କଟକ:30 ଘଣ୍ଟାର ଲୁଚକାଳୀ ଖେଳ ପରେ କନ୍ଦରପୁର ହତ୍ୟା ଘଟଣା ଉପରୁ ଉଠିଲା ପରଦା । ଟ୍ୟାଗ ଧରାଇ ଦେଲା ଅଭିଯୁକ୍ତର ଠିକଣା । ରାଜ୍ୟ ବାହାରର ପୋଲିସ ସହାୟତାରେ ଅଭିଯୁକ୍ତ ସ୍ବାମୀ ଦିଅରକୁ ବାନ୍ଧିଲା କମିଶନରେଟ ପୋଲିସ । କେମିତି ଥିଲା ପୂରା ଅପରେସନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଓ କଟକ ଡିସିପି ଜଗମୋହନ ମୀନା ।
ନଦୀ ପଠାରୁ ମିଳିଥିଲା ରକ୍ତାକ୍ତ ମୃତଦେହ:
ଗତ ଦୁଇ ଦିନ ତଳେ କଟକ ପରମହଂସ ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶରୀରରେ ଗଭୀର କ୍ଷତ ଚିହ୍ନ ଥିବା ବେଳେ ହାତରେ ମହିଳା ଟାଟୁ କରିଥିବା ଦେଖିବାକୁ ମିଳିଥିଲା । ପ୍ରାଥମିକ ତଦନ୍ତରୁ ଏହାକୁ ହତ୍ୟାକାଣ୍ଡ ବୋଲି ଅନୁମାନ କରି ତଦନ୍ତ ଚଳାଇଥିଲା ପୋଲିସ । ମହିଳାଙ୍କ ପରିଚୟ ମିଳିନଥିଲା । ହେଲେ ମହିଳାଙ୍କ ମୃତଦେହ ଏଠାକୁ କେମିତି ଆସିଲା । ଏହି ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଥିଲା ।
ପରକୀୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା:
ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଥିଲା ବୋଲି ପୋଲିସ ସୂଚନା ଦେଇଛି । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ । ହତ୍ୟାକାଣ୍ଡରେ ସାମିଲ ଥିଲେ ମହିଳାଙ୍କ ସ୍ବାମୀ ଓ ଦୁଇ ଦିଅର । ମୃତ ମହିଳା ହେଲେ ପଦ୍ମାବତୀ ସାମଲ, ଘର କେନ୍ଦ୍ରାପଡାର ମହାକାଳପଡା । ଗିରଫ 3 ଅଭିଯୁକ୍ତ ହେଲେ ସ୍ୱାମୀ ବଳରାମ ଦେହୁରୀ, ଦୁଇ ଦିଅର ଜଗନ୍ନାଥ ଦେହୁରୀ ଓ ହାପି ଦେହୁରୀ ।
ଅଭିଯୁକ୍ତଙ୍କ ଠିକଣା କହିଲା ସାର୍ଟରେ ଥିବା ଟ୍ୟାଗ:
ମୃତଦେହ ଉଦ୍ଧାର ବେଳେ ଘଟଣାସ୍ଥଳରୁ ସାର୍ଟ ପାଣ୍ଟ ଜବତ କରିଥିଲା ପୋଲିସ । ସାର୍ଟରେ ଏକ ଟେଲର ଦୋକାନର ନାଁ ଥିଲା। ସେହି ନାଁ ଆଧାରରେ ଖୋଳତାଡ କରିଥିଲା ପୋଲିସ । ଓଡ଼ିଶାରେ ଥିବା ଏହି ଟ୍ୟାଗକୁ ନେଇ ଖୋଜାଖୋଜି କରିଥିଲା ପୋଲିସ । ଗୁଜୁରାଟର ସୁରଟରେ ଏହି ଦୋକାନ ଥିବା ଜାଣିବାକୁ ପାଇଥିଲା ପୋଲିସ । 100 ଟଙ୍କା ଫେରାଇବା ପାଇଁ ଭାଲେଟର ବ୍ୟବହାର ହୋଇଥିଲା । ସେହି ଭାଲେଟ ନମ୍ୱର ଠାବ କରି ପ୍ରଥମେ ହାପି ପାଖରେ ପହଞ୍ଚି ଥିଲା ପୋଲିସ ।
ସୁରଟରୁ ଆଣିଥିଲେ ଚାପଡ, ସ୍କୁଟିରେ ଆଣି ହତ୍ୟା:
ଭାଉଜକୁ ହତ୍ୟା କରିବାକୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ଦିଅର । ଏଥିପାଇଁ ସୁରଟରୁ ଆଣିଥିଲେ ଚାପଡ । ମୃତଦେହ ନିକଟରୁ ଚାପଡ ଜବତ କରିଥିଲା ପୋଲିସ । ଘଟଣା ଦିନ କଟକରେ କୌଣସି କାମ ପାଇଁ ଆସିଥିବା ବେଳେ ଏକ ସ୍କୁଟି ଜରିଆରେ ଅଭିଯୁକ୍ତ ମାନେ ପଦ୍ମାବତୀଙ୍କୁ କାଠଯୋଡ଼ି ପଠାକୁ ଆଣିଥିଲେ । ହତ୍ୟା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।