କେନ୍ଦ୍ରାପଡା:ଜୀବିତ ବ୍ୟକ୍ତିଙ୍କ ନାଁରେ ମୃତ୍ୟୁଜନିତ ସହାୟତା ରାଶି ଲୁଟ । ଅନ୍ତ୍ୟେଷ୍ଟି କ୍ରିୟାଠାରୁ ଆରମ୍ଭ କରି ଶ୍ରମିକ ମୃତ୍ୟୁରେ ସହାୟତା ପର୍ଯ୍ୟନ୍ତ ସବୁ କିଛି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଉ ଏ ଘଟଣା ଜଣାପଡିବା ପରେ ଏବେ କେନ୍ଦ୍ରାପଡା ଜିଲ୍ଲାରେ ଶ୍ରମ ବିଭାଗ କାର୍ଯ୍ୟଶୈଳୀ ଉପରେ ମଧ୍ୟ ଅନେକ ପ୍ରଶ୍ନ । ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ସେହି ଯୋଜନାଗୁଡିକ କିଛି ଦଲାଲ ଏବଂ ସରକାରୀ କର୍ମଚାରୀମାନଙ୍କ ମଧୁଚନ୍ଦ୍ରିକାରେ ଲୁଟ ହେଉଥିବା ଦେଖିବାକୁ ମିଳିଛି । ବିଶେଷ କରି ନିର୍ମାଣ ଶ୍ରମିକମାନେ ବଞ୍ଚି ରହିଥିବା ବେଳେ ତାଙ୍କୁ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ରାଶି ବି ଲୁଟ ହେଉଛି ଯାହା ଏହି ଦୁଇଟି ଘଟଣା ପ୍ରମାଣ କରୁଛି ।
ଘଟଣା ଅନୁସାରେ, ମାର୍ଶାଘାଇ ଅଞ୍ଚଳର ମନୋରଞ୍ଜନ ଦାସ ଜଣେ ନିର୍ମାଣ ଶ୍ରମିକ । ୨୦୧୪ ମସିହାରେ ପଞ୍ଜିକରଣ କରାଯାଇଥିବା ଶ୍ରମକାର୍ଡକୁ ନବୀକରଣ ପାଇଁ ନେବା ବେଳେ ୨ ବର୍ଷ ତଳୁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଥିଲା । ତାଙ୍କ ପତ୍ନୀ ଭାବେ ଅନ୍ୟ ଜଣେ ମହିଳା ତାଙ୍କ ମୃତ୍ୟୁକାଳୀନ ସହାୟତା ରାଶି ବାବାଦରେ ୨ ଲକ୍ଷ ଟଙ୍କା ହାତେଇଥିବା ଜାଣିବାକୁ ପାଇଥିଲେ । ସେହିପରି ଅନ୍ୟଜଣେ ନିର୍ମାଣ ଶ୍ରମିକ କେନ୍ଦ୍ରାପଡା ମହାକାଳପଡା ଅଞ୍ଚଳର ମକର ପାଲ୍ ମଧ୍ୟ ଏଭଳି ଠକେଇର ସମ୍ମୁଖୀନ ହୋଇଛନ୍ତି । କେବଳ ଏହି ଦୁଇଜଣ ନୁହନ୍ତି ମାର୍ଶାଘାଇ ବ୍ଲକର ଗୀତାଞ୍ଜଳି ଦାସ, ଚିନ୍ମୟୀ ସାହୁ ଏବଂ କୁଞ୍ଜଲତା ସାହୁ ମଧ୍ୟ ଜୀବିତ ଥିଲେ ସୁଦ୍ଧା ଏହି ମୃତ୍ୟୁକାଳୀନ ସହାୟତା ପାଇଥିବା ପୋର୍ଟାଲରେ ଦର୍ଶାଉଛି । ଯାହା ଶ୍ରମ ବିଭାଗରେ ବ୍ୟାପକ ଚଞ୍ଚକତାକୁ ପଦାରେ ପକାଇଛି ।