କେନ୍ଦ୍ରାପଡା: ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସାମାଜିକ ଗଣମାଧ୍ୟମ ଫେସବୁକ ସାଇଡ଼କୁ ହ୍ୟାକ କରିଛନ୍ତି ଦୁର୍ବୃତ୍ତ। ହ୍ୟାକ କରି ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରୁଛନ୍ତି । ଏନେଇ ଥାନା ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଳି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା କୃଷ୍ଣଚନ୍ଦ୍ର ପଣ୍ଡା । ଫେସବୁକ ଷ୍ଟୋରିରେ ଗତ ଶୁକ୍ରବାର ସନ୍ଧ୍ୟାରୁ ଲଗାତାର ଅଶ୍ଳୀଳ ଭିଡିଓ ଓ ଫଟୋ ପ୍ରଦର୍ଶିତ ହେଉଥିବା ବେଳେ ଏହାକୁ ନେଇ ସାଧାରଣରେ କୃଷ୍ଣଚନ୍ଦ୍ରଙ୍କ ସମ୍ମାନ ହାନି ହେଉଥିବା ଅଭିଯୋଗ ହୋଇଛି।
ସୋସିଆଲ ମିଡିଆରେ ଅଶ୍ଲିଳ ଫଟୋ ଓ ଭିଡିଓ ପୋଷ୍ଟ ଉପରେ ରୋକ ଲଗାଇବା ପାଇଁ କୃଷ୍ଣଚନ୍ଦ୍ର ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଥିସହ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ନିଜେ କୃଷ୍ଣଚନ୍ଦ୍ର ଆଲୋଚନା କରି ଫେସବୁକ ଆଇଡି ହ୍ୟାକ କରିଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ କହିଛନ୍ତି । ପ୍ରାର୍ଥୀଙ୍କ ସୋସିଆଲ ମିଡିଆ ସାଇଡ଼ ହ୍ୟାକ ହେବା ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଇଛି। କୃଷ୍ଣଚନ୍ଦ୍ର ତାଙ୍କର ନିର୍ବାଚନୀ ପ୍ରଚାର ଠାରୁ ଆରମ୍ଭ କରି ମିଶ୍ରଣ ପର୍ବକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଅନ୍ୟପଟେ ଏହି ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିୟା ପ୍ରତିଶ୍ରୁତି ଦେବା ପରେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି କୃଷ୍ଣଚନ୍ଦ୍ର ଓ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ।