କଟକ:ବାଲିଯାତ୍ରା ପାଇଁ ନିଜ ଆଡୁ ଟେଣ୍ଡର ଡାକି ହରଡ଼ ଘଣାରେ ପଡିଛି କଟକ ମହାନଗର ପ୍ରଶାସନ । କାଉନସିଲର ବିନା ଅନୁମୋଦନରେ କିପରି ଟେଣ୍ଡର ହେଲା ବୋଲି ବିଭିନ୍ନ ମହାଲରୁ ପ୍ରଶ୍ନ ହୋଇଛି । ଯାହାଦ୍ୱାରା ଚାପଗ୍ରସ୍ତ ହୋଇ ଟେଣ୍ଡର ବାତିଲ କରିଛନ୍ତି ସିଏମସି କର୍ତ୍ତୃପକ୍ଷ । ସିଏମସି ୨ କୋଟି ଟଙ୍କାର ଟେଣ୍ଡର ଡାକିବା ଓ ପରେ ତାକୁ ରଦ୍ଦ କରିବାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ କଟକ ମେୟର ବାବୁ ସିଂ ସ୍ପଷ୍ଟୀକରଣ ରଖିଥିବା ବେଳେ ବାଲିଯାତ୍ରା ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ।
କାହିଁକି ବାତିଲ ହେଲା ୨ କୋଟିର ଟେଣ୍ଡର:
ମେୟର ସୁବାଷ ସିଂ କହିଛନ୍ତି,"ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ବାଲିଯାତ୍ରା ସମନ୍ୱୟ କମିଟି ଜରିଆରେ ସମସ୍ତ ଖର୍ଚ୍ଚ ହେବ । ସିଏମସି, ସ୍ୱାସ୍ଥ୍ୟ ବିଭାଗ ଏବଂ ଯନ୍ତ୍ରୀ ବିଭାଗ ପକ୍ଷରୁ 15ଟି କାମ ପାଇଁ ଟେଣ୍ଡର ହୋଇଥିଲା । ସେଥିମଧ୍ୟରେ ଯାତ୍ରା ପଡିଆର 30 ଦିନ ସଫେଇ କାର୍ଯ୍ୟ ଏବଂ ୨୦୦ ଅସ୍ଥାୟୀ ଶୌଚାଳୟ ପାଇଁ ପ୍ରାୟ ୯୦ ଲକ୍ଷ ଟଙ୍କାର ଟେଣ୍ଡର ଡକାଯାଇଥିଲା । ସେହିପରି ବାଲିଯାତ୍ରା ପଡିଆରେ କେମିକାଲ ସ୍ପ୍ରେ, ଧୂଳି ନିୟନ୍ତ୍ରଣ ଇତ୍ୟାଦି କାର୍ଯ୍ୟ ରହିଥିଲା । ସବୁକିଛି ମିଶାଇଲେ ପ୍ରାୟ ୨ କୋଟି ଟଙ୍କାର କାମ ପାଇଁ ଟେଣ୍ଡର ଚୂଡାନ୍ତ ହୋଇସାରିଥିଲା । ଏବେ କିନ୍ତୁ ତାହା ବାତିଲ କରାଯାଇଛି । କଟକ ଜିଲ୍ଲା ପ୍ରଶାସନ, ସିଏମସି ଓ ସଂସ୍କୃତି ବିଭାଗକୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯାଇଛି । ଯେଉଁଥିରେ ଜିଲ୍ଲାପାଳ ଅଧ୍ୟକ୍ଷ ଓ ସିଏମସି କମିଶନର ଆବାହକ ରହିଛନ୍ତି । ସମନ୍ୱୟ କମିଟି ଜରିଆରେ ସମସ୍ତ ଖର୍ଚ୍ଚ ହେବ ।"
ଟେଣ୍ଡରକୁ ନେଇ ପ୍ରଶ୍ନ ଉଠାଇଲେ କର୍ପୋରେଟର:
ଗତ ବାଲିଯାତ୍ରା ଦୁର୍ନୀତିର ତଦନ୍ତ ରିପୋର୍ଟ ଆସିନଥିବା ବେଳେ ସିଏମସି କିପରି ନୂତନ ଟେଣ୍ଡର ଡାକିଲା ତାକୁ ନେଇ ବିରୋଧୀ କର୍ପୋରେଟର ପ୍ରଶ୍ନ କରିଛନ୍ତି । ସେପଟେ ମେୟର ଭୁଲ୍ ତଥ୍ୟ ଦେଇ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଜେଡି କର୍ପୋରେଟର । କର୍ପୋରେଟର ସନ୍ତୋଷ ଭୋଳ କହିଛନ୍ତି,"ସିଏମସି କାଉନସିଲର ବିନା ଅନୁମୋଦନରେ ବାଲିଯାତ୍ରା ଟେଣ୍ଡର ଡାକିବା ସିଏମସିର ଭୁଲ୍ । ଏଥର ମଧ୍ୟ ବାଲିଯାତ୍ରା ପାଇଁ ସିଏମସି ଖର୍ଚ୍ଚ କରିଥାନ୍ତା ପ୍ରାୟ ଦୁଇରୁ ଅଢେଇ କୋଟି ଟଙ୍କା । ସେଥିପାଇଁ ପ୍ରାୟ 1 କୋଟି 62 ଲକ୍ଷ ଟଙ୍କାର କାମ ପାଇଁ ଟେଣ୍ଡର ଡକା ସାରିଥିଲା । ହେଲେ ବିନା କାଉନସିଲ ଅନୁମୋଦନ କିମ୍ବା ଷ୍ଟାଣ୍ଡିଙ୍ଗ କମିଟିର ବିନା ମଞ୍ଜୁରୀରେ କିପରି ଟେଣ୍ଡର ଡକାଗଲା ଏବଂ ବାତିଲ କରାଗଲା ।"