ବଲାଙ୍ଗୀର:" ଘର ଗଲା, ଦ୍ବାର ଗଲା, ଧନ-ସମ୍ପତ୍ତି ବି ଗଲା, ସବୁ ହରାଇବା ପରେ ଆଉ ବଞ୍ଚି କି ଲାଭ ? ମୋତେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ ।"ଏହା ହେଉଛି ଜଣେ ବହିଷ୍କୃତ ‘ସିଆରପିଏଫ’ ଯବାନଙ୍କ କଥା । ଚାକିରି ହରାଇବା ପରେ, ନ୍ୟାୟ ପାଇଁ ଅଦାଲଦ ଦୌଡି ଦୌଡ଼ି ସର୍ବସ୍ବାନ୍ତ ହୋଇଥିବା ବଲାଙ୍ଗୀରର ସୁଧୀର ଦାସ, ଶେଷରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଅନୁମତିି ପାଇଁ ଚିଠି ଲେଖିଛନ୍ତି । ଆସନ୍ତୁ ଜାଣିବା ସୁଧୀରଙ୍କ ଇଚ୍ଛାମୃତ୍ୟୁ ଦାବି ପଛର ପୂରା କାହାଣୀ ।...
- କଣ ଥିଲା ପୂରା ମାମଲା
ସୁଧୀର ଦାସ । 2008 ମସିହାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ରେ ନିଯୁକ୍ତି ପାଇଥିଲେ । ଚାକିରିର ଦୁଇ ବର୍ଷ ପରେ 2010 ମସିହାରେ ତାଙ୍କ ବିରୋଧରେ ଟଙ୍କା ଠକେଇ ଅଭିଯୋଗ ଆସିଥିଲା । ଯେଉଁଥିରେ ସେ ଗିରଫ ହୋଇ ଜେଲ ଯାଇଥିଲେ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭାବେ ମଧ୍ୟ ତାଙ୍କୁ ଚାକିରି ହରାଇବାକୁ ପଡିଥିଲା । 2018ରେ ବଲାଙ୍ଗୀର ‘ଜେଏମଏଫସି’ ଅଦାଲତ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ । ପରେ ସେ ‘ସିଆରପିଏଫ’ରେ ପୁନଃନିଯୁକ୍ତି ଆବେଦନ ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶା ହାଇକୋର୍ଟ ୨୦୨୪ ନଭେମ୍ବର ୨୦ ତାରିଖରେ ରାୟ ଶୁଣାଇଥିଲେ । ହାଇକୋର୍ଟ ଏହି ରାୟ ଉପରେ ପୁନର୍ବିଚାର ସହିତ ତାଙ୍କୁ ଚକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ ନଦେବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଦୀର୍ଘ ୯୦ ଦିନ ବିତିଥିଲେ ସୁଦ୍ଧା ‘ସିଆରପିଏଫ’ ପକ୍ଷରୁ ଏହାକ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ଆଣିଛନ୍ତି ସୁଧୀର ।
- ୧୪ ବର୍ଷର ଆଇନଗତ ଲଢ଼େଇ:
ଦୀର୍ଘ 14 ବର୍ଷର ଆଇନଗତ ଲଢ଼େଇ ଲଢିବା ପରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ । ସୁଧୀରଙ୍କ ଅଭିଯୋଗ, ଏବେ ‘ସିଆରପିଏଫ’ ତାଙ୍କୁ ପୁନର୍ବାର ଚାକିରି ଦେଉନାହିଁ । ଫଳରେ ତାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ଦେବାକୁ ରାଷ୍ଟ୍ରପତିଙ୍କ ନିକଟରେ ସେ ଆବେଦନ କରିଛନ୍ତି । ତାଳପାଳି ପଡାର ନିବାସୀ ସୁଧୀର ଦାସ ରାଷ୍ଟ୍ରପତିଙ୍କୁ ଏହି ଚିଠି ଲେଖି ଇଚ୍ଛାମୃତ୍ୟୁ ଅନୁମତି ମାଗିବା ସହ କୌଣସି ସୁଫଳ ନମିଳିଲେ ମାର୍ଚ୍ଚ 2 ତାରିଖରେ ରାଜ୍ୟପାଳଙ୍କ ବାସଭବନ ସମ୍ମୁଖରେ ସପରିବାର ଆତ୍ମହୁତି ଦେବାକୁ ମଧ୍ୟ ଚେତାବନୀ ମଧ୍ୟ ଦେଇଛନ୍ତି ।
- ସର୍ବସ୍ବାନ୍ତ ହୋଇସାରିଲିଣି, ବାଧ୍ୟ ହୋଇ ଆତ୍ମାହୁତି କରିବି: ସୁଧୀର
ସୁଧୀର କହିଛନ୍ତି,‘‘ ମୋ ବିରୋଧରେ ସେତେବେଳେ ମିଥ୍ୟା ମାମଲା କରାଯାଇଥିଲା । କାର୍ଯ୍ୟାନୁଷ୍ଠାନର ଶିକାର ହୋଇ ଦୀର୍ଘ 14 ବର୍ଷ ଆଇନଗତ ଲଢେଇ ଲଢି ସର୍ବସ୍ୱାନ୍ତ ହୋଇ ସାରିଲିଣି । ମାମଲା ଲଢିବାକୁ ଘରର ସବୁ କିଛି ସାରି ସାରିଲିଣି । ଏବେ କେମିତି ବଞ୍ଚିବି । ଏବେ ଆଉ କିଛି ଉପାୟ ନାହିଁ । ରାଷ୍ଟ୍ରପତିଙ୍କୁ ଇଚ୍ଛାଧୀନ ମୃତ୍ୟୁ ପାଇଁ ଅନୁମତି ମାଗିଛି । ମାର୍ଚ୍ଚ 2 ତାରିଖରେ ମୁଁ ମୋର ପରିବାର ସହ ଓଡିଶା ରାଜଭବନ ସମ୍ମୁଖରେ ଆତ୍ମଦାହ କରିବି ।’’