କଟକ:କଟକରେ ସିଏମସି ମଶା ଦମନ ପ୍ରକ୍ରିୟା ଫେଲ ମାରିବା ଅଭିଯୋଗ । ବାଦାମବାଡ଼ି ଥାନା ସାମ୍ନାରେ ନିଆରା ଢ଼ଙ୍ଗରେ ଆନ୍ଦୋଳନ କରିଛି କଟକ ଜିଲ୍ଲା କଂଗ୍ରେସ । ମଶାରୀ ଟାଣି ମଶା ଦମନ କରିବାରେ କଟକ ମହାନଗର ନିଗମ ଫେଲ ମାରିଥିବା ଅଭିଯୋଗ ଆଣିବା ସହ ପ୍ରତିବାଦ କରିଛି କଂଗ୍ରେସ ।
ସିଏମସି କମିଶନର ନାଁରେ ଏତଲା:କଂଗ୍ରେସର ଅଭିଯୋଗ ଅନୁଯାୟୀ, "ପ୍ରତିବର୍ଷ ଭଳି ବର୍ତ୍ତମାନ ସିଲଭର ସିଟିରେ ମଶା ଉପଦ୍ରବ ଜାରି ରହିଛି । ଯାହାକୁ ନେଇ କଲବଲ ହେଉଛନ୍ତି କଟକବାସୀ । ମଶା ତେଲ, ପ୍ରତି ୱାର୍ଡରେ ଧୂଆଁ ସ୍ପ୍ରେ କେବଳ କଥାରେ ସୀମିତ ରଖିଛି ସିଏମସି । ଯାହା ପାଇଁ କଟକରେ ମଶା ଉତ୍ପାତ ବୃଦ୍ଧି ପାଇଛି । ତେଣୁ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଉଭୟ ସିଏମସି କମିଶନର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନାଁରେ ବାଦାମବାଡ଼ି ଥାନାରେ ଏତଲା ଦେଇଛି ଜିଲ୍ଲା କଂଗ୍ରେସ । ଆଜି ବାଦାମବାଡ଼ି ଥାନା ସମୁଖରେ ମଶାରୀ ଭିତରେ ବସି ଆନ୍ଦୋଳନ କରିବା ସହ ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ସିଏମସିକୁ ଚେତାବନୀ ଦେଇଛି କଂଗ୍ରେସ ।
'ମଶା ନିୟନ୍ତ୍ରଣ କରିବାରେ ସିଏମସି ବିଫଳ':କଟକ ଜିଲ୍ଲା କଂଗ୍ରେସ କମିଟି ମୁଖପାତ୍ର ମାନସ କୁମାର ପରିଡା କହିଛନ୍ତି, " କଟକ ସହରରେ ମଶାର ଯେଉଁ ଘନତ୍ୱ ବଢିଛି ରାତି ତ ରାତି, ଦିନରେ ମଧ୍ୟ ଘରେ ରହିବା ମୁସ୍କିଲ ହୋଇଗଲାଣି । ମଶା ନିୟନ୍ତ୍ରଣ କରିବାରେ ସିଏମସି ବିଫଳ ହୋଇଛି । ମଶା ତ ମଶା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କଟକ ସହରରେ ବିପର୍ଯ୍ୟସ୍ତ । ରାସ୍ତା କଡରେ କୁଢ କୁଢ ଅଳିଆ ଦୀର୍ଘ ଦିନ ଧରି ପଡି ରହୁଛି । ଡ୍ରେନ ସଫେଇ ଠିକଣା ଢଙ୍ଗରେ ହେଉନାହିଁ । ମଶାମରା ତେଲ ଓ ଧୂଆଁ ଠିକ ଭାବେ ଦିଆଯାଉନାହିଁ । ଯଦିଓ କିଛି ଜାଗାରେ ଦିଆଯାଉଛି ତାହା ଏତେ ନିମ୍ନମାନର ଯେ ମଶା ମରିବାର ନାଁ ଧରୁ ନାହାନ୍ତି । ଏହି ସବୁ ପାଇଁ ଆମେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଓ କମିଶନରକୁ ଦାୟୀ କରି ଭାରତୀୟ ନ୍ୟାୟ ସଂହିତା ଆଇନ ୨୭୧ ଧାରା ଅନୁଯାୟୀ ଆମେ କଂଗ୍ରେସ ଦଳ ପକ୍ଷରୁ ବାଦାମବାଡି ଥାନାରେ ଏତଲା ଦାୟର କରିବା ପାଇଁ ଯାଉଛୁ।"