ଓଡିଶା

odisha

ETV Bharat / state

କାର୍ଯ୍ୟାନୁଷ୍ଠାନକୁ ନାହିଁ ଭୟ, କ୍ୟାପିଟାଲ ହସ୍ପିଟାଲର ସୁପରସ୍ପେଶିଆଲିଟି ବହିର୍ବିଭାଗ ଉପରେ ଦଲାଲଙ୍କ ନଜର - Bhubaneswar Capital Hospital

Capital Hospital: କ୍ୟାପିଟାଲ ହସ୍ପିଟାଲ ପରିସରରେ ସକ୍ରିୟ ରହିଛନ୍ତି ଦଲାଲ । ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀମାନଙ୍କୁ ପ୍ରବର୍ତ୍ତାଉଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Mar 29, 2024, 8:13 PM IST

କ୍ୟାପିଟାଲ ହସ୍ପିଟାଲ
କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ବର:କ୍ୟାପିଟାଲ ହସ୍ପିଟାଲରେ ପୁଣି ମାତିଲେଣି ଦଲାଲ । ହସ୍ପିଟାଲରୁ ଦଲାଲମାନଙ୍କୁ ମୂଳପୋଛ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ହସ୍ପିଟାଲ କତ୍ତୃପକ୍ଷ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ଏପରିକି କିଛିଦିନ ବ୍ୟବଧାନରେ ହସ୍ପିଟାଲରୁ ଜଣେ ପରେ ଜଣେ ଦଲାଲ ଗିରଫ ହେଉଛନ୍ତି । ହେଲେ ଏବେବି ଆଉ କିଛି ଦଲାଲ ସକ୍ରିୟ ରହିଥିବା ବେଳେ ହସ୍ପିଟାଲ ପରିସରରେ ସେମାନେ ଖୋଲମଖୁଲା ଭାବରେ ବୁଲୁଛନ୍ତି ।

କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ବିଶେଷ ଭାବରେ ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲାରୁ ଅଧିକାଂଶ ରୋଗୀ ଏଠାକୁ ଚିକିତ୍ସିତ ହେବା ପାଇଁ ଆସିଥାନ୍ତି । ତେବେ ବିଗତ ଦିନମାନଙ୍କରେ ବ୍ୟବସାୟିକ ଉଦ୍ଦେଶ୍ୟ ରଖି କିଛି ଲୋକ କ୍ୟାପିଟାଲ ହସ୍ପିଟାଲରେ ଦଲାଲଗିରି କରୁଛନ୍ତି । ପ୍ରତିଦିନ କିଛି ରୋଗୀଙ୍କୁ ଘରୋଇ କ୍ଲିନିକ ଯିବାକୁ ଏକ ପ୍ରକାର ବାଧ୍ଯ କରାଯାଉଥିବା ଅଭିଯୋଗ ହେଉଛି । କିଛି ଦିନ ପୂର୍ବେ ଜଣେ ଦଲାଲ ଏଭଳି କାର୍ଯ୍ୟ କରୁଥିବାବେଳେ ସ୍ଵାସ୍ଥ୍ୟବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ଅବଗତ ହୋଇଥିଲେ । ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ହସ୍ପିଟାଲର କାଜୁଆଲ୍ଟି କେନ୍ଦ୍ର ନିକଟରେ ରହି ଏଭଳି କାର୍ଯ୍ୟ କରୁଥିବା ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଥିଲା ।

ଅନ୍ୟପଟେ ଆଉ ଜଣେ ଲୋକ ଏକ ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଛି କିନ୍ତୁ କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ସ୍ଥାନରେ ରହି ଦଲାଲି କରୁଥିବା ଜଣାପଡ଼ିଛି । ଏହି ଲୋକ ଜଣଙ୍କ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହସ୍ପିଟାଲ ମଧ୍ୟରେ ବୁଲାବୁଲି କରିଥାଏ । ପ୍ରତ୍ୟେକ ଦିନ ରୋଗୀଙ୍କ ସହ ଭିନ୍ନ ଭିନ୍ନ ଢଙ୍ଗରେ କଥାବାର୍ତ୍ତା କରିଥାଏ । ତେବେ ଏନେଇ ହସ୍ପିଟାଲରେ ଲାଗିଥିବା କ୍ୟାମେରା ଏବଂ କିଛି କର୍ମଚାରୀଙ୍କ ଅଭିଯୋଗ କ୍ରମେ କର୍ତ୍ତୃପକ୍ଷ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ହେଲେ ପୋଲିସ ତାଙ୍କୁ କଡା ଚେତାବନୀ ଦେଇଥିଲା । ଚେତାବନୀ ପରେ ମଧ୍ୟ ଉକ୍ତ ବ୍ୟକ୍ତି ଜଣଙ୍କ ପୁଣିଥରେ ହସ୍ପିଟାଲରେ ବୁଲୁଥିବା ଦେଖିବାକ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...କ୍ୟାପିଟାଲ ହସ୍ପିଟାଲକୁ NQAS କ୍ୱାଲିଟି ସାର୍ଟିଫିକେଟ, ଦେଶର ଶ୍ରେଷ୍ଠ ହସ୍ପିଟାଲ ମଧ୍ୟରେ ହେଲା ସାମିଲ

ସେହିପରି କ୍ୟାପିଟାଲ ହସ୍ପିଟାଲର ସୁପରସ୍ପେଶିଆଲିଟି ବିଭାଗ ଉପରେ ଏବେ ଦଲାଲଙ୍କ ନଜର । ଏହି ସୁପରସ୍ପେଶିଆଲିଟି ବିଭାଗରେ ପ୍ରାୟ ୬ ଟି ବହିଃ ବିଭାଗ କାର୍ଯ୍ୟକରୁଛି । ତେବେ ଅନେକ ରୋଗୀଙ୍କୁ ମଧ୍ୟ ବାହାର ସରକାରୀ ହସ୍ପିଟାଲକୁ ସ୍ଥନ୍ତର କରାଯାଉଛି । ହେଲେ ଏହାର ଫାଇଦା ନେଉଛନ୍ତି ଦଲାଲ । ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଦଲାଲଙ୍କ ବିରୋଧରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ଲୁଚିଛପି ଦଲାଲ ସେମାନଙ୍କ କାର୍ଯ୍ୟ କରି ଖସି ପଳାଉଛନ୍ତି । ଏପରିକି ହସ୍ପିଟାଲର ଏକ ନିର୍ଦ୍ଦିଷ୍ଟ ବିଭାଗରେ ଦୁଇ ଜଣ ଯୁବକ କାମ କରୁଛନ୍ତି । ସେମାନଙ୍କୁ କିଏ ନିଯୁକ୍ତି କଲା । ସେମାନଙ୍କର କେଉଁ କାର୍ଯ୍ୟ କରୁଛନ୍ତି । କେଉଁମାନଙ୍କ ସହିତ ମିଶୁଛନ୍ତି ଏଭଳି ଅନେକ ଜିନିଷ ସନ୍ଦେହ ଘେରରେ ରହିଛି ବୋଲି ସୂଚନା ମିଳିଛି ।


ତେବେ ହସ୍ପିଟାଲରେ ବୁଲୁଥିବା କିଛି ଦଲାଲଙ୍କ ବିଷୟରେ ଜଣାପଡ଼ୁଛି । ସେମାନଙ୍କ ହାବଭାବକୁ ନଜର ରଖାଯାଇଛି । ଯଦି କେହି କୌଣସି ଦଲାଲଗିରି କରେ ତେବେ ତୁରନ୍ତ ପୋଲିସକୁ ଖବର ଦିଆଯାଉଛି । ଏ ଦିଗରେ ସମସ୍ତେ ଯତ୍ନବାନ ଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details