ଭୁବନେଶ୍ବର:କମେଣ୍ଟମରାକୁ କେନ୍ଦ୍ର କରି ଅଶାନ୍ତ ସହିଦନଗର । ଦୁଇ ଦିନ ପୂର୍ବେ ଦୁଇ ଗୋଷ୍ଠୀ ମଧ୍ୟରେ ହଣାହଣି ପରେ ଏବେ ବୋମାମାଡ କରି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ବୋମାମାଡରେ ୯ ଫୁଟ ଉଚ୍ଚରେ ଉଡ଼ିଲା ବାଇକ, ଭାଙ୍ଗିଲା କାର । ଗତକାଲି(ଶୁକ୍ରବାର) ରାତିରେ ସହିଦନଗର ଓ୍ବିନର ଆସୋସିଏସନ୍ ପାଖରେ ବୋମାମାଡ ହୋଇଥିଲା । ଫଳରେ ସହିଦନଗରରେ ଆତଙ୍କ ଖେଳିଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଶ୍ବରଞ୍ଜନ ବିଶ୍ବାଳ ସହ ତାର ୨ ସହଯୋଗୀଙ୍କୁ ଅକଟ ରଖିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛି ।
ବୋମାମାଡ ହୋଇଥିବା ଓ୍ବିନର୍ସ କ୍ଲବ ପାଖରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, 50ରୁ 60 ଜଣ ଯୁବକ ହାତରେ ଖଣ୍ଡା ଭୁଜାଲି ଧରି ଏକାଠି ଆସି କ୍ଲବ ସାମ୍ନାରେ ବାଣ ଫୁଟାଉ ଥିବା କ୍ଲବ ମେମ୍ବରଙ୍କୁ ଗୋଡେଇଲେ। ଏହାପରେ ବୋମାମାଡ କରିଥିଲେ । ଫଳରେ ସେଠାରେ ଥିବା 5ଟି ଗାଡି ନଷ୍ଟ ହୋଇଯାଇଛି । ଏକ ବାଇକ ଉଡି ଉଡି ତଳେ ପଡିଥିଲା । କାର କାଚ ଭାଙ୍ଗି ଯାଇଥିଲା । ବୋମା ମାଡ ପରେ ସ୍ଥାନୀୟ ଲୋକେ ଏଣେତେଣେ ଦୌଡି ପଳାଇଥିଲେ । ସେମାନେ ସବୁ ଗୋଶାଳା ପିଲା । କିଛି ଜଣଙ୍କ ନାମ ମଧ୍ୟ ଜଣାଅଛି ।
ପୋଲିସ ତଦନ୍ତ ଜାରି:
ବୋମାମାଡ ନେଇ ଖବର ପାଇବା ପରେ ଘଟଣାସ୍ଥଳର ସହିଦନଗର ଥାନା ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ କମେଣ୍ଟ ମରାକୁ ନେଇ ଏଭଳି ଆତଙ୍କରେ ଘଟାଇଥିବା ବେଳେ ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ବିବାଦ ରହିଛି । ଦୁଇ ଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଯୋଗୁଁ ଜଣଙ୍କର ମୁଣ୍ଡକୁ ହାଣି ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ସିରିଜ ବୋମାମାଡ, ଥରିଲା ବାପୁଜୀନଗର-ଶିଶୁଭବନ - bomb blast in Bhubaneswar