ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ - BANAKALAGI RITUALS

ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍ଗ ବନକଲାଗି ନୀତି । ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Banakalagi Ritual
Banakalagi Ritual (ETV Bharat Odisha)

By ETV Bharat Odisha Team

Published : Feb 19, 2025, 11:22 AM IST

ପୁରୀ:ଆଜି ଫାଲଗୁନ କୃଷ୍ଣପକ୍ଷ ଷଷ୍ଠୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀବିଗ୍ରହଙ୍କ ବନକଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମ୍ପାଦନ ବେଳେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ ।

Banakalagi Rituals At Puri Srimandir (ETV Bharat Odisha)

ବନକଲାଗି ନୀତି:

ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ, ଆଜି (ବୁଧବାର) ସନ୍ଧ୍ୟା ୫ଟାରେ ମହାପ୍ରଭୁଙ୍କ ଗୁପ୍ତ ନୀତି ବା ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯିବ । ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ସମୟ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିବ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ବନକଲାଗି କୁହାଯାଏ । ଆଜି ସନ୍ଧ୍ୟା ୫ଟାରେ ଶ୍ରୀଜିଉଙ୍କ ଗୁପ୍ତ ନୀତି ଅନୁଷ୍ଠିତ ହୋଇ ରାତି ୧୦ ଟାରେ ଏହା ଶେଷ ହେବ । ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ୫ ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ ।

Banakalagi Rituals At Puri Srimandir (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ..

ଏଥର ରଥଯାତ୍ରା ଭିଡ ଜଗିବ AI କ୍ୟାମେରା

ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ କରିବ AI କ୍ୟାମେରା, ଖୁବଶୀଘ୍ର ଲଗାଯିବାକୁ ନିଷ୍ପତ୍ତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ, କିପରି ଓ କାହିଁକି ହୁଏ ଏହି ଦୁର୍ଲଭ ବେଶ, ଜାଣନ୍ତୁ


ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର:

ଶ୍ରୀ ମନ୍ଦିରରେ ଶ୍ରୀବିଗ୍ରହଙ୍କ ଏହି ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ସେମାନଙ୍କୁ ଦତ୍ତମହାପାତ୍ର କୁହାଯାଏ । ସେମାନଙ୍କ କାମ ହେଉଛି ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହଙ୍କୁ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ। । ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ତେବେ ବନକଲାଗି ନୀତି ପରେ ମହାପ୍ରଭୁ ଅନ୍ୟାନ୍ୟ ନୀତି ବଢିବା ସହ ସଧାରଣ ଦର୍ଶନ ଆରମ୍ଭ ହୋଇଥାଏ ।
Banakalagi Rituals At Puri Srimandir (ETV Bharat Odisha)

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details