ଭୁବନେଶ୍ବର:ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀରେ ଆରମ୍ଭ ହୋଇଯାଇଛି ବାତ୍ୟା ପରିଚାଳନା ସଂପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ସୋମବାରଠାରୁ ଆରମ୍ଭ ହୋଇ ଏହା ବୁଧବାର ଦିନ ଶେଷ ହେବ । ତିନି ଦିନିଆ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବାତ୍ୟା ବିପର୍ଯ୍ୟୟ ପରିଚାଳନା ତାଲିମ ନେଉଛନ୍ତି । ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହଯୋଗରେ ଅନୁଷ୍ଠିତ ହୋଇଛି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଓଡ଼ିଶା ସମେତ ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଆଦି ରାଜ୍ୟରୁ ୨୬ ଜଣ ଆଇଏଏସ ଅଧିକାରୀ ବାତ୍ୟା ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ନେଉଛନ୍ତି ।
customized regional training programme ମୁଖ୍ୟ ଶାସନ ସଚିବ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉଦାହରଣ ଦର୍ଶାଇ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ କିପରି ପଦକ୍ଷେପ ନେବାକୁ ହୋଇଥାଏ ସେ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଶାସନ ସଚିବ ୧୯୬୯ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡ଼ିଶା ସମ୍ମୁଖୀନ ହୋଇଥିବା ବିଭିନ୍ନ ବାତ୍ୟାରେ କିପରି ଧନଜୀବନ କ୍ଷୟକ୍ଷତି ଘଟିଥିଲା ଏବଂ ବିଗତ ୨୦ ବର୍ଷ ଧରି ଓଡ଼ିଶା କିପରି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ଭାବେ ମୁକାବିଲା କରି ଧନଜୀବନ କ୍ଷୟକ୍ଷତିକୁ ହ୍ରାସ କରାଯାଇପାରିଛି ସେ ସଂପର୍କରେ ଅବଗତ କରାଇଥିଲେ ।
ଏହା ମଧ୍ୟ ପଢନ୍ତୁ-Cyclone Biparjoy: ବାତ୍ୟା ମୁକାବିଲାରେ ସଫଳ ଗୁଜୁରାଟ, ଯାଇନି ଜଣଙ୍କ ବି ଜୀବନ
ମୁଖ୍ୟ ଶାସନ ଆହୁରି ମଧ୍ୟ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଶୂନ୍ୟ ମୃତାହତ ଏବଂ ପ୍ରତ୍ୟେକ ଜୀବନ ମୂଲ୍ୟବାନକୁ ଗୁରୁତ୍ୱ ଦେଇଆସିଛନ୍ତି । ଏହି ଆଧାରରେ ଓଡ଼ିଶା ସରକାର ସମ୍ମିଳିତ ପ୍ରୟାସରେ ପ୍ରତ୍ୟେକ ବିପର୍ଯ୍ୟୟକୁ ମୁକାବିଲା କରିଆସିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ୧୯୯୯ ମହାବାତ୍ୟା ସମୟର କ୍ଷୟକ୍ଷତିରୁ ଓଡ଼ିଶା ଶିକ୍ଷାଲାଭ କରି ବିଗତ ବର୍ଷଗୁଡିକରେ ଘଟି ଯାଇଥିବା ଓ ବାତ୍ୟା ବିପର୍ଯ୍ୟୟକୁ କିପରି ସଫଳ ମୁକାବିଲା କରାଯାଇ ଧନଜୀବନ କ୍ଷୟକ୍ଷତିକୁ ରୋକିବାରେ ଆଶାନୁରୂପ ସଫଳତା ମିଳିଛି ସେ ସଂପର୍କରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଓ ଅନୁଭୂତି ସଂପର୍କରେ ସେ ପ୍ରକାଶ କରିଛନ୍ତି ।
ବିଭିନ୍ନ ଦେଶ ଓ ରାଜ୍ୟମାନଙ୍କର ଉଦାହରଣ ଦେଇ ସେ କହିଥିଲେ ଯେ, ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ଉନ୍ନତି ଘଟିଥିଲେ ମଧ୍ୟ ବର୍ତ୍ତମାନ ଯେପରି ଭାବେ ଜଳବାୟୁ ପରିବର୍ତ୍ତନ ଘଟୁଛି, ବାତ୍ୟାର ତୀବ୍ରତା ଓ ବାରମ୍ବାରତା ସମ୍ପର୍କରେ ସଠିକ ଆକଳନ କରିବା କଷ୍ଟକର ହେଉଛି । ଏପରି ସ୍ଥଳେ ବିଭିନ୍ନ ସ୍ତରରେ କାର୍ଯ୍ୟକରୁଥିବା ଆଇଏଏସ ଅଧିକାରୀମାନେ ଏଭଳି ଅସ୍ୱାଭାବିକ ସମୟକୁ ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ଜ୍ଞାନ ବୃଦ୍ଧି କରିବା ସହ ନିଜ ନିଜ ସ୍ତରରେ ଟିମ ପ୍ରସ୍ତୁତ ରଖିବା ଆବଶ୍ୟକତା ରହିଛି ।
ଆମର ବିଭିନ୍ନ ବ୍ୟବସ୍ଥାରେ ରହିଥିବା କ୍ଷେତ୍ରସ୍ତରରେ ପ୍ରସ୍ତୁତି ଓ ଟିମ ଓ୍ୱାର୍କ ଯୋଗୁଁ ବାଲେଶ୍ୱରର ବାହାନଗାରେ ଗତ ଜୁନ ମାସରେ ଘଟିଥିବା ରେଳ ଦୁର୍ଘଟଣା ସମୟରେ ୧୩୦୦ରୁ ଊର୍ଦ୍ଧ୍ୱ ଆହତମାନଙ୍କୁ ଚିକିତ୍ସା ପ୍ରଦାନ ବ୍ୟବସ୍ଥା ସହ ଓ ୫୭୬ ଜଣଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରାଯାଇପାରିଥିଲା । ବିପର୍ଯ୍ୟୟ ମୁକାବିଲା ପାଇଁ ପୂର୍ବରୁ ଯନ୍ତ୍ରପାତି ପ୍ରସ୍ତୁତ, ବାର୍ଷିକ ମକ ଡ୍ରିଲ, ଆମର ମାନବ ସମ୍ବଳର ଦକ୍ଷତା ବୃଦ୍ଧି ଆଦି ବିପର୍ଯ୍ୟୟ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏଥି ସହିତ ବିପର୍ଯ୍ୟୟ ପରିଚାଳନା ସମୟରେ ମାନକ ପରିଚାଳନା ପଦ୍ଧତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଦ୍ଧାରଣ କରୁଛି । ସମ୍ମିଳିତ ପ୍ରୟାସରେ ଟିମ ଭାବେ କାର୍ଯ୍ୟ କରିବା ପ୍ରଶାସନିକ ଅଧିକାରୀଙ୍କୁ ସଫଳତା ଆଣିଦେବ ।
ଲାଲବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶକ କହିଥିଲେ, ''ଦେଶର ଉପକୂଳ ଜିଲ୍ଲାଗୁଡିକ ସାଧାରଣତଃ ବାତ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିପର୍ଯ୍ୟୟ ସମୟରେ ବନ୍ଦରଭିତ୍ତିକ ବାଣିଜ୍ୟ, ରେଳ ନେଟଓ୍ୱର୍କ, ଯୋଗାଣ ପ୍ରକ୍ରିୟା ଆଦି ପ୍ରଭାବିତ ହୋଇଥାଏ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ରୋଲ ମଡେଲ ହୋଇଛି । ଓଡ଼ିଶା ଦେଶର ଅର୍ଥନୈତିକ ବିକାଶ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦେଶକୁ ଦିଗଦର୍ଶନ ଦେଉଛି । ବିଭିନ୍ନ ରାଜ୍ୟରୁ ଯୋଗ ଦେଇଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା, ଓଡ଼ିଶାର ନେତୃତ୍ୱ ଏବଂ ଅଭିଜ୍ଞ ଟିମ ଓ୍ୱାର୍କରୁ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି । ପ୍ରଶାସନିକ ଅଧିକାରୀମାନେ ଏହି ପ୍ରଶିକ୍ଷଣରୁ ଶିକ୍ଷାଲାଭ କରି ନିଜର ଦକ୍ଷତା ବୃଦ୍ଧି ପୂର୍ବକ କ୍ଷେତ୍ର ସ୍ତରରେ ନିଜକୁ ପ୍ରମାଣିତ କରିବା ଏବଂ ଉତ୍ତମ ଭାବେ କାର୍ଯ୍ୟ ସଂପାଦନ କରିବା ଆବଶ୍ୟକ । ''
ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, '' ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ, ସହଯୋଗୀ ଅନୁଷ୍ଠାନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ଥାନୀୟ ଜନସାଧାରଣ ସମ୍ମିଳିତ ପ୍ରୟାସରେ ସକ୍ରିୟ ଭାବେ କାର୍ଯ୍ୟ ତ୍ୱରାନ୍ୱିତ ଓ ସମନ୍ୱୟ କରାଯାଇ ମୁକାବିଲା କରାଯାଇଥାଏ । '' ୩ ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାର ପ୍ରଦେଶରୁ ବିଶେଷଜ୍ଞ ଯୋଗଦେଇ ପ୍ରଶିକ୍ଷଣ ଦେବେ । ଏହା ସହିତ ପ୍ରଶିକ୍ଷାର୍ଥୀମାନେ ବିପର୍ଯ୍ୟୟ ପରିଚାଳନା ପରିପ୍ରେକ୍ଷୀରେ ଓଡିଶାର ବିଭିନ୍ନ ସ୍ଥାନକୁ କ୍ଷେତ୍ର ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର