ନିଆଳି: ଆଜି ହେଉଛି ପବିତ୍ର ଭୌମ ଏକାଦଶୀ । ଏଥିପାଇଁ ଜଗନ୍ନାଥଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକ ମାଧବ ଗ୍ରାମସ୍ଥିତ ମାଧବାନନ୍ଦ ଜିୟୁଙ୍କ ପୀଠ ହୋଇ ଉଠିଛି ଚଳଚଞ୍ଚଳ । ମାମୁଁଙ୍କ ପାଇଁ ଭଣଜା ପଠାଇଛନ୍ତି ପାଟବସ୍ତ୍ର । ପୁରୀ ଜଗନ୍ନାଥ ନିଯୋଗ ସେବାୟତ ପକ୍ଷରୁ ସେବାୟତ ମାନେ ମାମୁଁ ମାଧବାନନ୍ଦଙ୍କ ପାଇଁ ପାଟବସ୍ତ୍ର ଭୋଗ ସାମଗ୍ରୀ ଧରି ପହଞ୍ଚିଛନ୍ତି । ଚାରିଛକ ଠାରୁ ସେବାୟତମାନଙ୍କୁ ମାଧବାନନ୍ଦ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏକ ବଢାର୍ଣ୍ଣ ପରିବେଶ ମଧ୍ୟରେ ସେବାୟତମାନଙ୍କୁ ମାଧବାନନ୍ଦ ଜିୟୁଙ୍କ ପୀଠ ପାଛୋଟି ଅଣାଯାଇଥିଲା । ନିଆଳିର ଆରାଧ୍ୟ ଦେବତା ମାଧବାନନ୍ଦଙ୍କ ପୀଠରେ ଭୌମ ଏକାଦଶୀ ଯାତ୍ରା ପ୍ରତିବର୍ଷ ପରି ଏ ବର୍ଷ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ପ୍ରତ୍ୟୁଷରୁ ମାଧବାନନ୍ଦଙ୍କ ନୀତିକାନ୍ତି ସହକାରେ ପୂଜା ଅର୍ଚ୍ଚନା କରାଯାଇଥିଲା । ଭୌମ ଏକାଦଶୀ ଦିନରେ ମାଧବାନନ୍ଦଙ୍କ ପାଖେ ଲାଗି ହୋଇଥିଲା ପ୍ରମୁଖ ଭୋଗ ଚୁଡା,ଗୁଡ,ନଡିଆ ଏବଂ କଦଳୀ । ସକାଳ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଏହି ଭୋଗ ମାଧବାନନ୍ଦଙ୍କ ନିକଟରେ ଭୋଗ ଲଗାଇଥିଲେ । ମାଧବାନନ୍ଦ ଜିୟୁ ପୀଠକୁ ଦୁର୍ଗା ମାଧବ ପୀଠ ବୋଲି ମଧ୍ୟ କୁହାଯାଏ । କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ସ୍ଵର୍ଗାରୋହଣ ପାଇଁ ପ୍ରାଚୀ ତଟ ଦେଇ ଯାଉଥିବା ବେଳେ ଭୌମାସୁର ଓ ଭୀମଙ୍କ ମଧ୍ୟରେ ଯୁଦ୍ଧ ହେଇଥିଲା । ଏଥିରେ ଭୌମାସୁରର ମୃତ୍ୟୁ ଘଟିଥିଲା । ସେହିଦିନ ଅର୍ଥାତ ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ବିଷ୍ଣୁଭକ୍ତ ଭୌମାସୁରର ମୃତ୍ୟୁ ପରେ ସେହି ଏକାଦଶୀ ନାମ ଭୌମ ଏକାଦଶୀ ଭାବରେ ନାମିତ ହୋଇଛି ।