ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସକାଳେ ଲଘୁଚାପରେ ପରିଣତ ହୋଇଛି । ଏହା ସହ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଲର୍ଟ ମୋଡ଼କୁ ଆସିଛି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରିସ)ଙ୍କ କାର୍ଯ୍ୟାଳୟ । ସମ୍ଭାବ୍ୟ ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପାଣିପାଗ ବିଭାଗର ସମସ୍ତ ସୂଚନା ଉପରେ ତୀକ୍ଷ୍ଣ ନଜର ରଖୁଛି ଏହି କଣ୍ଟ୍ରୋଲ ରୁମ୍ । ଏହା ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ ହେବାକୁ ଯାଉଛି । ଏଥିରେ ତମାମ ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବା ତାଲିକାରେ ଥିବା ଜିଲ୍ଲାର ଅଧିକାରୀମାନେ ସାମିଲ ହେବେ ।
- ପ୍ରଭାବିତ ଜିଲ୍ଲାକୁ ଯିବେ ବରିଷ୍ଠ ଆଇଏଏସ:-
ସାମ୍ଭାବ୍ୟ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯିବ । ବାତ୍ୟାର ଚିତ୍ର କ୍ରମଶଃ ସ୍ପଷ୍ଟ ହେବା ପରେ ସରକାର ମୁକାବିଲା ରଣନୀତିକୁ ତ୍ବରାନ୍ବିତ କରିବେ । ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀରେ ଥଇଥାନ, ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା, ଉଦ୍ଧାର ଓ ରିଲିଫ ଆଦି ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛି ।
- ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାକୁ ଯିବେ ‘ଏନଡ଼ିଆରଫ’ ଓ ‘ଓଡ୍ରାଫ:-
କେଉଁ ଜିଲ୍ଲାକୁ କେତେ ‘ଏନଡ଼ିଆରଫ’ ଓ ‘ଓଡ୍ରାଫ’ ଟିମ ଯିବ ସେନେଇ ଆଲୋଚନା ଚାଲିଛି । ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲା ସମ୍ଭାବ୍ୟ ପ୍ରଭାବିତ ତାଲିକାରେ ଥିବାରୁ ଅଧିକ ସଂଖ୍ୟାରେ ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ୍ ପଠାଯିବ । ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବ ‘ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ । ଜିଲ୍ଲାପାଳମାନେ ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ରିପୋର୍ଟ ଦେବେ । ଏହା ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇ ଦେବେ । ମଧ୍ୟାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନେବେ ଗୁରୁତ୍ୱପୂର୍ଣ୍ଣ ବୈଠକ ।