ଭୁବନେଶ୍ୱର: 'ଆଗାମୀ ୫ ଦିନ ଭିତରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପହଞ୍ଚିବ ଅର୍ଥ ରାଶି । ରାଜସ୍ୱ ବିଭାଗରୁ ଏହି ଅର୍ଥରାଶି ଜିଲ୍ଲାପାଳମାନଙ୍କ ନିକଟକୁ ପଠାଯାଇଥିବା ବେଳେ ଅଦିନିଆ ବର୍ଷାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଖରେ ଖୁବଶୀଘ୍ର ପହଞ୍ଚିବ କ୍ଷତିପୂରଣ ରାଶି ।’’ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏନେଇ ସୂଚନା ଦେଇଛନ୍ତି ।
- 16 ଜିଲ୍ଲାରେ ଫସଲ ନଷ୍ଟ
ଡିସେମ୍ବରରେ ଅଦିନିଆ ବର୍ଷା ପ୍ରଭାବରେ 16 ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଧାନ, ପନିପରିବାଠୁ ଆରମ୍ଭ କରି କପା, ଚିନାବାଦାମ ସବୁଥିରେ କ୍ଷତି ସହିଛି ଚାଷୀ । ତେବେ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ ସରିଥିବା ବେଳେ ଜିଲ୍ଲାପାଳମାନେ ମଧ୍ୟ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ରାଜସ୍ୱ ବିଭାଗରୁ ୧୬ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷତିପୂରଣ ଟଙ୍କା ପଠା ସରିଥିବା ବେଳେ ଆଗାମୀ ୫ ଦିନ ଭିତରେ ଚାଷୀମାନେ ଏହି ଟଙ୍କା ପାଇସାରିଥିବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
- ୫ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ କ୍ଷତିପୂରଣ ରାଶି
ରାଜସ୍ୱ ମନ୍ତ୍ରୀ କହିଛନ୍ତି, " 14 ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି । ଆଉ ଦୁଇ ଜିଲ୍ଲାରେ ବି ଆଂଶିକ କ୍ଷତି ହୋଇଛି । ପୁରୀରେ ସର୍ବାଧିକ କ୍ଷତି ହୋଇଥିଲା । ତା ପଛକୁ ଗଞ୍ଜାମ ଜିଲ୍ଲା ରହିଛି । ଧାନ, ପନିପରିବା, ଚିନା ବାଦାମ ଓ କପା ବି ନଷ୍ଟ ହୋଇଛି । ପାଖାପାଖି 6 ଲକ୍ଷ 66 ହଜାର 720 ଚାଷୀ କ୍ଷତି ସହିଛନ୍ତି । 2 ଲକ୍ଷ 26 ହଜାର 791.27 ହେକ୍ଟର ଚାଷ ଜମିରେ ନଷ୍ଟ ହୋଇଛି । 292 କୋଟି ଟଙ୍କା କ୍ଷତିପୂରଣ ଆବଶ୍ୟକତା ନେଇ ଡିସେମ୍ବର ୩୦ ତାରିଖରେ ଜିଲ୍ଲାପାଳମାନେ ରିପୋର୍ଟ ପ୍ରଦାନ କରିଥିବା ବେଳେ ଜାନୁଆରୀ ୩ ତାରିଖ ଦିନ ରାଜସ୍ୱ ବିଭାଗରୁ ଜିଲ୍ଲାପାଳମାନଙ୍କୁ ଟଙ୍କା ପଠା ଦିଆସରିଛି । କିଛି ସ୍ଥାନରେ ଚାଷୀଙ୍କୁ କ୍ଷତିପୂରଣ ଟଙ୍କା ପ୍ରଦାନ କରାଯାଇଛି । ଆଗାମୀ ୫ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କ ପାଖରେ ଏହି ଟଙ୍କା ପହଞ୍ଚିଯିବ । ଜଳସେଚିତ ଜମି ପାଇଁ ହେକ୍ଟର ପିଛା 15 ହଜାର ଓ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା 7500 ଟଙ୍କା ରହିଛି । ୩ ତାରିଖ ଦିନ ଜିଲ୍ଲାପାଳମାନଙ୍କୁ 292 କୋଟି ଟଙ୍କା ପଠାଯାଇଛି । ଜିଲ୍ଲାପାଳମାନେ ଖୁବଶୀଘ୍ର ତଥ୍ୟ ଆଧାରରେ ଚାଷୀମାନଙ୍କୁ ଟଙ୍କା ପ୍ରଦାନ କରିବେ ।
ଏହାମଧ୍ୟ ପଢନ୍ତୁ... ଚାଷ କ୍ଷୟକ୍ଷତି ସମୀକ୍ଷା: BJP-BJD ମୁହାଁମୁହିଁ, ଏଭଳି କହିଲା କଂଗ୍ରେସ |