ବରଗଡ଼: ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସାରୀ ମାନଙ୍କର ଶିଳ୍ପ । କଂସାଶାଳରୁ ଆଉ ଶୁଭୁନି ଠକ୍ ଠାକ୍ ଶବ୍ଦ । ନିଆଁ ଧାସରେ ସନ୍ତୁଳି ହୋଇ କଂସାକୁ ପିଟିପିଟି ଜୀବନ୍ତର ସ୍ପର୍ଶ ଦେଉଥିବା କଂସାରୀ ଧିରେ ଧିରେ କାମରୁ ମୁହଁ ଫେରୁଛନ୍ତି । ଅନ୍ୟପଟରେ କଂସା, ପିତ୍ତଳର ଦରଦାମ ବୃଦ୍ଧି ସାଙ୍ଗକୁ ଫାଇବର ପ୍ଲାଷ୍ଟିକ ଓ ଷ୍ଟିଲର ଚାହିଦା ବୃଦ୍ଧି କଂସା କାରିଗରଙ୍କ ପେଟରେ ଲାତ ମାରିଛି । ଦିନେ ଭଲ ରୋଜଗାର କରୁଥିବା କଂସା କାରିଗର, ଏବେ ନିଜ ପରିବାର ପରିପୋଷଣ କରିବା ପାଇଁ ଅସହାୟ ହୋଇପଡ଼ିଛି । ଫଳରେ କାରିଗର ମାନେ ଆଜି ନିଜର କୌଳିକ ବୃତ୍ତି ଛାଡି ଅନ୍ୟତ୍ର ଦାଦନ ଖଟିବାକୁ ଯାଉଛନ୍ତି । ସମୟ ଥିଲା ଯେବେ ବରଗଡ଼ର କଣ୍ଟାପାଳିରେ 80 ପ୍ରତିଶତ ଲୋକ କଂସା କାରିଗରୀ କାମ କରୁଥିଲେ ହେଲେ ଏବେ ଗ୍ରାମରେ ମାତ୍ର କିଛି ହାତଗଣତି କଂସା କାରିଗର ରହିଛନ୍ତି ।
ବରଗଡ଼ ଜିଲ୍ଲାର କଟାପାଲି ଓ ଟୁକୁରା ଗାଁରେ ରହନ୍ତି ୫ଶହ କଂସାରୀ ପରିବାର । ବର୍ତ୍ତମାନ ଅଳ୍ପ କିଛି ପରିବାର ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ଏବଂ କଂସା କାରବାର ଜାରି ରଖିଛନ୍ତି । ଲୋକେ ଏବେ କେବଳ ବିବାହ, ବ୍ରତ ଅବା କୌଣସି କାର୍ଯ୍ୟ ପାଇଁ କଂସାବାସନ କିଣୁଛନ୍ତି । ଫଳରେ ଏଥିରୁ ପେଟ ପୋଷୁଥିବା କାରିଗର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ତେବେ କାରିଗର ମାନେ ପ୍ରତିଦିନ ଭୋର ୪ ଟାରୁ ଉଠି ସେମାନେ କଂସାର ପ୍ଲେଟ, ଥାଳି, ଘଚା, ବେଲା ଓ ପରାତ ଥାଳି ଆଦି ତିଆରିରେ ଲାଗିପଡ଼ନ୍ତି । ଏଥିପାଇଁ ଆବଶ୍ୟକ କଞ୍ଚାମାଲକୁ କୋଇଲା ଭାଟିର ଉଚ୍ଚ ତାପମାତ୍ରରେ ତରଳାଇବା ପରେ ସେସବୁକୁ ବିଭିନ୍ନ ପ୍ରକାର ଛାଞ୍ଚରେ ଢ଼ଳା ଯାଇ କଂସାବାସନ ସବୁ ତିଆରି କରାଯାଇଥାଏ । ମେସିନ ତିଆରି କଂସା ବାସନ ଓ କଞ୍ଚାମାଲର ଦର ବୃଦ୍ଧି ଯୋଗୁ ଧିରେ ଧିରେ ହାତ ତିଆରି କଂସା ସାମଗ୍ରୀର ଚାହିଦା ହ୍ରାସପାଇବାରେ ଲାଗିଛି । ଏପରିକି ଲୋକେ ଏବେ କେବଳ ବିବାହ, ବ୍ରତ ଅବା କୌଣସି କାର୍ଯ୍ୟ ପାଇଁ କଂସାବାସନ କିଣୁଛନ୍ତି ।