ଭୁବନେଶ୍ବର: ଆଗତ ହୋଇଛି ଭୁବନେଶ୍ବର ମହାନଗର ନିଗମର ବଜେଟ୍ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଏମ୍ସିର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ ହୋଇଛି । ଏ ବର୍ଷର ବଜେଟକୁ ବିଏମ୍ସି ବହୁମାତ୍ରାରେ ଗୋଷ୍ଠୀ କଲ୍ୟାଣ ଅଭିମୁଖୀ କରିବାକୁ ପ୍ରୟାସ କରିଛି । ସାଧାରଣ ନାଗରିକ ବିବାହ, ବ୍ରତ ବା ଶୁଭ କାର୍ଯ୍ୟ ପାଇଁ ଦାମୀ ହୋଟେଲ ବା କଲ୍ୟାଣ ମଣ୍ଡପଟିଏ ନିଜ ବଜେଟ୍ରେ ପାଇପାରୁ ନାହାଁନ୍ତି, ସେହିମାନଙ୍କୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ୧୦ ଗୋଟି କଲ୍ୟାଣ ମଣ୍ଡପ, ସ୍ବାସ୍ଥ୍ୟ ସେବାକୁ ପରିବ୍ୟାପ୍ତ କରିବା ପାଇଁ ଆଉ ୪ ଗୋଟି ଅର୍ବାନ ୱେଲନେସ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ବର୍ଷା ଦିନେ ଲୋକମାନଙ୍କୁ ଆକସ୍ମିକ ଜଳବନ୍ଦୀକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ପମ୍ପସେଟ୍ କ୍ରୟ, ଜରୁରୀ କାଳୀନ ପରିସ୍ଥିତି ପାଇଁ ଡିଜି ସେଟ୍ କ୍ରୟ ଆଦି ରହିଛି ।
ଭୁବନେଶ୍ବର ମହାନଗର ନିଗମର ସୁପରିଚାଳନା ପାଇଁ ୧୦୫.୯୬ କୋଟି, ପରିମଳ ଓ ବର୍ଜ୍ୟ ସଂଗ୍ରହ ପାଇଁ ୧୧୧.୧୯ କୋଟି, ଏକାମ୍ର ଯୋଜନା ପାଇଁ ୧୧୩ କୋଟି, ଭୂମି ଅଧିଗ୍ରହଣ ପାଇଁ ୫୦ କୋଟି, ପେଭର ବ୍ଲକ ରାସ୍ତା ନିର୍ମାଣ ପାଇଁ ୯୭.୭୨ କୋଟି, ଡ୍ରେନ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୧.୪୭ କୋଟି, ୱାର୍ଡ ଅଫିସ ନିର୍ମାଣ ପାଇଁ ୨୧ କୋଟି, ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ୨୫.୫୧ କୋଟି ସହ ଯାନବାହାନ କ୍ରୟ, ପାନୀୟ ଜଳ, ଆଲୋକୀକରଣ ଏବଂ ଅନ୍ୟାନ୍ୟ ମୌଳିକ କାର୍ଯ୍ୟକୁ ଗୁରୁତ୍ବ ଦେଇ ୧୫୧୪.୪୫ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ...ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ବିଏମସିର ଜୁଲୁମ, ବଳ ପୂର୍ବକ ଆନ୍ଦୋଳନରୁ ଉଠାଇ ନେଲା