ଭୁବନେଶ୍ବର:ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାସଙ୍କ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ଗୋପାଳପୁର ବିଧାୟକ ତଥା ଚଳିତଥର ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଜି ଭୁବନେଶ୍ବର ‘ଏମ୍ସ’ରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କୁ ଆକ୍ରମଣ ଘଟଣା ପାଇଁ ସେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି । ସେଦିନ ପୋଲିସ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିଲା । କେବଳ ସେହି ଘଟଣା ନୁହେଁ ବରଂ ପୂର୍ବରୁ ମଧ୍ୟ ତାଙ୍କ ଉପରେ ଏକାଧିକ ଥର ଆକ୍ରମଣ ହୋଇଛି । ଯାହା ପୋଲିସର ସମ୍ପୂର୍ଣ୍ଣ ବିଫଳତା ବୋଲି ମଧ୍ୟ ପ୍ରଦୀପ ଅଭିଯୋଗ କରିଛନ୍ତି ।
ହସ୍ପିଟାଲରୁ ବାହାରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରଦୀପ କହିଛନ୍ତି,‘‘ଅପରେସନ ପରେ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି । ଛାତିରେ ଯେଉଁ ହାଡ଼ ଭାଙ୍ଗିଛି, ତାହା ଠିକ୍ ହେବାକୁ ଆଉ ପ୍ରାୟ ୩ ମାସ ଲାଗିବ । ସର୍ବନିମ୍ନ ଚିକିତ୍ସା ପରେ ନିର୍ବାଚନ ପାଇଁ ହସପିଟାଲରୁ ବାହାରିଛି । ଜଣେ କାର୍ଯ୍ୟରତ ବିଧାୟକଙ୍କୁ ପୋଲିସ ସାମ୍ନାରେ ମାଡ଼ ମାରିବା ପୋଲିସର ବିଫଳତାକୁ ଦର୍ଶାଉଛି । ମୁଁ ପୁଲିଂ ବୁଥ ସିଲ ହୋଇଛି କି ନାହିଁ, ତଦାରଖ କରିବା ପାଇଁ ଯାଇଥିଲି । ସେଠାରେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସ୍ଵାଧୀନ ପ୍ରାର୍ଥୀ ମତେ ମାଡ଼ ମାରିଲେ । ଏହି ଘଟଣା ପରେ ପୋଲିସ ଡିଜି ନିର୍ବାଚନୀ ହିଂସାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଲେ । କେବଳ ନିର୍ବାଚନ ଆୟୋଗଙ୍କୁ ଡରି ଡିଜି ଏପରି ମନ୍ତବ୍ୟ ଦେଇଛନ୍ତି ।’’
ଏହା ମଧ୍ୟ ପଢନ୍ତୁ :- ଏମ୍ସରେ ଭର୍ତ୍ତି ହେଲେ ପ୍ରଦୀପ ପାଣିଗ୍ରାହୀ, ଗତକାଲି ସ୍ବାଧୀନ ପ୍ରାର୍ଥୀ କରିଥିଲେ ଆକ୍ରମଣ - Attack on Pradeep Panigrahi