ଓଡିଶା

odisha

ETV Bharat / state

ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରସ୍ତୁତି, 13ଟି ଜିଲ୍ଲାର ସଭାପତି ପରିବର୍ତ୍ତନ - କଂଗ୍ରେସ ଜିଲ୍ଲା ସଭାପତି ପରିବର୍ତ୍ତନ

Congress Districts President: ୧୩ଟି ଜିଲ୍ଲାର ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପରିବର୍ତ୍ତନ କରି ନୂତନ ସଭାପତିମାନଙ୍କୁ ଦାୟିତ୍ୱ ଦେଇଛି ଦଳ । ଅଧିକ ପଢ଼ନ୍ତୁ

କଂଗ୍ରେସ
କଂଗ୍ରେସ

By ETV Bharat Odisha Team

Published : Feb 12, 2024, 6:32 AM IST

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଅଙ୍କ କସୁଛି ରାଜ୍ୟ କଂଗ୍ରେସ । ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ କରିବା ପାଇଁ କଂଗ୍ରେସ ଶିବିରରେ ତତ୍ପରତା ଦେଖିବାକୁ ମିଳିଛି । ନିର୍ବାଚନରେ କଳେ ବଳେ କୌଶଳେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ଜୋରଦାର ପ୍ରୟାସ ଚଳାଇଛି ପିସିସି । ସଂଗଠନକୁ ତ୍ୱରାନ୍ୱିତ, ପୁରୁଖା ନେତାଙ୍କୁ ଦଳକୁ ଫେରାଇ ଆଣିବା, ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ଲାନ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ । ଏହାରି ଭିତରେ ୧୩ଟି ଜିଲ୍ଲାର ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପରିବର୍ତ୍ତନ କରି ନୂତନ ସଭାପତିମାନଙ୍କୁ ଦାୟିତ୍ୱ ଦେଇଛି ଦଳ ।

ଜିଲ୍ଲା ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ୧୩ଟି ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ପରିବର୍ତ୍ତନ କରାଯାଇ ଆଡହକ୍ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି । ସାଂଗଠନିକ କାର୍ଯ୍ୟକ୍ରମ ଦୃଷ୍ଟିରୁ ପୂର୍ବରୁ ଥିବା ଗଞ୍ଜାମ ଜିଲ୍ଲାକୁ ବିଭକ୍ତ କରାଯାଇ ଗଞ୍ଜାମ ପୂର୍ବ ଜିଲ୍ଲା କଂଗ୍ରେସ ଓ ଗଞ୍ଜାମ ପଶ୍ଚିମ ଜିଲ୍ଲା କଂଗ୍ରେସ ଭାବରେ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ବିଭକ୍ତ କରାଯାଇ ମୟୁରଭଞ୍ଜ ପୂର୍ବ ଜିଲ୍ଲା କଂଗ୍ରେସ ଓ ମୟୁରଭଞ୍ଜ ପଶ୍ଚିମ ଜିଲ୍ଲା କଂଗ୍ରେସ ଭାବରେ ଗଠନ କରାଯାଇଛି ।

ତେବେ ଯେଉଁମାନଙ୍କୁ ନୂତନ ଆଡହକ୍ ସଭାପତି ଭାବରେ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ ବରଗଡ଼ ଜିଲ୍ଲାରେ ହରଦିପ୍ ସିଂହ, ଢ଼େଙ୍କାନାଳ ଜିଲ୍ଲାରେ ସୁନିଲ ଦାସ, ଗଞ୍ଜାମ (ପୂର୍ବ) ପାଇଁ ଦୀପକ ପଟ୍ଟନାୟକ, ଗଞ୍ଜାମ ପଶ୍ଚିମ ପାଇଁ ରବୀନ୍ଦ୍ର ଶର୍ମାଙ୍କୁ ଗୁରୁ ଦାୟିତ୍ୱ ଦେଇଛି କଂଗ୍ରେସ । ସେହିପରି କନ୍ଧମାଳ ଜିଲ୍ଲା ପାଇଁ ଚନ୍ଦ୍ରଶେଖର ପରିଡ଼ା, କୋରାପୁଟ ଜିଲ୍ଲାରେ ଶଶିଭୁଷଣ ପାତ୍ର, ମୟୁରଭଞ୍ଜ (ପୂର୍ବ) ପାଇଁ ନିରଜ ଦାସ, ମୟୂରଭଞ୍ଜ (ପଶ୍ଚିମ)ରେ ଭୁବନ ବିହାରୀ ସାହୁଙ୍କୁ ଦାୟିତ୍ୱ ଦେଇଛି ଦଳ।

ଅଧିକ ପଢ଼ନ୍ତୁ...'ଖଡ୍‌ଗେ ଓ ରାହୁଲଙ୍କ ଗସ୍ତ ପରେ କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ବାସ ବଢ଼ିଛି'

ଅନ୍ୟପକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ସୁର ରାଉତରାୟଙ୍କୁ ହଟାଇ ତପନ ଚକ୍ରବର୍ତ୍ତୀଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ । ବଲାଙ୍ଗୀରରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ସୁନ୍ଦରଗଡ ଜିଲ୍ଲାରେ ରବୀ ରାୟ, ଝାରସୁଗୁଡ଼ା ଜିଲ୍ଲା ପାଇଁ ସୁବ୍ରତ ପ୍ରଧାନ ଏବଂ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲାରେ ଜୟଶଙ୍କର ମିଶ୍ରଙ୍କୁ ଦାୟିତ୍ୱ ଦେଇଛି ଦଳ । ନୂତନ ଜିଲ୍ଲା ସଭାପତିମାନେ ନିଜ ଜିଲ୍ଲାରେ ଆଜି ଠାରୁ ନିଜ ଦାୟିତ୍ବ ଗ୍ରହଣ କରି କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବେ ବୋଲି ଶରତ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି । ଜିଲ୍ଲାରେ ପୂର୍ବରୁ କାର୍ଯ୍ୟନିର୍ବାହ କରୁଥିବା ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ଓପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details