ଭୁବନେଶ୍ବର:ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରେ ବାତ୍ୟା 'ଫେଙ୍ଗାଲ' ଲ୍ୟାଣ୍ଡଫଲ କରିଛି । ଏହା ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୭ କିମି ବେଗରେ ଗତି ସ୍ଥଳଭାଗ ଛୁଇଁଛି । ପୁଡୁଚେରୀ ନିକଟବର୍ତ୍ତୀ କରାଇକାଲ ଓ ମହାବଳୀପୁରମ ମଧ୍ୟରେ ଉତ୍ତର ତାମିଲନାଡୁ-ପୁଡୁଚେରୀ ଉପକୂଳ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ବାତ୍ୟା ଗତି କରିବ । ଆଗାମୀ ୩ରୁ ୪ ଘଣ୍ଟା ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୭୦-୮୦ କିମି ଠାରୁ ନେଇ ୯୦ କିମି ପର୍ଯ୍ୟନ୍ତ ରହିପାରେ । ସମ୍ଭାବ୍ୟ ବାତ୍ୟା ଉପକୂଳ ଆଡକୁ ଯିବାବେଳକୁ ଏହାର ଗତି କମିବାର ସମ୍ଭାବନା ରହିଛି । ବର୍ତ୍ତମାନ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଭାରି ବର୍ଷା ଲାଗି ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବଙ୍ଗୋପସାଗରରୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି । ଓଡ଼ିଶାରେ ଆଗାମୀ ୪ ଦିନ ଆହୁରି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆହୁରି ୪ ଦିନ ବର୍ଷା:
ରାଜ୍ୟରେ ବଦଳୁଛି ବର୍ଷାର ଗତିପଥ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା । ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଆସନ୍ତାକାଲି ୭ ଜିଲ୍ଲାରେ ବର୍ଷା ଲାଗି ରହିବ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବିକ୍ଷିପ୍ତ ବର୍ଷା ହେବା । ୨ ତାରିଖରେ ମଧ୍ୟ ୫ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା । ସେହିପରି ୩ ତାରିଖରେ କୋରାପୁଟ ଓ ମାଲକାନଗିରି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ, ଓଡ଼ିଶାରେ ଆହୁରି ୩ ଦିନ ବର୍ଷା |