ଓଡିଶା

odisha

ETV Bharat / state

ଭଦ୍ରକରେ ଏବେ ବି ସ୍ଥିତି ଗମ୍ଭୀର: ଆଜି ସବୁ ଶିକ୍ଷାନୁଷ୍ଠାନ ବନ୍ଦ, ଆଶ୍ରୟସ୍ଥଳୀ ଛାଡିବେନି ପ୍ରଭାବିତ

ବାତ୍ୟା ପରେ ଭଦ୍ରକରେ ପ୍ରବଳ ବର୍ଷା ଜାରି । ଏବେ ବି ଆଶ୍ରୟସ୍ଥଳୀରେ ରହିଛନ୍ତି ପ୍ରଭାବିତ । ଆଜି ମଧ୍ୟ ସ୍କୁଲ-କଲେଜ ଛୁଟି ।

ଭଦ୍ରକରେ ସ୍ଥିତି ଏବେ ବି ଗମ୍ଭୀର
ଭଦ୍ରକରେ ସ୍ଥିତି ଏବେ ବି ଗମ୍ଭୀର (ETV Bharat Odisha)

By ETV Bharat Odisha Team

Published : 4 hours ago

ଭଦ୍ରକ: ବାତ୍ୟା ‘ଦାନା’ ପ୍ରଭାବିତ ଭଦ୍ରକ ଜିଲ୍ଲାରେ ଏବେ ବି ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନି । ପ୍ରବଳ ବର୍ଷା ଆଲର୍ଟ ମଧ୍ୟରେ ରହିଛି ଜିଲ୍ଲା । ଏଥିପାଇଁ ଆଜି ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବା ସହ ସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ ଆଶ୍ରୟସ୍ଥଳୀ ଗୁଡିକରେ ପ୍ରଭାବିତ ତଥା ସ୍ଥାନାନ୍ତରିତ ଲୋକଙ୍କୁ ରଖାଯାଇଛି । ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଓ ଅନ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

  • ଗୁରୁବାର ଠାରୁ ଜାରି ରହିଛି ବର୍ଷା:-

ବାତ୍ୟା ‘ଦାନା’ ପ୍ରଭାବରେ ଜିଲ୍ଲାରେ ଗୁରୁବାର (୨୪ ତାରିଖ)ଠାରୁ ଅଦ୍ୟାବଧି ପ୍ରବଳ ବର୍ଷା ଲାଗି ରହିବା ସହିତ ପବନ ମଧ୍ୟ ବହୁଛି । ଗୁରୁବାର ଜିଲ୍ଲାର ସମସ୍ତ 7ଟି ବ୍ଲକ ଅଞ୍ଚଳରେ ମୋଟ 420 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପ୍ରବେଶ କରି ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଛି । ଗୁରୁବାର ରାତି ଠାରୁ ବର୍ଷାର ମାତ୍ରା ବଢିବାରେ ଲାଗିଛି । ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଗାଡି ମୋଟର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।

ଭଦ୍ରକରେ ସ୍ଥିତି ଏବେ ବି ଗମ୍ଭୀର (ETV Bharat Odisha)

ବାତ୍ୟାରେ ଜନ୍ମ ନେଲେ 78 ଶିଶୁ:-

ବାତ୍ୟା ଲ୍ୟାଣ୍ଡଫଲ କରିବା ଦିନ (ଗୁରୁବାର) ରାତିରେ 78ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ସେମାନେ ଜିଲ୍ଲାର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବା ଓ ସୁସ୍ଥ ଥିବା ସୂଚନା ମିଳିଛି । ତେବେ ଏହି ବାତ୍ୟା ପ୍ରଭାବରେ ବାସୁଦେବପୁର, ଚାନ୍ଦବାଲି, ତିହିଡି, ଭଣ୍ଡାରିପୋଖରୀ, ଧାମନଗର ଏବଂ ଭଦ୍ରକ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାସୁଦେବପୁର ଏବଂ ଚାନ୍ଦବାଲି ଅଞ୍ଚଳରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି । ଭଦ୍ରକ-ବାସୁଦେବପୁର, ବାସୁଦେବପୁର-ପଢୁଆଁ, ବାସୁଦେବପୁର-ଚୂଡ଼ାମଣି, ପଦ୍ମପୁର-ବିରସ, ରାଜଘର ପୋଖରୀ-ନୟାକଣୀଡିହକୁ ସଂଯୋଗ କରୁଥିବା ରାସ୍ତାରେ ବଡ଼ ବଡ଼ ଗଛ ଉପୁଡି ଯୋଗାଯୋଗ ବିଛିନ୍ନ ହୋଇଛି । ବଡ଼ ବଡ଼ ବିଦ୍ୟୁତ ଖୁଣ୍ଟ ଏବଂ ତାର ଛିଡି ରାସ୍ତା ଉପରେ ପଡିଛି । ଅନେକ ସ୍ଥାନରେ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଛି ।

ଭଦ୍ରକରେ ସ୍ଥିତି ଏବେ ବି ଗମ୍ଭୀର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଦୁର୍ବଳ ହେଲା 'ଦାନା', ଲଘୁଚାପରେ ପରିଣତ, ୪ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ, ପ୍ରବଳ ବର୍ଷିବ

ଏହା ମଧ୍ୟ ପଢନ୍ତୁ-ଦୁର୍ବଳ ହେଲା ବାତ୍ୟା ‘ଦାନା’; 24 ଘଣ୍ଟା ବର୍ଷିବ, ଘଣ୍ଟା ପ୍ରତି 7କିମି ବେଗରେ ଉତ୍ତର ଓଡ଼ିଶାର ପଶ୍ଚିମ ଦିଗକୁ ଗତି କରୁଛି

  • ପବନ ମାଡରେ ଶୋଇଗଲା ଧାନ ଫସଲ

ପ୍ରବଳ ପବନ ଯୋଗୁ ଶହ ଶହ ହେକ୍ଟର ଜମିରେ ଧାନ ଫସଲ ଶୋଇପଡିଛି । ଥୋଡ଼ ଧାନ ପାଣିରେ ଶୋଇ ଯାଇଥିବାରୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯିବାର ଆଶଙ୍କା ଥିବାରୁ ଚାଷୀମାନେ ହତାଶ ହୋଇପଡିଛନ୍ତି । ଅବିରତ ବର୍ଷା ଏବଂ ପବନ ଲାଗି ରହିଥିବାରୁ ସ୍ଥାନାନ୍ତରିତ ହୋଇ ଥିବା ଲୋକେ ଏବେବି ବାତ୍ୟା ଆଶ୍ରୟସ୍ଥଳରେ ରହିଛନ୍ତି । ସେମାନଙ୍କୁ ତିନି ଦିନ ହେବ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି । ଅନ୍ୟପକ୍ଷରେ ସବୁ ରାସ୍ତାରୁ ଗଛ କାଟି ସଫା କରିବା ସହିତ ଭାଙ୍ଗି ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଉଠାଇବା ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଆହୁରି ଗୋଟିଏ ଦିନ ଲାଗିବ ବୋଲି ଜଣାଯାଇଛି ।

ଭଦ୍ରକରେ ସ୍ଥିତି ଏବେ ବି ଗମ୍ଭୀର (ETV Bharat Odisha)
  • ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ପୁନରୁଦ୍ଧାର କାର୍ଯ୍ୟରେ 3ଟି NDRAF ଟିମ, 2ଟି ODRAF ଟିମର 6ଟି ସବ-ଟିମ, 16 ଗୋଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ସେମାନେ ଏବେ ପ୍ରମୁଖ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି । ଜିଲ୍ଲା ଓ ବିଭିନ୍ନ ବ୍ଲକ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ବ୍ଲକରେ ଉପସ୍ଥିତି ରହି ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ତେବେ ଆସନ୍ତାକାଲି ସୁଦ୍ଧା ସମସ୍ତ ସ୍ଥିତି ସାମାନ୍ୟ ହୋଇଯିବ ବୋଲି ଆଶା ପ୍ରକାଶ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ।

ଭଦ୍ରକରେ ସ୍ଥିତି ଏବେ ବି ଗମ୍ଭୀର (ETV Bharat Odisha)

ଏହା ବି ପଢନ୍ତୁ- ସରିଲା ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପ୍ରକ୍ରିୟା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷା ଆଲର୍ଟ

ଏହା ମଧ୍ୟ ପଢନ୍ତୁ-DANA LANDFALL LIVE UPDATES: ଦୁର୍ବଳ ହେଲା 'ଦାନା', ଭଦ୍ରକରେ ସର୍ବାଧିକ କ୍ଷତି, ବାତ୍ୟା ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ


ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details