ଭୁବନେଶ୍ବର:ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ମାମଲାର ରାୟ ଆସିଛି । ଦୀର୍ଘ 4ବର୍ଷ ପରେ ପରୀକୁ ନ୍ୟାୟ ମିଳିଛି । ଦୋଷୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ନୟାଗଡ଼ ସ୍ପେଶାଲ ଚିଲଡ୍ରେନ କୋର୍ଟ । ଗୋଟେ ପଟେ ପରୀକୁ ନ୍ୟାୟ ମିଳିଥିବା ବେଳେ ଅନ୍ୟ ପଟେ ଏହି ମାମଲାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଏକ ସମ୍ବାଦିକ ସମ୍ମିଳନୀ କରି ପରୀ ହତ୍ୟାକୁ ନେଇ ବିଜେପି ହୀନ ରାଜନୀତି କରିଥିବା କହିଛନ୍ତି ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।
ବିଜୁ ଜନତା ଦଳ ମହିଳା ଶାଖା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ନାବାଳିକା ପରୀ ନିଖୋଜ ଓ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦ ଥିଲା । ଯାହା ସମସ୍ତଙ୍କୁ ମର୍ମାହତ କରିଥିଲା । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଯୋଗୁଁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ । ତଦନ୍ତକୁ ତଦାରଖ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ । ନିୟମିତ ବ୍ୟବଧାନରେ ତଦନ୍ତର ଅଗ୍ରଗତି ନେଇ ଏସଆଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରୁଥିଲା । ଏସଆଇଟି ବହୁ ପରିଶ୍ରମ କରି ପ୍ରକୃତ ଅପରାଧୀକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣ ଜୁଟାଇଥିଲା । ଯାହା ଫଳରେ ଆଜି ଅପରାଧୀକୁ ୨୦ ବର୍ଷ ଦଣ୍ଡ ବିଧାନ ହୋଇଛି । ପରୀକୁ ନ୍ୟାୟ ମିଳିଛି । ଏହି ଐତିହାସିକ ରାୟ ଆସିବା ପରେ ରାଜ୍ୟ ବିଜେପି ନେତାଙ୍କର ଅସଲ ମୁଖା ଖୋଲିଯାଇଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶାରେ ବିଜେପିର କିଛି ନେତା ପରୀ ନିଖୋଜ ଓ ହତ୍ୟା ମାମଲାର ରାଜନୀତିକରଣ କରିଥିଲେ । ତଦନ୍ତକୁ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ । ଏହା ଓଡିଶାବାସୀଙ୍କୁ ଶକ୍ତ ଆଘାତ ଓ ଦୁଃଖ ଲାଗିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ବାରମ୍ବାର ପ୍ରସଙ୍ଗର ରାଜନୀତିକରଣ କରି ମାମଲାକୁ ବିଳମ୍ବିତ ଓ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ । ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଉଦ୍ୟମ କରି ଝଟକା ପାଇଥିଲେ । ଦେଶର ନାମୀଦାମୀ ଓକିଲଙ୍କୁ ମାମଲା ଲଢିବାକୁ କୋର୍ଟରେ ଠିଆ କରାଇଥିଲେ । ପାଞ୍ଚ ବର୍ଷର ଜଣେ କୋମଳମତି ନୀରିହ ଶିଶୁର ହତ୍ୟା ଘଟିଥିଲା । ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏହିଭଳି ମାମଲାରେ ଜଣେ ବ୍ୟକ୍ତି କିଭଳି ରାଜନୀତି କରିପାରିବ, ତାହା ହିଁ ଓଡିଶାବାସୀଙ୍କୁ ଆଚମ୍ବିତ କରିଥିଲା ।"