ଭୁବନେଶ୍ବର:4 ବର୍ଷ ପରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ହେଲେ ନ୍ୟାୟ ଶୁଣିବାକୁ ଆଉ ଦୁନିଆରେ ନାହାନ୍ତି ପୀଡିତା ନାବାଳିକା । ତାଙ୍କ ବାପା ତାଙ୍କୁ ଦୁଷ୍କର୍ମ କରିଥିବାରୁ ଲଜ୍ଜା ସହିନପାରି ସେ ଜୀବନ ହାରିଥିଲେ । ଝିଅକୁ ଦୁଷ୍କର୍ମ ମାମଲାରେ ବାପାକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ଭୁବନେଶ୍ୱର ପୋକ୍ସୋ ଫାଷ୍ଟଟ୍ରାକ କୋର୍ଟ ।
ଝିଅକୁ ଦୁଷ୍କର୍ମ ପରେ ବାପାକୁ ଆଜୀବନ:
ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ ୨୦୨୧ ମସିହାରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାର ରାୟ ଶୁଣାଇଛନ୍ତି କୋର୍ଟ । ଏନେଇ ଦୋଷୀ ତଥା ପୀଡିତାର ବାପା ସକିଲା ଟୁଡୁକୁ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ। ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ ଘଟଣାରେ ୨୩ ଜଣ ସାକ୍ଷୀ ଓ ୨୬ଟି ଦସ୍ତାବିଜ ଆଧାରରେ ରାୟ ଶୁଣାଥିଲେ କୋର୍ଟ । ଏନେଇ ସରକାରୀ ଓକିଲ ରାଜିବ ସାମଲ କହିଛନ୍ତି,'' ଏହି ଘଟଣା ଅତ୍ୟଧିକ ଲଜ୍ଜା ଜନକ ଘଟଣା, ସଭ୍ୟ ସମାଜ ପାଇଁ ଖରାପ । ସବୁଦିନ ପାଇଁ ଯେପରି ଏହା ଏକ ଦୃଷ୍ଟାନ୍ତମୂଳକ ହେବ, ସେନେଇ ଏହି ଘଟଣାରେ ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ । ଏନେଇ ପ୍ରତିପକ୍ଷ ଓକିଲ ଓ ଅଭିଯୁକ୍ତଙ୍କ ପକ୍ଷରୁ ଅନେକ ଆଳ ଦେଖାଇ ଓ ଭୁଲ ପ୍ରମାଣ କୋର୍ଟରେ ଉପସ୍ଥାପନ କରିଥିଲେ ମଧ୍ୟ ଉପଯୁକ୍ତ ବଳିଷ୍ଠ ଯୁକ୍ତି ଓ ନ୍ୟାୟ ସଙ୍ଗତ ତଥ୍ୟ ଆଧାରରେ ପୀଡ଼ିତାକୁ ନ୍ୟାୟ ଦିଆଯାଇଛି । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ''
Man Sentenced To Life Imprisonment For Raping Daughter (ETV BHARAT ODISHA) କଣ ଥିଲା ସମ୍ପୂର୍ଣ୍ଣ ଘଟଣା:
୯ ଏପ୍ରିଲ୨୦୨୧ରେ ସହିଦନଗର ଥାନାରେ ପୀଡିତା ନାବାଳିକା ଜଣଙ୍କ ନିଜ ବାପା ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଚାରି ମାସ ପୁର୍ବରୁ ବିଭିନ୍ନ ସମୟରେ ରାତିରେ ତାଙ୍କ ବାପା ଦୁଷ୍କର୍ମ କରୁଥିବା ସେ ଅଭିଯୋଗ କରିଥିଲେ । ଖାଇବାକୁ ନଦେବା, ବାହାରକୁ ଯିବା ପାଇଁ ଖର୍ଚ୍ଚ ଓ ଚଳିବା ପାଇଁ କିଛି ନଯୋଗାଇବାର ଧମକ ଦେଖାଇ ଦୁଷ୍କର୍ମ କରିଥିବା ସହିଦନଗର ଥାନାରେ ନାବାଳିକା ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଏସଆଇ ସଂଯୁକ୍ତା ସାହୁ ଆରମ୍ଭ କରିଥିଲେ । ଏନେଇ କେ ୧୫୮/୨୦୨୧ରେ ପୋଲିସ ମାମଲା ରୁଜୁ କରି ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟରେ କେସ କରି ବାପା ସକିଲ ଟୁଡୁକୁ ଗିରଫ କରିଥିଲା । ଏନେଇ ପୀଡିତାର ବୟାନ ମଧ୍ୟ ରେକର୍ଡ କରାଯାଇଥିଲା ।ଏଥିସହିତ ସାଇଣ୍ଟିଫିକ ପ୍ରମାଣ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରମାଣ ଆଧାରରେ ତଦନ୍ତ କରି ଚାର୍ଜସିଟ୍ ଦାଖଲ ହୋଇଥିଲା । ଘଟଣାର ଅନେକ ପ୍ରମାଣ ଯେପରିକି ପାଠ ପଢୁଥିବା ସ୍କୁଲର ସାର୍ଟିଫିକେଟ ଓ ବିଏମସି ଜନ୍ମ ସାର୍ଟିଫିକେଟ ଓ ତାଙ୍କ ମା ଓ ଭାଉଜଙ୍କ ବୟାନ, ଅନ୍ୟାନ୍ୟ ଦସ୍ତାବିଜକୁ ଆଧାରକରି କୋର୍ଟ ଅଭିଯୁକ୍ତ ବାପାକୁ ଦୋଷୀ ସାବସ୍ତ କରିଥିଲେ।ଶେଷରେ ରାୟରେ ଆଜିବନ ସଜା ଶୁଣାଇଛନ୍ତି କୋର୍ଟ ।
Man Sentenced To Life Imprisonment For Raping Daughter (ETV Bharat Odisha) ଲଜ୍ଜା ସହିନପାରି ଜୀବନ ହାରିଥିଲେ ନାବାଳିକା:
ଏହି ଘଟଣାରେ ପୀଡିତା ଜଣଙ୍କ ନିଜ ଅଭିଯୋଗ କରିବାର ଛମାସ ମଧ୍ୟରେ ଜୀବନ ହାରିଥିଲେ । କାରଣ ନିଜ ବାପା ବିରୋଧରେ ସେ ଅଭିଯୋଗ କରିଥିଲେ । ଗୋଟିଏ ପଟେ ପରିବାରରେ ମାଆ ଓ ଭାଉଜ ପୀଡିତା ସପକ୍ଷରେ ଥିବାବେଳେ ଦୁଇ ଭାଇ ବାପା ସପକ୍ଷରେ ଥିଲେ । ପୋଲିସର ତଦନ୍ତ ପ୍ରକ୍ରିୟା ଚାଲୁଥିବା ସମୟରେ ସେ ଜୀବନ ହାରିଥିଲେ । ସେତେବେଳେ ପୋଲିସ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଥିଲା।
Man Sentenced To Life Imprisonment For Raping Daughter (ETV Bharat Odisha) ବାପା ସପକ୍ଷରେ ସାକ୍ଷୀ ଦେଲେ ଭାଇ:
ନାବାଳିକା ବାପା ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ବାପାକୁ ସମର୍ଥନ କରୁଥିଲେ ପୀଡିତାର ଦୁଇ ଭାଇ । ଏନେଇ ଅଭିଯୁକ୍ତ ବାପା ପକ୍ଷରୁ କୋର୍ଟରେ ପକ୍ଷ ରଖିଥିଲେ ଯେ ୪ଲକ୍ଷ ଟଙ୍କା ଓ ମୋବାଇଲ ଫୋନ ପାଇଁ ଦାବି କରି ନଦେବାରୁ ଏପରି ଅଭିଯୋଗ ଅଣାଯାଇଛି । ଏନେଇ ପ୍ରତିପକ୍ଷ ସରକାରୀ ଓକିଲ ଯୁକ୍ତି ସମୟରେ ଏହା ଭୁଲ ସାବ୍ୟସ୍ତ ହୋଇଥିଲା । ଏପରିକି ଏହି ଯୁକ୍ତି ଓ ପ୍ରମାଣ ସାକ୍ଷୀ ସମୟରେ ବାପାକୁ ସପକ୍ଷରେ ଦୁଇ ଭାଇ କୋର୍ଟରେ ସାକ୍ଷୀ ଦେଇଥିଲେ । ହେଲେ ବାପାର କୁକର୍ମ ପାଇଁ ଶେଷରେ ଦଣ୍ଡ ଭୋଗିବାକୁ ପଡ଼ିଛି ।
ଇଟିଭି ଭାରତ, ଭୁବନେଶ୍ବର