ସମ୍ବଲପୁର: ଯୁଗ ବଦଳିଛି । ମଣିଷ ଯାଇ ମହାକାଶରେ ପହଞ୍ଚିଲାଣି । ବିଜ୍ଞାନ ଯୁଗରେ ଅସମ୍ଭବ କାମ ସମ୍ଭବ ମଧ୍ୟ କରିସାରିଲାଣି । ହେଲେ ଏବେ ବି ସମାଜର ଅନ୍ଧବିଶ୍ବାସ, ଜାତିପ୍ରଥା ତଥା ଛୁଆଁ ଅଛୁଆଁ ଭେଦଭାବ କବଳରୁ ମୁକୁଳିବା ମଣିଷ ପକ୍ଷେ ସମ୍ଭବ ହୋଇନି । ଏବେ ବି ଜାତି ଅଜାତି ଭେଦଭାବର ଶିକାର ହେଉଛି ମଣିଷ । ଜାତି ପାଇଁ ମୃତ୍ୟୁ ପରେ ବି ମୃତଦେହକୁ ମିଳିପାରୁନି ଚାରିକାନ୍ଧ । ମୃତ୍ୟୁ ପରେ ବି ଦାଉ ସାଧୁଛି ଜାତିପ୍ରଥା । ଝିଅମାନେ ଅଲଗା ଜାତିରେ ବିବାହ କରିଥିବାରୁ ମାଆର ମୃତଦେହ ନେବାକୁ ମିଳିଲେନି ଲୋକ । ଜାତିପ୍ରଥା ପାଇଁ ଜଣେ 70 ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ଟ୍ରଲିରେ ବୁହାହେବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ଭିତରେ ।
ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର 5 ନମ୍ବର ୱାର୍ଡରେ ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଯୋଗୁଁ ଅସୁସ୍ଥ ଥିବା ଜଣେ 70 ବର୍ଷ ବୟସ୍କା ବୃଦ୍ଧାଙ୍କର ଗତକାଲି (ସୋମବାର) ମୃତ୍ୟୁ ହୋଇଥିଲା । ତେବେ ବୃଦ୍ଧାଙ୍କର 7ଟି ଝିଅ ଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ଝିଅ ଅନ୍ୟ ଜାତିରେ ବିବାହ କରିଛନ୍ତି । ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ପରେ ସାହିଭାଇ କେହି ମଧ୍ୟ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଆସିଲେନି । କୁତ୍ସିତ ଜାତିପ୍ରଥା ପାଇଁ ମୃତ୍ୟୁ ପରେ ବୃଦ୍ଧାଙ୍କୁ ଚାରିକାନ୍ଧ ମିଳିପାରିଲାନି ।
ଏହା ମଧ୍ୟ ପଢ଼ନ୍ତୁ...ଅନ୍ୟ ଜାତିରେ ବିବାହ କରିଥିବାରୁ ଛୁଇଁଲେନି ମୃତଦେହ, ଅନ୍ତିମ ସଂସ୍କାର କଲା ସଂକଳ୍ପ ପରିବାର