ଓଡିଶା

odisha

ETV Bharat / state

ଅଦିନିଆ ବର୍ଷା କ୍ଷୟକ୍ଷତି, ଗ୍ରାଉଣ୍ଡ-ଜିରୋକୁ ଯିବେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ - MOHAN MAJHI GANJAM VISIT

ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

Mohan Majhi Ganjam Visit
Mohan Majhi Ganjam Visit (ETV Bharat Odisha)

By ETV Bharat Odisha Team

Published : Dec 28, 2024, 11:00 PM IST

Updated : Dec 29, 2024, 6:31 AM IST

ଭୁବନେଶ୍ୱର:ଅମଳ ସମୟରେଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ଗ୍ରାଉଣ୍ଡକୁ ଯିବ ମୋହନ ସରକାର । ଚାଷୀଙ୍କ ଜମିକୁ ଯିବେ ନିଜେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ସମତେ ଅନ୍ୟ ମନ୍ତ୍ରୀମାନେ । କ୍ଷୟକ୍ଷତି ପରିଦର୍ଶନ ପାଇଁ ଆଜି (ଶନିବାର) ମନ୍ତ୍ରୀମାନଙ୍କୁ ଜିଲ୍ଲା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଏକାଧିକ ପ୍ରଭାବିତ ସ୍ଥାନ ଗସ୍ତ କରି ସ୍ଥିତି ସମୀକ୍ଷା କରିବେ । ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା ପରେ ଜିଲ୍ଲା ଗସ୍ତରେ ଯିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

  • ଚାଷୀଙ୍କ ଚାଷ ଜମିକୁ ଯିବେ ମୁଖ୍ୟମନ୍ତ୍ରୀ

ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ । କ୍ଷୟକ୍ଷତିର ଅନୁଧ୍ୟାନ, ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଆସନ୍ତାକାଲି (ରବିବାର) ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ 3 ଜଣ ମନ୍ତ୍ରୀ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ବିଭିନ୍ନ ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରିବେ ।

  • ଚାଷୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ନୟାଗଡ଼ ଜିଲ୍ଲାର ରଣପୁର, ଗଜପତିର ଗୋସାଣୀ ଓ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା/ ଛତ୍ରପୁର ବ୍ଲକ ଯାଇ ଉଭୟ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଏହା ସହ ସେମାନେ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଏହାମଧ୍ୟ ପଢନ୍ତୁ...

କଟକ-ବାଲେଶ୍ବରରେ ବ୍ୟାପକ ଫସଲ ନଷ୍ଟ, ତୁରନ୍ତ କ୍ଷତିପୂରଣ ଦାବି କଲା ବିଜେଡି

ଅଦିନିଆ ବର୍ଷା ଉଜାଡିଲା ଧାନ, କ୍ଷେତରେ ମନ୍ତ୍ରୀ ବିଭୂତି ଜେନାଙ୍କ ସ୍ଥିତି ଅନୁଧ୍ୟାନ

ଫସଲ ଉଜାଡି ଦେଲା ଅଦିନିଆ ବର୍ଷା, ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ

‘କାଲି ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ଜଣାନ୍ତୁ ଚାଷୀ’, ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌

ସେହିପରି ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କଟକ ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ । ଅନ୍ୟତମ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଯିବା ନେଇ ଚୂଡାନ୍ତ ହୋଇଛି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଯିବେ । ସେହିପରି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ ।

  • ଗଞ୍ଜାମ ଯାଇ କ୍ଷୟକ୍ଷତି ଦେଖିବେ ନବୀନ ପଟ୍ଟନାୟକ

    ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସୋମବାର (30 ତାରିଖ)ରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଗସ୍ତ କରିବେ । ସାଧାରଣ ନିର୍ବାଚନରେ ପରାଜୟ ପରେ ନବୀନ ପ୍ରଥମଥର ପାଇଁ ଚାଷୀମାନଙ୍କୁ ଭେଟିବାକୁ ଯାଉଛନ୍ତି । ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Dec 29, 2024, 6:31 AM IST

ABOUT THE AUTHOR

...view details