ଭୁବନେଶ୍ବର: ସ୍ପଷ୍ଟ ଦିବାଲୋକରେ ପୋଲିସ ମିତ୍ରଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବା ଘଟଣା ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ନୟାଗଡର ଶରଣକୂଳରୁ ଗିରଫ କରିଛି ପୋଲିସ । ଘଟଣାରେ ଜଣେ ମହିଳା ଅଭିଯୁକ୍ତ ଥିବା ପୋଲିସ ସୂଚନା ଦେଇଛି । ଏମାନେ କାହିଁକି ପୋଲିସ ମିତ୍ରଙ୍କୁ ହତ୍ୟା କଲେ ଅନୁସନ୍ଧାନ କରୁଛି ପୋଲିସ । ପ୍ରବାସୀ ଭାରତୀୟ ଦିବସ ପାଇଁ ଚଳଚଞ୍ଚଳ ରାଜଧାନୀରେ ଆଜି ସକାଳୁ ଏହି ହତ୍ୟାକାଣ୍ଡର ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା । ହିଷ୍ଟ୍ରି ସିଟର୍ଙ୍କ ରେକର୍ଡ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ରାଜଧାନୀର ବିଭିନ୍ନ ବସ୍ତିରେ ଚଢାଉ କରିଥିଲା ପୋଲିସ । ଡ୍ରଗ୍ସ କାରବାର ନା ରାଜନୈତିକ ଆକ୍ରୋଶ ଏସବୁ ଦିଗକୁ ତଦନ୍ତ ପରିସରକୁ ଆଣିଛି କମିଶନରେଟ ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ଧଳାଜହର କାରବାରକୁ ନେଇ ହୋଇଥିବା ଜଣାପଡିଛି ।
ବିଜେପି-ବିଜେଡି ଦୋଷ ଲଦାଲଦି
ରାଜଧାନୀ ହତ୍ୟାକାଣ୍ଡ ଘଟଣା ପରେ ବିଜେପି ବିଜେଡି ମଧ୍ୟରେ ଦୋଷ ଲଦାଲଦି ପର୍ବ ଆରମ୍ଭ ହୋଇଯାଇଛି । ବିଜେଡି ଅଭିଯୋଗ କରିଛି ଯେ ଆଇନଶୃଙ୍ଖଳା ନେଇ ସରକାର ଫେଲ । ପ୍ରବାସୀ ଭାରତୀୟ ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ । ଭୁବନେଶ୍ୱରରେ ବିଗିଡିଛି ଆଇନ ଶୃଙ୍ଖଳା ସ୍ଥିତି। ସ୍ପଷ୍ଟ ଦିବାଲୋକରେ ପୋଲିସ ମିତ୍ରଙ୍କର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି କରାଯାଉଛି ବିଭତ୍ସ ହତ୍ୟାକାଣ୍ଡ । ଏଭଳି ସ୍ଥିତିରେ ଅସୁରକ୍ଷିତ ପାଲଟିଛି ରାଜ୍ୟ ରାଜଧାନୀ ବୋଲି ଅଭିଯୋଗ କରିଛି ବିଜେଡି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ମତ ରଖିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଓ ମିଡ଼ିଆ ସଂଯୋଜକ ଲେଲିନ ମହାନ୍ତି । ସେପଟେ ବିଜେଡିର ଜବାବ ଦେଇଛି ବିଜେପି । ଦଳ କହିଛି 24 ବର୍ଷରେ ଦୋଷୀ ଧରା ପଡୁନଥିଲେ ହେଲେ 6 ମାସର ବିଜେପି ସରକାରରେ ଖସି ଯାଇପାରିନାହାନ୍ତି ଗୋଟିଏ ବି ଦୋଷୀ ।
ଶାନ୍ତିପ୍ରିୟ ଓଡିଶା ପାଇଁ ଶୁଭ ସଙ୍କେତ ନୁହେଁ
ଆଇନଶୃଙ୍ଖଳା ନେଇ ବିଜେପି ସରକାରକୁ କଡା ସମାଲୋଚନା କଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ‘‘ଆଜିର ଘଟଣା ଶାନ୍ତିପ୍ରିୟ ରାଜ୍ୟ ଓଡିଶା ପାଇଁ ପରିଚୟର ଶୁଭ ସୂଚନା ନୁହେଁ । ଆଗରୁ ଏପରି କେବେ ହେଉନଥିଲା ଯାହା ଏବେ ହେଉଛି। ଯେତେବେଳେ ପ୍ରବାସୀ ମାନଙ୍କୁ ଆମେ ସ୍ୱାଗତ କରୁଛୁ ସେହି ସମୟରେ ଏପରି ଘଟଣା ଘଟୁଛି । ଆସୁଆସୁ ପ୍ରବାସୀ ଭାରତୀୟଙ୍କୁ ଶାନ୍ତିପ୍ରିୟ ରାଜ୍ୟର ପ୍ରତିଫଳନ ଆଜି ଭୁବନେଶ୍ବରରେ ଦେଖିବାକୁ ମିଳିଛି । କାଛୁ କୁଣ୍ଡିଆ ରାଜଧାନୀରେ ସ୍ନୋ ପାଉଡର ଲଗାଇ ନୂଆ ସାର୍ଟ ପିନ୍ଧାଇ ଦେଇଛନ୍ତି ମୋହନ ସରକାର । ଆଇନ କାନୁନ ଓଡିଶାରେ ନାହିଁ । ତାଙ୍କ ଦଳର ବରିଷ୍ଠ ନେତା ନିଜେ କହୁଛନ୍ତି ତାଙ୍କର ଜଣେ ନେତାଙ୍କ ସୁପାରୀ କିଲିଂ ହେଉଛି । ଆଜିର ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ।’
ସେ ଆହୁରି କହିଛନ୍ତି, ‘ଏଇଟା ଗୋଟିଏ ଭୁଲ ସିଗ୍ନାଲ ଦେଉଛି ଯାହା ଦ୍ବାରା ଓଡିଶାର ଚିତ୍ର ଖରାପ ହେବ । ଆଇନ କାନୁନ ସରକାର ଟିକେ ସଜାଗ ହୋଇ ରକ୍ଷା କରନ୍ତୁ । ଏପରି ଘଟଣା ଆଗରୁ ହେଉ ନଥିଲା । କହି ଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ଘରକୁ । ଭୁବନେଶ୍ୱର ଭିତରେ ଯଦି ଏପରି ଘଟଣା ହେଉଛି ରାଜ୍ୟର ଅବସ୍ଥା କଣ ? ପ୍ରବାସୀ ଭାରତୀୟ ପାଇଁ ରାଜଧାନୀକୁ ସ୍ନୋ ପାଉଡର ଲଗାଇ, ଲିପ୍ସଟିକ ଲଗାଇ ନୂଆ ସାର୍ଟ ପିନ୍ଧେଇ ଦେଲ ହେଲେ ସେ ହଲର ହଲର ହେଉଥିବା କାଛୁ କୁଣ୍ଡିଆ ହେଲା ଭଳିଆ ତା ଦେହ ହେଉଥିବ । ଏହାଠୁ ବଡ ଆଇନ ଶୃଙ୍ଖଳା ପରିସ୍ଥିତି ରାଜ୍ୟ ପାଇଁ ଆଉ କଣ ହୋଇପାରେ ।’
ସେତେବେଳେ ଦୋଷୀ ଧରା ପଡୁନଥିଲେ ଏବେ ସଜା ପାଉଛନ୍ତି
ସେପଟେ ବିଜେଡିକୁ ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ‘‘ପୋଲିସ ତଦନ୍ତ ଚଳାଇଛି । ପୋଲିସର ତତ୍ପରତା ଯୋଗୁଁ ଖୁବ ଶୀଘ୍ର ଧରାପଡିବେ ଦୋଷୀ । ଏଥିରେ କୌଣସି ହେଳା କରାଯିବନି । ସେତେବେଳେ ଦୋଷୀ ଧରାପଡୁନଥିଲେ ଏବେ ଦୋଷୀଙ୍କୁ ସଜା ମିଳୁଛି । 6 ମାସର ପୋଲିସ ଇତିହାସ କହୁଛି ଅପରାଧ କରି ଅପରାଧୀ ଖସି ପାରି ନାହାନ୍ତି। ଆଜିର ଘଟଣାକୁ ନେଇ ତଦନ୍ତ ହେବ ବହୁତ ଶୀଘ୍ର ଦୋଷୀଙ୍କୁ ଦଣ୍ଡ ମିଳିବ । 6 ମାସ ସରକାର ଭିତରେ କିଛି ଅପରାଧ ଘଟିଛି । ଏହାକୁ ନେଇ ବିରୋଧୀ ବିଧାନସଭା ଭିତରେ ଓ ବାହାରେ ପ୍ରଶ୍ନ ଉଠାଇଥିଲେ । ଗତ 24 ବର୍ଷ ସରକାର ଆଉ ଏଇ ସରକାର ମଧ୍ୟରେ ଗୋଟିଏ ପାର୍ଥକ୍ୟ ।’