ଭୁବନେଶ୍ବର:ଆନ୍ଦୋଳନକୁ ଓହ୍ଲାଇଲେ ସଫେଇ କର୍ମଚାରୀ । ଭୁବନେଶ୍ୱରରେ ସଫେଇ କର୍ମଚାରୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଦରମା ବୃଦ୍ଧି ସହ ଠିକା ସଂସ୍ଥା ଉଠାଇବା ଭଳି ୬ ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି । ଆଜି ରାଜଧାନୀର କୌଣସି ୱାର୍ଡରୁ ଅଳିଆ ହଟିନଥିବା ବେଳେ ସଫେଇ କର୍ମଚାରୀ ମାନେ ରାଜମହଲ ଛକରେ ଆନ୍ଦୋଳନ କରିଥିଲେ । ଏହାସହ ସଫେଇ କର୍ମଚାରୀଙ୍କୁ ବିଏମସି ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ।
ସେମାନଙ୍କ ଦାବି ମୁତାବକ ଦରମା ୯ ହଜାରରୁ ୧୫ ହଜାରକୁ ବୃଦ୍ଧି ଓ ଆବର୍ଜନାକୁ ପୃଥକ କରିବା ପାଇଁ ଅନ୍ୟ କର୍ମଚାରୀ ନିଯୁକ୍ତି କରିବା କିମ୍ବା ମେସିନ ସାହାଯ୍ୟରେ ପୃଥକ କରିବା ପାଇଁ ଦାବି କରିଛନ୍ତି । ତେବେ ଏହି ଆନ୍ଦୋଳନକୁ ଯୋଗୁଁ ରାଜଧାନୀର ପ୍ରାୟ ୫୫ଟି ୱାର୍ଡରୁ ଅଳିଆ ଉଠିନଥିବା ଦେଖିବାକୁ ମିଳିଛି । ଗୋଟେ ପଟେ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରୁଥିବା ବେଳେ ସେପଟେ ଆନ୍ଦୋଳନ ବନ୍ଦ କରିବା ପାଇଁ ସଫେଇ କର୍ମଚାରୀଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ କରିଛି ସଂଘ ।
ଅନ୍ୟପଟେ ଦାବି ପୂରଣ ନ ହେଲେ ଆସନ୍ତାକାଲି ଠାରୁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଘ । କାରଣ ପୂର୍ବରୁ ମଧ୍ୟ ବାରମ୍ବାର ସଫେଇ କର୍ମଚାରୀମାନେ ସେମାଙ୍କର ଦାବିକୁ ନେଇ ବିଏମସି ସହ ଆଲୋଚନା କରିଥିଲେ । କିନ୍ତୁ ସବୁ ଆଲୋଚନା ବିଫଳ ହୋଇଛି । ବିଏମସି ପ୍ରତିଶୃତି ଦେଇଥିଲା ଦାବି ସମୂହକୁ ଆଲୋଚନା ମାଧ୍ୟମରେ ପୂରଣ କରିବ ବୋଲି ହେଲେ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ତାହା ପୂରଣ ନ କରିବାରୁ ଶେଷରେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି ଅନ୍ଦୋଳନକାରୀ ।