ପାରଳାଖେମୁଣ୍ଡି:ସୀତା ସାଗରରୁ ଉଦ୍ଧାର ହୋଇଛି ବ୍ୟବସାୟୀଙ୍କ ମୃତଦେହ । ଯାହାକି ଏକ ବସ୍ତାରେ ପ୍ୟାକିଂ ହୋଇ ରହିଥିଲା । ମୃତ ବ୍ୟକ୍ତି ଜଣକ ହେଲେ ପାରଳାଖେମୁଣ୍ଡି ନୂଆ କାମ୍ପ ସାହି ବାସିନ୍ଦା କୃଷ୍ଣଚନ୍ଦ୍ର ପଣ୍ଡା ।
ସୂଚନା ଅନୁସାରେ, କୃଷ୍ଣଚନ୍ଦ୍ର ବୁଧବାର ସନ୍ଧ୍ୟାରୁ ନିଖୋଜ ଥିଲେ । ଗତ ଦୁଇ ଦିନ ହେଲା ୬୦ବର୍ଷୀୟ କୃଷ୍ଣଚନ୍ଦ୍ରଙ୍କ ପତ୍ତା ମିଳୁନଥିବାବେଳେ ଆଜି ଏଭଳି ଅବସ୍ଥାରେ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଏହା ଏକ ଅପହରଣ ଓ ହତ୍ୟା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି । "ତଦନ୍ତ ଜାରି ରହିଛି, ଅତିଶୀଘ୍ର ରହସ୍ୟ ଉପରୁ ପରଦା ହଟିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ।
ସିସିଟିଭି ଖୋଲିଲା ସତ:
ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନମିଳିବାରୁ ଗୁରୁବାର ପୋଲିସର ଦ୍ବାରସ୍ଥ ହୋଇଥିଲେ । ପାରଳାଖେମୁଣ୍ଡି ଥାନା ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କୃଷ୍ଣଙ୍କୁ ଶେଷ ଥର ଯେଉଁଠି ଦେଖିବାକୁ ମିଳିଥିଲା ସେହି ଅଞ୍ଚଳରୁ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା । ଯେଉଁଥିରୁ କୃଷ୍ଣ ଯେଉଁ ଘରକୁ ବୁଧବାର ସନ୍ଧ୍ୟାରେ ଯାଇଥିଲେ ସେ ଯିବାର ଅଧଘଣ୍ଟା ପରେ ସେହିଘରୁ କିଛି ଲୋକ ଏକ ମୁହଁ ବନ୍ଧା ଅଖାକୁ ଆଣି ଅଟୋରେ ଲୋଡ୍ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ସେଥିରୁ ପୋଲିସ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଜାଣିବା ପରେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରିଥିଲା ।