ଓଡିଶା

odisha

ETV Bharat / state

ଓଡ଼ିଶା ସରକାରଙ୍କ ବାତ୍ୟା ‘ଦାନା’ ମୁକାବିଲା: ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ, ୬ ଜିଲ୍ଲା ସମ୍ବେଦନଶୀଳ

ବାତ୍ୟା ଦାନା ପାଇଁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ୧୪ ଜିଲ୍ଲାପାଳଙ୍କୁ ଆଲର୍ଟ ଜାରି, ୬ ଆଇଏଏସଙ୍କୁ ୬ ସମ୍ବେଦନଶୀଳ ଜିଲ୍ଲାର ଦାୟିତ୍ବ ।

CYCLONE DANA
CYCLONE DANA (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର:ସାମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ରାଜ୍ୟ ସରକାରଙ୍କ ମିଶନ ଜିରୋ କାଜୁଆଲିଟି । ଏଥିପାଇଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସୂର୍ଯ୍ୟାସ୍ତ ସୁଦ୍ଧା ଶେଷ ହେବ । 6 ବରିଷ୍ଠ ଆଇଏଏସଙ୍କୁ 6 ଜିଲ୍ଲା ଦାୟିତ୍ବ ଦିଆଯାଇଥିବା ବେଳେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ଟିମ ମୁତୟନ କରାଯାଇଛି । ଏଥିସହ 6244ଟି ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇସାରିଛି । ସାମ୍ଭାବ୍ୟ ବାତ୍ୟା ଦାନାର ଚୂଡାନ୍ତ ସମୀକ୍ଷା କରି ଗତକାଲି(ମଙ୍ଗଳବାର) ଏହା କହିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର:

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ବାତ୍ୟା ଦାନର ଶେଷ ସମୀକ୍ଷା ହୋଇଛି । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ରହିବୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇନାଲ ଆଡ଼ଭାଇଜରି ଜାରି କରାଯାଇଛି । ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟରେ ବର୍ତ୍ତମାନ 6244ଟି ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇସାରିଛି । ଏଥିରେ ସ୍ଥାୟୀ ଓ ଅସ୍ଥାୟୀ ରିଲିଫ ସେଣ୍ଟର ରହିଛି । ସାମ୍ଭାବ୍ୟ ବାତ୍ୟା ପହଁଚିବା ପୂର୍ବରୁ ସମ୍ବେଦନଶୀଳ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ 10 ଲକ୍ଷ ଲୋକଙ୍କୁ ଅସ୍ଥାୟୀ ଭାବେ ଥଇଥାନ ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି । ଆଜି(ବୁଧବାର) ସକାଳୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ସାମ୍ଭାବ୍ୟ ବାତ୍ୟା ଓ ବନ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର 8647 ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନଙ୍କର 7ରୁ 15 ଦିନ ମଧ୍ୟରେ ପ୍ରସବ ସମ୍ଭାବନା ରହିଛି, ସେମାନଙ୍କୁ ଘରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।"

ସାମ୍ଭାବ୍ୟ ବାତ୍ୟା ଦାନା ପାଇଁ ସରକାରଙ୍କ ପ୍ରସ୍ତୁତି (ETV Bharat Odisha)
  • 10 ଲକ୍ଷ ଲୋକଙ୍କ ହେବ ସ୍ଥାନାନ୍ତର
  • 6244ଟି ରିଲିଫ ସେଣ୍ଟର ପ୍ରସ୍ତୁତ
  • ସ୍ଥାୟୀ ଓ ଅସ୍ଥାୟୀ ରିଲିଫ ସେଣ୍ଟର ରହିଛି
  • ପ୍ରଭାବିତ ଜିଲ୍ଲାରୁ 8647 ଜଣ ଗର୍ଭବତୀ ଚିହ୍ନଟ
  • ସୂର୍ଯ୍ୟାସ୍ତ ସୁଦ୍ଧା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

51ଟି ଓଡ୍ରାଫ ଟିମ ମୁତୟନ:

Odisha GOVT Cyclone Preparation (ETV Bharat Odisha)

ରାଜସ୍ବ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା 51ଟି ଓଡ୍ରାଫ ଟିମ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । 178ଟି ଅଗ୍ନିଶମ ଟିମ ମଧ୍ୟ ବିଭିନ୍ନ ଜିଲ୍ଲାରେ ଦାୟିତ୍ବ ନେଇଛନ୍ତି । 40ଟି ଅଗ୍ନିଶମ ଟିମ ରାସ୍ତାରେ ଅଛନ୍ତି । ଆଜି(ବୁଧବାର) ସେମାନେ ସମ୍ବେଦନଶୀଳ ସ୍ଥାନରେ ପହଁଚିଯିବେ । ବିଭିନ୍ନ ଜିଲ୍ଲାରେ 20 NDRF ଟିମ ମୋବିଲାଇଜ ହୋଇଛନ୍ତି । ବର୍ତ୍ତମାନ 19 ଟିମ ନିୟୋଜିତ ହୋଇଥିବାବେଳେ 1 NDRF ଟିମ ଷ୍ଟାଣ୍ଡବାଇରେ ଅଛନ୍ତି । ଭଟିଣ୍ଡାରୁ ଏୟାର ଲିଫ୍ଟ ହୋଇ 5ଟି NDRF ଟିମ ଭୁବେନେଶ୍ବରରେ ପହଁଚିବେ ।"

Odisha GOVT Cyclone Preparation (ETV Bharat Odisha)
  • ସାମ୍ଭାବ୍ୟ ବାତ୍ୟା ଦାନା ମୁକାବିଲା ପାଇଁ ପ୍ରସ୍ତୁତ ସରକାର
  • 51 ଓଡ୍ରାଫ ଟିମ ନିୟୋଜିତ
  • 20 ଏନଡିଆରଏଫ ଟିମ ନିୟୋଜିତ
  • 1 ଏନଡିଆରଏଫ ଟିମ ଷ୍ଟାଣ୍ଡବାଏ
  • ଭଟିଣ୍ଡାରୁ ଆସିଲେ 5ଟି NDRF ଟିମ

20 NDRF ଟିମ ନିୟୋଜିତ, କର୍ମଚାରୀଙ୍କ ପାଇଁ ବୋଡିଂ ବ୍ୟବସ୍ଥା କରିବେ ଜିଲ୍ଲାପାଳ:

ସେ ଆହୁରି ମଧ୍ୟ କହିଛନ୍ତି, "ବିପର୍ଯ୍ୟୟ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ବୋଡିଂ ଓ ଲଜିଂ ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀରେ 2ଟି, ଜଗତସିଂହପୁରରେ 3ଟି, କେନ୍ଦ୍ରାପଡାରେ 3ଟି, ଭଦ୍ରକରେ 3ଟି, ବାଲେଶ୍ଵରରେ 3ଟି, ମୟୂରଭଞ୍ଜରେ 2ଟି, କଟକରେ ଗୋଟିଏ, ଯାଜପୁରରେ ଗୋଟିଏ ଓ କେନ୍ଦୁଝରରେ ଗୋଟିଏ NDRF ଟିମ ନିୟୋଜିତ ହୋଇଛନ୍ତି । ସେହିପରି ଗଞ୍ଜାମରେ 3ଟି, ପୁରୀରେ 6ଟି, ଜଗତସିଂହପୁରରେ 6ଟି, କେନ୍ଦ୍ରାପଡାରେ 6ଟି, ଭଦ୍ରକରେ 6ଟି, ବାଲେଶ୍ଵରରେ 6ଟି, ମୟୂରଭଞ୍ଜରେ 6ଟି, କଟକରେ 3ଟି, ଖୋର୍ଦ୍ଧାରେ 6ଟି, ଯାଜପୁରରେ 3ଟି ମିଶାଇ 51 ଟି ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି ।"

Odisha GOVT Cyclone Preparation (ETV Bharat Odisha)

13ଟି ଜିଲ୍ଲାରେ ସରକାର ପ୍ରସ୍ତୁତ, 6ଟି ଜିଲ୍ଲା ସମ୍ବେଦନଶୀଳ:

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି 13 ଟି ଜିଲ୍ଲାରେ ସରକାର ପ୍ରସ୍ତୁତି କରିଛନ୍ତି । ସେଥିରୁ 6ଟି ଜିଲ୍ଲା ବେଶୀ ସମ୍ବେଦନଶୀଳ ରହିଛି । ଯେଉଁଠି ବିଶେଷ ପ୍ରଭାବ ଅନୁଭୂତ ହୋଇପାରେ । ସେଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ । ଅତୀତରେ ଉକ୍ତ ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ଅନୁଭବକୁ ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ବ୍ୟବହାର କରାଯିବ । ସେଥିପାଇଁ ସେମାନଙ୍କୁ ଉକ୍ତ ଜିଲ୍ଲା ପଠାଇବାକୁ ନିଷ୍ପତ୍ତି ହୋଇଛି ।

6 ବରିଷ୍ଠ ଆଇଏଏସଙ୍କୁ 6 ଜିଲ୍ଲା ଦାୟିତ୍ବ:

ବାଲେଶ୍ଵର ଜିଲ୍ଲାରେ ମାନସ ରଞ୍ଜନ ପାଢ଼ୀଙ୍କୁ ନିୟୋଜିତ କରାଯାଇଛି । ସେ ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ବାଲେଶ୍ଵରର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ରୋଟିର ଯୁଗ୍ମ ନିର୍ଦ୍ଦେଶକ ମନୋଜ ପାତ୍ରଙ୍କୁ ଭଦ୍ରକରେ ନିୟୋଜିତ କରାଯିବ । ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାସଙ୍କ ପୁରୀରେ ଯୋଗ ଦେବେ । ବିହନ ନିଗମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେଶ କୁମାର ନାୟକଙ୍କୁ ମୟୂରଭଞ୍ଜ ଦାୟିତ୍ବରେ ରହିବେ । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ପ୍ରଦୀପ କୁମାର ସାହୁଙ୍କୁ ଜଗତସିଂହପୁରରେ ନିୟୋଜିତ ହେବେ । ମହିଳା ଏବଂ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଜ୍ୟୋତି ଶଙ୍କର ମହାପାତ୍ରଙ୍କୁ କେନ୍ଦ୍ରାପଡା ଯିବେ ।

ଏହା ମଧ୍ୟ ପଢନ୍ତୁ:

ସମ୍ଭାବ୍ୟ ବାତ୍ୟା ଗଭୀର ଅବପାତରେ ପରିଣତ, ପାରାଦ୍ବୀପରୁ 690 କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା, ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି

ସତ ହେଲା ଭବିଷ୍ୟବାଣୀ ! ପଞ୍ଜିକାରେ ବାତ୍ୟାର ପୂର୍ବନୁମାନ..

ଅବପାତ ପରେ ବଳ ଗୋଟାଉଛି ବାତ୍ୟା ‘ଦାନା’, ଉତ୍ତର ଓଡ଼ିଶାରେ ରହିବ ଅଧିକ ପ୍ରଭାବ: ମୃତ୍ୟୁଞ୍ଜୟ ମହାପାତ୍ର

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ; ସମୀକ୍ଷା କଲେ ମନ୍ତ୍ରୀ

ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ହୋଇଛି ବ୍ୟାପକ ବ୍ୟବସ୍ଥା:

ସେହିପରି ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ସାମ୍ଭାବ୍ୟ ପ୍ରଭାବ ଥିବା ଜିଲ୍ଲାକୁ ଅନୁଭବୀ ଅଫିସରଙ୍କୁ ପଠାଯାଇଛି । ରିଲିଫ ସେଣ୍ଟରକୁ ଆସିବା ପାଇଁ ଗାଡିର ବ୍ୟବସ୍ଥା ହୋଇଛି । ଆଜି ସୂର୍ଯାସ୍ତ ପୂର୍ବରୁ ସ୍ଥାନାନ୍ତରିତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ସେଣ୍ଟରରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଛି । ରିଲିଫ ସେଣ୍ଟରରେ ଉଭୟ ପୁରୁଷ ଓ ମହିଳା ପୋଲିସ ନିୟୋଜିତ ହେବେ । ମେଡ଼ିସିନ ଆଗୁଆ ପହଁଚି ସାରିଛି । ଆଣ୍ଟି ଭେନମ ମଧ୍ୟ ବ୍ୟାପକ ଭାବେ ରଖାଯାଇଛି । ପଶୁ ସମ୍ପଦକୁ ସୁରକ୍ଷା ପାଇଁ ରିଲିଫ ସେଣ୍ଟର ନିକଟରେ ଓ ଉଚ୍ଚ ଜାଗାରେ ବ୍ୟବସ୍ଥା କରାଯାଇଛି । ଗୋ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି । ବନ୍ୟା ପରେ ଯେଉଁ ସମସ୍ୟା ହେବ ଛୋଟ ବଡ଼ ରୋଗର ପ୍ରତିଷେଧକ ପାଇଁ ବ୍ୟବସ୍ଥା ହୋଇଛି । ବାତ୍ୟା ଅଭିଜ୍ଞତା ଥିବା ସ୍ବଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । 20 ଫୁଟ ଉଚ୍ଚ ମେକାନାଇଜ ଲାଇଟ ବ୍ୟବସ୍ଥା କରାଯାଇଛି । ସଫିସେଣ୍ଟ ପେଟ୍ରୋଲ, ଡିଜେଲ ଓ କିରୋସିନ ଗଛିତ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବାତ୍ୟା ପରେ କ୍ଷୟକ୍ଷତିର ଆକଳନ ସହ ଉପଯୁକ୍ତ କ୍ଷତିପୂରଣ ସରକାର ଦେବେ ।"

ଗତକାଲି(ମଙ୍ଗଳବାର) ସାମ୍ଭାବ୍ୟ ବାତ୍ୟା ଦାନାର ଚୂଡାନ୍ତ ସମୀକ୍ଷା କରିଥିଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜୀବ ଭବନରେ ଏସଆରସି, ବିଭିନ୍ନ ବିଭାଗର ଅଧିକାରୀ, ବାତ୍ୟା ପରିଚାଳନାରେ ନିୟୋଜିତ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇନାଲ ଆଡ଼ଭାଇଜରି ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details