କଟକ(ବାଙ୍କୀ):ସାରା ଦେଶ 76ତମ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ଉତ୍ସବମୁଖର ଥିବା ବେଳେ କଟକ ଜିଲ୍ଲାର ବାଙ୍କୀରେ ଘଟିଯାଇଛି ଦୁଃଖଦ ଘଟଣା । ସାଧାରଣତନ୍ତ୍ର ଦିବସରେ ଯୋଗ ଦେବାକୁ ଯାଉଥିବା ବେଳେ ପିକଅପ ଭ୍ୟାନ ଓଲଟି ଜଣେ ଛାତ୍ର ମୃତ 20ରୁ ଊର୍ଦ୍ଧ୍ବ ଆହତ । ମୃତକ ହେଲେ ଛାତ୍ର ସୌମ୍ୟ ରଞ୍ଜନ ବେହେରା ବୋଲି ଜଣାପଡିଛି ।
ଓଲଟିଲା ପିକଅପ ଭ୍ୟାନ:
76ତମ ଗଣତନ୍ତ୍ର ଦିବସ ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଆଉ ଏହି ଖୁସିରେ ସାମିଲ ହେବାକୁ କଟକ ଜିଲ୍ଲା ମାଳବିହାରୀପୁର ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀ ଯାଉଥିଲେ ସରଣ୍ଡା ଜୋନସ୍ତରୀୟ ସାଧାରଣତନ୍ତ୍ର ଦିବସର ପ୍ୟାରେଡରେ ଭାଗ ନେବା ପାଇଁ । ହେଲେ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ବାଙ୍କୀ ଥାନା ସରଣ୍ଡା ବିଟହାଉସ ନିକଟ ମାଳବିହାରପୁର ଗାଁ ରାସ୍ତାରେ ଓଲଟି ପଡିଥିଲା । ଫଳରେ ଏହି ଅଘଟଣ ଘଟିଛି । ଏଥିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।
ଗୁରୁତରଙ୍କୁ କଟକ SCB ସ୍ଥାନାନ୍ତର:
ଏହି ଦୁର୍ଘଟଣାରେ 20ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 8 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କୁ ପ୍ରଥମେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରେ 8 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଦୁର୍ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି:
ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବାଙ୍କୀ ତହସିଲଦାର ଓ ବାଙ୍କୀ ପୋଲିସ । ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ଦୁର୍ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ । ଗାଡି ଡ୍ରାଇଭରର ବେପରୁଆ ଗାଡି ଚାଳନା ପାଇଁ ଏପରି ଘଟିଥିବା କୁହାଯାଉଛି ।
ଏହା ମଧ୍ୟ ପଢନ୍ତୁ: ରାଜଧାନୀ ପରେ ପୁରୀରେ ଦୁର୍ଘଟଣା ଘଟାଇଲା ‘ମୋ ବସ’, ୩୦ରୁ ଊର୍ଦ୍ଧ୍ବ ଆହତ |