ କରିଥିବା କହିଛନ୍ତି ବିଡିଓ ଦେବାଶିଷ ଗୌଡ଼ । ସେହିପରି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଏହି ପଣ୍ଡିଘାଟର ବିକାଶ ସହ ଦେଓମାଳି, ରାଣୀଡୁଡୁମା, ଡୁଡୁମା ସହ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଡିପିଆର ଗୁଡିକ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଜିଲ୍ଲାପାଳଙ୍କ ଜରିଆରେ ଯାଇଥିବା କହିଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଲିନା ପ୍ରଧାନୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'ପରବ-2024' ଉଦଘାଟିତ, କୋରାପୁଟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ବର୍ଷା

ଏହା ମଧ୍ୟ ପଢ଼ନ୍ତୁ...ପରବରେ ଜମିଲା ବ୍ୟବସାୟ, କୋଟି କୋଟି ଟଙ୍କାର ବେପାର

ତେବେ ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ, କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଡୁଡୁମା ପର୍ଯ୍ୟଟନସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ଡୁଡୁମା ଜଳପ୍ରପାତ ସ୍ଥଳରେ ପର୍ଯ୍ୟଟକମାନଙ୍କ ପାଇଁ ରହିବା ସୁବିଧା, ସହଜରେ ପର୍ଯ୍ୟଟକମାନେ ଡୁଡୁମାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ସେ ନେଇ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏନେଇ ତୁରନ୍ତ ଯୋଜନା ତିଆରି କରିବାକୁ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ଅନକାଡେଲି ଆଦିବାସୀ ସାପ୍ତାହିକ ହାଟ ପରିଦର୍ଶନ କରି ସ୍ଥାନୀୟ ଜନ ସାଧାରଣ ଓ ବିଭାଗୀୟ ଅଧିକାରୀମାନଙ୍କ ସହିତ ହାଟର ଉନ୍ନତିକରଣ, ବଣ୍ଡ ସମ୍ପ୍ରଦାୟର ବ୍ୟବସାୟୀମାନେ କିପରି ହାଟରେ ବସି ବ୍ୟବସାୟୀ କରିପାରିବେ, ପରିବେଶ ସଫା ରଖିବା ଓ ଆଲୋକି କରଣ କରିବା ନେଇ ସଚିବ ଆଲୋଚନା କରିଥିଲେ । ସଚିବଙ୍କ ଗସ୍ତ ସମୟରେ ଲମତାପୁଟ, ବିଡ଼ିଓ, ମାଛକୁଣ୍ଡ ତହସିଲଦାର ଓ ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details