ଓଡିଶା

odisha

ETV Bharat / state

ସାବାଡ଼ ହେବେ ସାଇବର ଠକ, ସାଇବର କମାଣ୍ଡୋ ଟ୍ରେନିଂରେ ଓଡ଼ିଶାରୁ ୭

ଦେଶରୁ ଦମନ ହେବେ ସାଇବର ଠକ । ସାଇବର ଠକେଇ ମୁକାବିଲା ପାଇଁ ଟ୍ରେନିଂ ନେଉଛନ୍ତି ସାଇବର କମାଣ୍ଡୋ ।

Cyber Commando Training
Cyber Commando Training (ETV Bharat Odisha)

By ETV Bharat Odisha Team

Published : 16 hours ago

ଭୁବନେଶ୍ବର:ଦେଶରେ ଆର୍ଥିକ ସ୍ଥିତି ଉପରେ ସାଇବର ଠକଙ୍କ ନଜର । ଭିନ୍ନ ଭିନ୍ନ ତରିକାରେ ଲୁଟୁଛନ୍ତି ସାଇବର ଠକ । ନୂଆ ନୂଆ ଚାଲରେ ଆର୍ଥିକ କାରବାର ଦୁର୍ବଳ କରୁଛନ୍ତି । ସାଇବର ଠକେଇକୁ ମୁକାବିଲା କରିବା ରାଜ୍ୟ ଓ ଦେଶ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି । ସାରା ଦେଶରେ ସାଇବର ଠକଙ୍କୁ ଦମନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସାଇବର କମାଣ୍ଡୋ । ଏହି କ୍ରମରେ ଓଡିଶାରୁ ୭ ଜଣ ରାଜ୍ୟ ବାହାରେ ସାଇବର‌ କମାଣ୍ଡୋ ତାଲିମ ନେଉଛନ୍ତି ।


୭ ପୋଲିସ ସାଇବର‌ କମାଣ୍ଡୋ ପାଇଁ ଚୟନ:

କ୍ରାଇମବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର କହିଛନ୍ତି, "ସାଇବର ଫ୍ରଡ ମୁକାବିଲା କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ କାର୍ଯକ୍ରମ ଅଧିନରେ କ୍ରାଇମବ୍ରାଞ୍ଚ ଅଫିସରଙ୍କ ମଧ୍ୟରେ ଏକ ପରୀକ୍ଷା କରାଯାଇ ରାଜ୍ୟରୁ ୭ ଜଣ ପୋଲିସ କର୍ମଚାରୀଙ୍କୁ ସାଇବର‌ କମାଣ୍ଡୋ ପାଇଁ ଚୟନ କରାଯାଇଛି । ଯେଉଁମାନେ ତାଲିମ ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ଏଏସଆଇ ଓ ୪ ଜଣ ଏସଆଇ ଅଛନ୍ତି । ବର୍ତ୍ତମାନ କେଉଁ କେଉଁ ସାଇବର କ୍ରାଇମ୍ ରହିଛି ସେସବୁ ମୁକାବିଲା ପାଇଁ ଜ୍ଞାନ ଆହରଣ କରୁଛନ୍ତି । ଆଗାମୀ ଦିନରେ ସେମାନେ ସାଇବର ମୁକାବିଲା ଦିଗରେ କାମ କରିବେ । ସେମାନଙ୍କର ତାଲିମ ଶେଷ ପରେ ପରବର୍ତ୍ତୀ ବ୍ୟାଚ ଚୟନ ହୋଇ ପୁଣି ତାଲିମ ପାଇଁ ଯିବେ । ଏଭଳି ଭାବେ ଅନେକ ରାଜ୍ୟର ମଧ୍ୟ ପିଲା ତାଲିମ ନେଉଛନ୍ତି । କିଭଳି ସାଇବର ମୁକାବିଲା କ୍ଷେତ୍ରରେ ପଦକ୍ଷେପ ନେଇ ହେବ, ଏହା ଏବେ ଦେଶ ପାଇଁ ଚ୍ୟାଲେଞ୍ଜ ହୋଇଛି ।"

cyber commando training (ETV Bharat Odisha)
ସାଇବର ମୁକାବିଲା ନେଇ DG-IG ସମ୍ମିଳନୀରେ ଆଲୋଚନା:

ନିକଟରେ ହୋଇଥିବା ଡିଜି ଆଇଜି ସମ୍ମିଳନୀରେ ସାଇବର ମୁକାବିଲା ଉପରେ ଗୁରୁତ୍ବ ଦିଆଯାଇଥିଲା । ଯେଉଁଠି ଦେଶରେ ସାଇବର ଠକେଇ, ଆର୍ଟିଫିସିଆଲ ଇଣ୍ଟେଲିଜେନସ, ଡିପ ଫେକ ଭଳି ସମସ୍ୟା ଓ ଟେକ୍ନୋଲୋଜି ଉପରେ ପ୍ରଧାନମନ୍ତ୍ରୀ ସମସ୍ତ ଡିଜି ଆଇଜିଙ୍କ ସହ ଆଲୋଚନା କରିଥିଲେ । ଏନେଇ ଏକ ସ୍ବତନ୍ତ୍ର ପଦକ୍ଷେପ ନେବା ପାଇଁ ଗୁରୁମନ୍ତ୍ର ଦେଇଥିଲେ । ଆଗକୁ କ'ଣ ସବୁ ପଦକ୍ଷେପ ନିଆଯିବ ସେ ଦିଗରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା । ଯେଭଳି ସାଇବର ଫ୍ରଡ ଓ ସାଇବର କ୍ରାଇମ୍ ବର୍ତ୍ତମାନ ଦିନରେ ଏକ ବଡ଼ ସମସ୍ୟା ପାଲଟିଛି । ଯାହାକୁ ମୁକାବିଲା କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ରହିଛି ।


ଏବେ ଡିଜିଟାଲ ପାଟ୍ରୋଲିଂ:

ଦିନକୁ ଦିନ ବଢୁଥିବା ସାଇବର ଅପରାଧ ଦେଖି ସାଇବର ଠକଙ୍କ ଉପରେ ନଜର ରଖିବା ପାଇଁଁ ପୋଲିସ ସାଇବର ପାଟ୍ରୋଲିଂ ଆରମ୍ଭ କରିଛି । ଏନେଇ ରିତିମତ ଆସୁଥିବା ସାଇବର ଅପରାଧ ସମ୍ପର୍କିତ ଅଭିଯୋଗକୁ ଅଲଗା ଅଲଗା କରି ଅର୍ଥାତ୍ ଅର୍ଥନୈତିକ ଅପରାଧ ଓ ବ୍ୟକ୍ତିଗତ ବା ସାମାଜିକ ଚରିତ୍ର ସଂହାର କରିବା, ରାଜନୈତିକ ଆକ୍ରୋଶ ବା ଦେଶ ବିରୋଧି ପୋଷ୍ଟ ଆଦି ଉପରେ ନଜର ରଖିବା ପାଇଁଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ଟିମ୍ ରିତିମତ ଭାବେ ଡିଜିଟାଲ ପାଟ୍ରୋଲ ଜାରି ରଖିଛନ୍ତି । ସମସ୍ତ ଜିଲ୍ଲାର ଏସପି ଅଫିସ ସହିତ ଯୋଗାଯୋଗରେ ରହି ସରକାରୀ, ବେସରକାରୀ ବା ବଡ଼ ଧରଣର ସାଇବର ଅପରାଧ ଜନିତ ଅଭିଯୋଗକୁ ସାଇବର ନେଟୱର୍କ ସହିତ ସଶ୍ଳିଷ୍ଟ ଥିବା ସୋସିଆଲ ମିଡିଆ ଅପରେଟର ଓ ସର୍ଭିସ ପ୍ରୋଭାଇଡରଙ୍କ ମାଧ୍ଯମରେ ତୁରନ୍ତ ବ୍ଲକ ବା ରିପୋର୍ଟ କରିବା ପାଇଁ ପ୍ରକ୍ରିୟା ଜାରି ରଖୁଛନ୍ତି ।

cyber commando training (ETV Bharat Odisha)



ଆହୁରି ୩୦ଟି ସାଇବର‌ ଥାନା:

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ଟି ଜିଲ୍ଲାରେ ୧୪ଟି ସାଇବର ଥାନା ଅର୍ଥାତ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା ରହିଛି । ଭୁବନେଶ୍ବର ସହରାଞ୍ଚଳ, କଟକ ସହରାଞ୍ଚଳ, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୋଳ, ବାଲେଶ୍ବର, ମୟୂରଭଞ୍ଜ, ପୁରୀ, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ କନ୍ଧମାଳ ଠାରେ ଏହି ଥାନା ପ୍ରତିଷ୍ଠା ହୋଇଛି । ସାଇବର ଠକେଇର ବ୍ୟାପକ ଭୟାବହତା ଦେଖି ଆଗକୁ ଆହୁରି ୩୦ଟି ଜିଲ୍ଲାରେ ସାଇବର‌ ଥାନା ପ୍ରତିଷ୍ଠା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।


ସାଇବର ଠକେଇ ହେଲ୍ପ ଲାଇନ ନମ୍ବର:

ସାଇବର ଠକେଇ ଜନିତ ଅଭିଯୋଗ ଆସିଲେ ତୁରନ୍ତ ୧୯୩୦ ହେଲ୍ପ ଲାଇନରେ ଯୋଗାଯୋଗ କରି ଅଭିଯୋଗକୁ ତୁରନ୍ତ ରିପୋର୍ଟ କରିବା ପାଇ‌ଁ ଥାନାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ପରେ ନ୍ୟାସନାଲ ସାଇବର କ୍ରାଇମ ରିପୋଟିଂ, ପୋର୍ଟାଲ www.cybercrime.gov.in ମାଧ୍ୟମରେ କିପରି ଲୋକମାନେ ସମସ୍ତ ସାଇବର ଅପରାଧ ସମ୍ବନ୍ଧୀୟ ତଥ୍ୟ ଦେଇପାରିବେ ବା ଅଭିଯୋଗ କରିପାରିବେ ସେନେଇ ସୁବିଧା ରହିଛି । ବିଶେଷକରି ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ଘଟୁଥିବା ସାଇବର ଅପରାଧଗୁଡ଼ିକୁ ଯାହା ଗୋପନୀୟ ତାକୁ କିପରି ଅନଲାଇନ୍ ମାଧ୍ୟମରେ ଦାଏର କରିପାରିବେ ସେନେଇ ମଧ୍ୟ ସୁବିଧା ରହିଛି ।

cyber commando training (ETV Bharat Odisha)
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ:

ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଗତବର୍ଷ ୨୦୨୩ରେ ୨୩୪୮ଟି ମାମଲା ପଞ୍ଜିକୃତ ହୋଇଥିଲା । ଏଥିରେ ୫୨୨ ଜଣ ଗିରଫ ହୋଇଥିଲେ । ଯେଉଁଠି ୪୭ କୋଟି ୯୪ ଲକ୍ଷ ୫୦ ହଜାର ୧୭୮ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏହା ମଧ୍ୟରୁ ୧କୋଟି ୫୨ ଲକ୍ଷ ୫୯ ହଜାର ୯୬୫ ଟଙ୍କା ପୋଲିସ ଫେରିପାଇବାରେ ସଫଳ ହୋଇଥିଲା । ସେହିପରି ଏହା ପୂର୍ବ ବର୍ଷର ତଥ୍ୟ ଅନୁସାରେ, ୨୦୨୨ରେ ୧୯୮୩ଟି ମାମଲା ପଞ୍ଜିକୃତ ହୋଇଥିଲା । ୪୪୧ ଜଣଙ୍କୁ ଗିରଫ କରଯାଇଥିଲା । ଯେଉଁଠି ୩୭ କୋଟି ୨୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏହା ମଧ୍ୟରୁ ୯୭ ଲକ୍ଷ ୩୦ ହଜାର ୫୮୨ ଟଙ୍କା ଫେରିପାଇବାରେ ପୋଲିସ ସଫଳ ହୋଇଥିଲା ।

ସାଇବର ଠକେଇ ସଚେତନ:

ଭୁବନେଶ୍ବର ସାଇବର କମ୍ପ୍ଲେକ୍ସରେ ୧୯୩୦ ସାଇବର କ୍ରାଇମ ସହାୟତା ହେଲ୍ପଲାଇନ କଲ୍ ସେଣ୍ଟର ପ୍ରତିଷ୍ଠା କରାଯାଇଅଛି । ସେଠାରେ 24 X 7 ୩ଟି ସିଫ୍ଟରେ ଟେଲିଫୋନ ମାଧ୍ୟମରେ ଅଭାଯୋଗ‌କାରୀଙ୍କଠାରୁ ଅଭିଯୋଗ ଗ୍ରହଣ କରାଯାଉଛି । ନ୍ୟାସନାଲ ସାଇବର କ୍ରାଇମ୍ ପୋର୍ଟାଲରେ କିପରି ତୁରନ୍ତ ଅଭିଯୋଗ କରି ଠକେଇ ଟଙ୍କାକୁ ବ୍ରିଜ କରିବା ବା ତୁରନ୍ତ ଠକର ନମ୍ବର ଓ ଟଙ୍କା ପଠାଯାଉଥିବା ଆକାଉଣ୍ଟରେ ଟ୍ରାନାଜାକ୍ସନକୁ ରୋକିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି । ୨୦୨୩ରେ ରାଜ୍ୟସ୍ତରୀୟ ସାଇବର ସୁରକ୍ଷା ଅଭିଯାନ କରି ୩୦ଟି ଜିଲ୍ଲାରେ ୩୪ଟି ସାଇବର ସୁରକ୍ଷା ରଥ ଜରିଆରେ ସାଇବର ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ‌ କରିଥିଲା । ରୋଡ୍ ରନ୍, ସାଇକ୍ଲୋଥନ ଏବଂ ପଦଯାତ୍ରା ଜରିଆରେ କିଭଳି ସାଇବର ଠକେଠୁ ଦୂରେଇ ରହିବେ ସେନେଇ ମଧ୍ୟ ଅବଗତ କରାଯାଉଛି । ଏନେଇ ମାସ୍କଟ୍ ‘ସାଇରା' କରି କାମ୍ପେନ କରିଥିଲା ଓଡ଼ିଶା ପୋଲିସ । ଏପରିକି "ସାଇବର କପ୍ ଓଡ଼ିଶା" ନାମକ ଏକ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଜରିଆରେ ମଧ୍ୟ ରିତିମତ ଭାବେ‌ ନୂଆନୂଆ ଅପରାଧର ଟ୍ରେଣ୍ଡ ନେଇ ସଚେତନ କରାଯାଉଛି ।

ସରକାରଙ୍କ ତଥ୍ୟ ଅନୁସାରେ, ୧୯୩୦ ସାଇବର ଅପରାଧ ହେଲ୍ପ ଲାଇନ, ସୋସିଆଲ ମିଡିଆ ୟୁନିଟ, ଶିଶୁ ଓ ମହିଳା ଅନ୍ ଲାଇନ ଅପବ୍ୟବହାର ମନିଟରିଂ ସେଲ, ସାଇବର ତଦନ୍ତ ପାଇଁ ସ୍ବତନ୍ତ୍ର ୟୁନିଟ, ସାଇବର ତଦନ୍ତ ସହାୟକ ବିଭାଗ, ମନିଟରିଂ ଏବଂ ସମନ୍ୱୟ ବିଭାଗ, ସାଇବର ଫରେନ୍ସିକ ବିଭାଗ, ସାଇବର ତାଲିମ ବିଭାଗ, ସାଇବର ସୁରକ୍ଷା ବିଭାଗ ପ୍ରତିଷ୍ଠା କରି ସାଇବର କ୍ରଇମ ରୋକିବା ପାଇଁ ପଦଷେପ ନିଆଯାଉଛି । ଆଗକୁ ଏକ ବଡ଼ ପଦକ୍ଷେପ ନେବାକୁ ଯୋଜନା ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ...ସାଇବର ଠକେଇର ଶିକାର 84ବର୍ଷୀୟ ବୃଦ୍ଧ; ହରାଇଲେ 2.88କୋଟି ଟଙ୍କା; ଘଟଣା କଣ ଜାଣନ୍ତୁ

ଏହା ମଧ୍ୟ ପଢ଼ନ୍ତୁ...କ୍ରାଇମବ୍ରାଞ୍ଚ କବଜାରେ ବଡ଼ ସାଇବର ଠକେଇ, ୨୪ ଗିରଫ, JSW ଅଧିକାରୀ ହୋଇଥିଲେ ଶୀକାର

ବିଦେଶରୁ ଆସୁଛି ଫ୍ରଡ କଲ:

ପୂର୍ବରୁ ଫ୍ରଡ କଲର ୬୦ ପ୍ରତିଶତ ଦିଲ୍ଲୀ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଆସୁଥିଲା । ଯେଉଁଥିରେ ସବୁଠୁ ଅଧିକ କଲ ଦିଲ୍ଲୀ, ପଞ୍ଜାବ ବର୍ଡର, ଝାଡଖଣ୍ଡର ଜାମତାରା, ଧାନବାଦ ଓ ପଶ୍ଚିମବଙ୍ଗର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆସୁଥିଲା । ତୁରନ୍ତ ଫ୍ରଡ ନମ୍ବର ରିପୋର୍ଟ ଯୋଗୁଁ ଟେଲିକମ ଅପରେଟରଙ୍କ ଦ୍ବାରା କଡ଼ା ଆଭିମୁଖ୍ୟ ଦ୍ବାରା ଏବେ ଅଧିକାଂଶ ଫୋନ କଲ ଦେଶ ଭିତରୁ ନୁହେଁ ବରଂ ଇଣ୍ଟରନେଟ କଲ ବା ଅନଲାଇନ କଲ ହ୍ବାଟସପ, ଟେଲିଗ୍ରାମ ଓ ମେସେଞ୍ଜର ଭଳି କଲ ଜରିଆରେ ଦେଶ ବାହାରେ ଥାଇ ଠକେଇ କରୁଛନ୍ତି । ସାଇବର ଠକମାନେ ଦେଶ ବାହାରୁ ଥାଇ ଅପରେଟ କରୁଛନ୍ତି ।

ବ୍ୟାଙ୍କ ଆକାଉଣ୍ଟ ଓ ସିମକାର୍ଡ ଅପବ୍ୟବହାର:

ଅନେକ ସଯୟରେ ଦେଖିବାକୁ ମିଳୁଛି ଯେ, ସାଇବର‌ ଠକମାନେ ଆକାଉଣ୍ଟ ଓ ମୋବାଇଲ ନମ୍ବର ଠକାମୀ ପାଇଁ ବ୍ୟବହାର କରୁଛନ୍ତି । ଟଙ୍କା ଠକିବା ପାଇଁ ଅନଲାଇନ କଲ ମାଧ୍ୟମରେ ଆକାଉଣ୍ଟ ବ୍ୟବହାର କରି ଠକି ନେଉଛନ୍ତି । ଏଥିପାଇଁ ନିରିହ ଲୋକଙ୍କୁ ବ୍ୟବହାର କରି ସେମାନଙ୍କ ନାଁରେ ଆକାଉଣ୍ଟ ଖୋଲି ବା ସିମକାର୍ଡ ଓଟିପି ନେଇ କମିଶନ ଆଧାରରେ ଏଭଳି ଠକାମୀ ପାଇଁ ବ୍ୟାଙ୍କ ଆକାଉଣ୍ଟ ଓ ସିମକାର୍ଡର ଅପବ୍ୟବହାର କରୁଛନ୍ତି ।‌ ଏନେଇ ଅନେକ ସମୟରେ ଏଭଳି ଆକାଉଣ୍ଟ ବ୍ୟବହାରକାରୀ ଧରା ପଡୁଛନ୍ତି । ହେଲେ ସେମାନଙ୍କର ଆକାଉଣ୍ଟକୁ ଠକମାନେ କିଛି କମିସନ ଆଧାରରେ ଆକାଉଣ୍ଟକୁ ବ୍ୟବହାର କରି ଠକେଇ କରୁଛନ୍ତି ବୋଲି ସାଇବର ଏକ୍ସପର୍ଟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details