ଓଡିଶା

odisha

ETV Bharat / state

ସୀମାନ୍ତ କୋଟିଆରେ ଗଡିଲା କଳାଠାକୁରଙ୍କ ରଥ, ଆନ୍ଧ୍ର-ଓଡିଶା ଭକ୍ତ ସାମିଲ - RATH YATRA IN KOTIA

Rath Yatra In Kotia: ବିବାଦୀୟ କୋଟିଆରେ ବେଶ ଧୁମଧାମରେ ପାଳନ ହୋଇଛି ଘୋଷଯାତ୍ରା । ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶର ଲୋକେ ରଥଯାତ୍ରାରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 8, 2024, 10:35 PM IST

Rath Yatra In Kotia
Rath Yatra In Kotia (ETV Bharat Odisha)

କୋରାପୁଟ: ଗତକାଲି ଶ୍ରୀକ୍ଷେତ୍ର ସମେତ ବହୁ ସ୍ଥାନରେ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଆଜି କୋରାପୁଟ ଜିଲ୍ଲାରେ ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା କୋଟିଆ ଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମେଘାଛନ୍ନ ଆକାଶ ତଳେ କୋଟିଆ ଅଞ୍ଚଳର ବହୁ ଆଦିବାସୀ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା କୋଟିଆ ପହଞ୍ଚି ଏହି ଯାତ୍ରାରେ ଯୋଗ ଦେଇଥିଲେ । ଆଜି ସକାଳୁ ଭୀଷଣ ବର୍ଷା ହୋଇଥିଲେ ମଧ୍ୟ ଗ୍ରାମବାସୀ ଓ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଉତ୍ସାହକୁ ପ୍ରଭାବିତ କରିପାରିନଥିଲା ।

Rath Yatra In Kotia (ETV Bharat Odisha)

କୋଟିଆ ପଞ୍ଚାୟତରେ ଉଭୟ ରାଜ୍ୟର ସୀମା ନିର୍ଦ୍ଧାରଣକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ଉଚ୍ଚତମ ନ୍ୟାୟାଳୟରେ ଲଢୁଥିବା ବେଳେ ଜଗନ୍ନାଥଙ୍କ ପ୍ରେମରେ ପଡି ସମଗ୍ର ଅଞ୍ଚଳବାସୀ ଆନନ୍ଦ ଉଲ୍ଲାସର ସହିତ ଏହି ଯାତ୍ରାରେ ଯୋଗ ଦେଇଥିଲେ । ଦୀର୍ଘ କୋଡିଏ ବର୍ଷ ପୂର୍ବେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ତତ୍କାଳୀନ ଜିଲ୍ଲା ପ୍ରଶାସକଙ୍କ ସକ୍ରିୟ ସହଯୋଗରେ ସୀମାନ୍ତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ କୋଟିଆ ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ସହ ରଥଯାତ୍ରା ଆରମ୍ଭ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ...ଦାରୁବ୍ରହ୍ମଙ୍କ ଭକ୍ତିରେ ତଲ୍ଲୀନ ରାଜ୍ୟବାସୀ, ସବୁଠି ଗଡ଼ିଲା ବିଶ୍ବ ନିୟନ୍ତାଙ୍କ ରଥ - Ratha Yatra 2024

ବର୍ଷ ପରେ ବର୍ଷ ଏହି ଯାତ୍ରା ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଗ୍ରାମରୁ ଅନେକ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିଛି । ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାର ପ୍ରୟୋଗଶାଳା ଭାବେ ପରିଚିତ ଥିବା ଏହି ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ଆଦର ବୃଦ୍ଧି କରିବାରେ ଏହି ଯାତ୍ରା ସହାୟକ ହୋଇପାରିଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ଏବଂ କୋରାପୁଟ ଓ ପଟ୍ଟାଙ୍ଗିର ବହୁ ନେତୃସ୍ଥାନୀୟ ବ୍ୟକ୍ତି, ପଟ୍ଟାଙ୍ଗି ପଞ୍ଚାୟତ ସମିତିର କର୍ମକର୍ତ୍ତା, ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସହ ଯୋଗ ଦେଇ ଯାତ୍ରାକୁ ସଫଳ କରିଥିଲେ ।

ଆଜିର ରଥଯାତ୍ରାରେ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶର ଲୋକେ ସାମିଲ ହୋଇଥିବା ବେଳେ ଉଭୟ ରାଜ୍ୟରେ ଓ କେନ୍ଦ୍ରରେ ପରସ୍ପର ସହ ଉତ୍ତମ ସାମଞ୍ଜସ୍ୟ ରଖିଥିବା ରାଜନୈତିକ ଦଳ ଗୁଡ଼ିକର ଶାସନ ଥିବା ଯୋଗୁଁ ବର୍ଷ ବର୍ଷ ଧରି ସମସ୍ୟାର ଘେରରେ ଥିବା କୋଟିଆ କେଉଁ ଭଳିଆ ସମାଧାନ ପାଇବ ତାକୁ ନେଇ ସ୍ଥାନୀୟ ବାସିନ୍ଦା ଆଶା ଓ ଆଶଙ୍କାରେ ରହିଛନ୍ତି । କୋରାପୁଟ ସାଂସଦ ତଥା ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ କୋଟିଆ ସମସ୍ୟାକୁ ସଂସଦ ଓ ବିଧାନସଭାରେ ଉପସ୍ଥାପନା କରିବାର ପ୍ରତିଶ୍ରୁତି ଦେଇଥିବା ବେଳେ ସେମାନେ ମଧ୍ୟ କୋଟିଆ ସମସ୍ୟାର ସମାଧାନ ଦିଗରେ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details