ଓଡିଶା

odisha

ETV Bharat / state

ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା; ଲୋକଙ୍କ ଆସ୍ଥା ଓ ବିଶ୍ଵାସର ପ୍ରାଣ କେନ୍ଦ୍ର ମା' ସମଲେଶ୍ବରୀ

Samalei Project Inauguration: ଆସନ୍ତାକାଲି ଲୋକାର୍ପଣ ହେବ ମା' ସମଲେଶ୍ବରୀ ମନ୍ଦିରର ରୂପାନ୍ତରିକରଣ ପ୍ରକଳ୍ପ । ଲୋକାର୍ପଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ସମଲେଇ ପ୍ରକଳ୍ପର ଲୋକାର୍ପଣ
ସମଲେଇ ପ୍ରକଳ୍ପର ଲୋକାର୍ପଣ

By ETV Bharat Odisha Team

Published : Jan 26, 2024, 10:07 PM IST

Updated : Jan 26, 2024, 11:01 PM IST

ସମଲେଇ ପ୍ରକଳ୍ପର ଲୋକାର୍ପଣ

ଭୁବନେଶ୍ବର: ବହୁ ପ୍ରତିକ୍ଷାର ଅନ୍ତଘଟି ଆସନ୍ତାକାଲି ଲୋକାର୍ପଣ ହେବ ମା' ସମଲେଶ୍ବରୀ ମନ୍ଦିରର ରୂପାନ୍ତରିକରଣ ପ୍ରକଳ୍ପ । ଲୋକାର୍ପଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ଉତ୍ସବ ପୂର୍ବରୁ ଆଜି ମା'ଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପଲକ୍ଷେ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ରେକର୍ଡ ସମୟରେ ମା'ଙ୍କ ମନ୍ଦିରର ରୂପାନ୍ତରିକରଣ ଶେଷ ହୋଇଥିବା କଥା କହିଛନ୍ତି ନବୀନ । ରୂପାନ୍ତରିକରଣରେ ନିୟୋଜିତ ଶିଳ୍ପୀ, କାରିଗର ଓ ଶ୍ରମିକ ଏବଂ ପ୍ରକଳ୍ପ ପାଇଁ ଜମି ଦେଇଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ମା' ସମଲେଶ୍ବରୀ ହେଉଛନ୍ତି ଓଡ଼ିଶାର ଆରାଧ୍ୟ ଦେବୀ । ଲୋକଙ୍କ ବିଶ୍ୱାସର ଦେବୀ । ଲୋକଙ୍କ ଅସ୍ଥା ଓ ବିଶ୍ଵାସର ପ୍ରାଣ କେନ୍ଦ୍ର ହେଉଛନ୍ତି ମା' ସମଲେଶ୍ବରୀ ମନ୍ଦିର । କୋଟି କୋଟି ଲୋକଙ୍କର ଭାବ ମା'ଙ୍କ ଠାରେ ଯୋଡି ହୋଇ ରହିଛି । ଲୋକଙ୍କ ଆବେଗର ସମ୍ମାନ ଜଣାଇ ମା'ଙ୍କ ମନ୍ଦିରର ରୂପାନ୍ତରଣ ହୋଇଛି । ଯାହା ମା'ଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ବପ୍ନର ପ୍ରକଳ୍ପ । ମା'ଙ୍କ ଆଶୀର୍ବାଦରୁ ଏହି ପ୍ରକଳ୍ପ ସଫଳ ହୋଇଛି । କୋଭିଡ ମହାମାରୀ ଭିତରେ ବହୁ ଅସୁବିଧା ସତ୍ତ୍ବେ ଏହି ପ୍ରକଳ୍ପ ଶେଷ ହୋଇଛି । ଗୋଟେ ରେକର୍ଡ ସମୟ ମଧ୍ୟରେ ମା'ଙ୍କ ମନ୍ଦିରର ରୂପାନ୍ତରିକରଣ ଶେଷ ହୋଇଛି ।"

ତେବେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ମା' ସମଲେଶ୍ବରୀ ମନ୍ଦିରର ରୂପାନ୍ତରଣର ୪ଟି ମୂଳ ଲକ୍ଷ୍ୟ ରହିଥିଲା । ମନ୍ଦିର ଚାରିପଟ ଭବ୍ୟ ରୂପାନ୍ତରଣ, ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ପାଇବେ । ପର୍ଯ୍ୟଟନ ଅର୍ଥନୀତିକୁ ଆଗକୁ ବଢ଼େଇବା । ଏହା ସହିତ ମହାନଦୀ ଘାଟ ତିଆରି ହୋଇଛି । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏକାସଙ୍ଗେ ମହାନଦୀ ଆଳତୀ ଦେଖିପାରିବେ । ସମଲେଇ ପ୍ରକଳ୍ପ ଆମ ସମସ୍ତଙ୍କର ଭାଇଚାରା, ମା'ଙ୍କ ଲାଗି ରହିଥିବା ଭକ୍ତି ଏବଂ ମା'ଙ୍କର ଆମ ପ୍ରତି ଥିବା ଗୋଟେ ବିଶେଷ ଆଶୀର୍ବାଦର ଚିହ୍ନ ଅଟେ । ୫ଟି ରୂପାନ୍ତରଣର ଜରିଆରେ ୪ ଏକର ଛୋଟ ଜାଗାରେ ମୂଳ ମନ୍ଦିର ରହିଥିଲା । ଆଜି ୨୯ ଏକର ଜାଗାରେ ମା'ଙ୍କ ମନ୍ଦିର ଝଲସୁଛି ।

ଦିନକୁ ଦିନ ମା'ଙ୍କ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ସଂଖ୍ୟା ବଢି ଚାଲିଛି । ଭବିଷ୍ୟତକୁ ଆଖି ଆଗରେ ରଖି ଏହି ପ୍ରକଳ୍ପ କରାଯାଇଛି । ଯାହା ଫଳରେ ଭକ୍ତଙ୍କର କୌଣସି ଅସୁବିଧା ନହେଉ । ଏଠାରେ ଏହି ଅଞ୍ଚଳର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଝଲକ ଦେଖିବାକୁ ମିଳୁଛି । ମନ୍ଦିର ଆସି ଭକ୍ତମାନେ ସୁବିଧାରେ ମା'ଙ୍କ ପୂଜା କରିପାରିବେ ସେ ନେଇ ବ୍ୟବସ୍ଥା ହୋଇଛି । ନବରାତ୍ର ହେଉ କି ଦଶହରା ଯେତେବେଳେ ମା'ଙ୍କ ଦର୍ଶନ ପାଇଁ ବେଶୀ ଭିଡ଼ ହେବ, ସେତେବେଳେ ଭକ୍ତଙ୍କର କୌଣସି ଅସୁବିଧା ହେବନାହିଁ । ମା'ଙ୍କ ଛାତ ତଳେ ସମସ୍ତେ ଏକାକାର ହୋଇ ପୂଜା କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ....କେବେ କାହିଁକି ହେଲା ସମଲେଇ ପ୍ରକଳ୍ପର ପରିକଳ୍ପନା ? କେତେ ଟଙ୍କା ହେଉଛି ଖର୍ଚ୍ଚ

ମନ୍ଦିର ରୂପାନ୍ତରିକରଣ ଲାଗି ଯେଉଁ କାରିଗର, ଶିଳ୍ପୀ ଓ ଶ୍ରମିକ ନିଜର ଅବଦାନ ଦେଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଉଛି । ସେହିପରି ଯେଉଁମାନେ ପ୍ରକଳ୍ପ ପାଇଁ ଜମି ଦେଇଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟବାଦ । ସେମାନଙ୍କ ସହଯୋଗ ଓଡିଶା ସବୁଦିନେ ମନେ ରଖିବ । ମା'ଙ୍କ ଇଚ୍ଛା ଓ ଆଶୀର୍ବାଦରେ ମନ୍ଦିର ଆଜି ଝଲସୁଛି । ମା' ସମଲେଇଙ୍କ ଆଶୀର୍ବାଦ ଓ କରୁଣା ସବୁବେଳେ ଓଡିଶା ଉପରେ ରହିଥାଉ । ଆସନ୍ତୁ, ମା' ମନ୍ଦିରର ଲୋକାର୍ପଣ ଉତ୍ସବରେ ଆମେ ସମସ୍ତେ ଏକାକାର ହୋଇ ମା' ସମଲେଇଙ୍କ ଆରାଧନା କରିବା ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 26, 2024, 11:01 PM IST

ABOUT THE AUTHOR

...view details