ଭୁବନେଶ୍ବର: ଦେଶରେ ସାଧାରଣ ନିର୍ବାଚନ ନେଇ ଆଜି ଘୋଷଣା ହୋଇଛି ତାରିଖ । ଭାରତୀୟ ନିର୍ବାଚନ ଆୟୋଗ ଆଜି ବିଧିବଦ୍ଧ ଭାବେ ନିର୍ବାଚନୀ ବିଗୁଲ ବଜାଇଛନ୍ତି । ଓଡ଼ିଶା ସମେତ ସମଗ୍ର ଦେଶରେ ଆଜିଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣ ସଂହିତା । ଓଡ଼ିଶାରେ ମଧ୍ୟ ନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ଲୋକସଭା ପାଇଁ ୨୧ ଜଣ ରିଟର୍ଣ୍ଣିଂ ଅଫିସର, ବିଧାନସଭା ପାଇଁ ୧୩୧ ଜଣ ରିଟର୍ଣ୍ଣିଂ ଅଫିସର ଏବଂ ୨୯୪ ଜଣ ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ଏବଂ ତାଲିମ ଦିଆଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାତୀ ନିକୁଞ୍ଜ ବିହାରୀ ଧଳ ।
ସାରା ରାଜ୍ୟରେ ମତଦାନ କେନ୍ଦ୍ରରେ ନିୟୋଜିତ ହେବା ପାଇଁ ପ୍ରାୟ ୨ ଲକ୍ଷ ୭୦ ହଜାର ମତଦାନ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଫିସର ଓ ୫ ଜଣ ପୋଲିଂ ଅଫିସର ବୋଲି ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି । ତେବେ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ । ସେଥି ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪ ରହିଛି । ସେହିଭଳି ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୩ ହଜାର ୪୩୮ ରହିଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ରହିଛି ୫ ଲକ୍ଷ ୧୯ ହଜାର ୮୬୧ । ଏହାସହ କେବଳ ଓଡ଼ିଶାରେ ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୯୯ ହଜାର ୩୩୪ । ଯାହାକି ଜାତୀୟ ହାରଠାରୁ ଢେର ଅଧିକ ରହିଛି । ୮୫ ବର୍ଷରୁ ଊର୍ଦ୍ଧ୍ବ ମତଦାତାଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ୨୭୩ ରହିଥିବାବେଳେ ସର୍ଭିସ୍ ମତଦାତା ୪୯ ହଜାର ୫୯୯, ପ୍ରବାସୀ ମତଦାତା ୧୮୪ । ୨୦୧୯ରେ ପ୍ରତି ୧୦୦୦ ପୁରୁଷରେ ୯୪୬ ମହିଳା ଭୋଟର ଥିବାବେଳେ ଏଥର ଏହି ସଂଖ୍ୟା ୯୭୪କୁ ବୃଦ୍ଧି ପାଇଛି ।
ରାଜ୍ୟରେ ମୋଟ ୩୭ ହଜାର ୮୦୯ ମତଦାନ କେନ୍ଦ୍ର ରହିଛି । ଏଥିରୁ ୨୦ ପ୍ରତିଶତ ବୁଥକୁ ମଡେଲ ବୁଥ କରାଯିବ । ପୂର୍ବ ବର୍ଷ ୧୦ ପ୍ରତିଶତ ବୁଥରେ ୱେବ୍କାଷ୍ଟ ହୋଇଥିବାବେଳେ ଚଳିତ ବର୍ଷ ନିର୍ବାଚନରେ ୬୦ ପ୍ରତିଶତ ବୁଥରେ ହେବ ୱେବକାଷ୍ଟ । ଯାହାଫଳରେ ସିଧାପ୍ରସାରଣ ଦେଖିବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ । ବର୍ତ୍ତମାନ ୯୯.୯୯ ପ୍ରତିଶତ ଭୋଟରଙ୍କ ପାଖରେ ଏପିକ୍ କାର୍ଡ ରହିଛି । ଭୋଟର ପରିଚୟ ପତ୍ର ନଥିଲେ ଅନ୍ୟ ୧୨ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । ୮୫ ପ୍ରତିଶତରୁ ଅଧିକ ବୟସ୍କ ଓ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଘରୁ ଭୋଟ ଦେଇପାରିବେ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକରୁ ଅଧିକ ଫେସିଲିଟେସନ ସେଣ୍ଟରରେ ଭୋଟ ଦେଇପାରିବେ । ପୂର୍ବରୁ ଉପନିର୍ବାଚନର ଏହି ସୁବିଧା ଥିଲା । ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଏହି ସୁବିଧା ରହିବ ।