ଅନୁଗୋଳ: ବାଦ ବିବାଦ ଓ ହୋ ହାଲ୍ଲା ଭିତରେ ସରିଲା ଅନୁଗୋଳ ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣି ପାଇଁ ପରିବେଶ ଜନିତ ଜଣଶୁଣାଣି । ଖଣି ଖନନ ସପକ୍ଷରେ ଥିବା ଲୋକେ ଜନଶୁଣାଣି ଶାନ୍ତିପୂର୍ଣ୍ଣ ଭାବରେ ସରିଥିବା କହୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଜନଶୁଣାଣିରେ ତାଙ୍କୁ ପକ୍ଷ ରଖିବାକୁ ଦିଆଯାଇ ନାହିଁ ।
କୋଇଲା ଖଣି ଖନନ ଜନଶୁଣାଣି:
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଖନନ ହେବାକୁ ଯାଉଛି ବୈତରଣୀ ୱେଷ୍ଟ ଓପନ କାଷ୍ଟ କୋଇଲା ଖଣି । ଏହି ଖଣି ଖନନ ପାଇଁ ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନକୁ ମଞ୍ଜୁରୀ ମିଳିଛି । ବାର୍ଷିକ ପ୍ରାୟ ୧୫ ନିୟୁତ ଟନ କୋଇଲା ଉତ୍ପାଦନ ପାଇଁ ଏହି ସଂସ୍ଥାକୁ ମଞ୍ଜୁରୀ ମିଳିଛି । ସେଥିପାଇଁ ଆଜି ଛେଣ୍ଡିପଦା ଠାରେ ପରିବେଶ ଜନିତ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା । ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଏବଂ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଏହି ଜନଶୁଣାଣିକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ଅଞ୍ଚଳର ଶତାଧିକ ବାସିନ୍ଦା ଉପସ୍ଥିତ ଥିଲେ ।
ମତ ରଖିଲେ ମାତ୍ର ୨୧ ଜଣ:
ଅନ୍ୟ ପକ୍ଷରେ ଖଣିକୁ ବିରୋଧ କରୁ ଥିବା ଆଞ୍ଚଳିକ ସୁରକ୍ଷା ମଞ୍ଚ, ଛେଣ୍ଡିପଦାର ଶତାଧିକ ସଦସ୍ୟ ବିକ୍ଷୋଭ ଶୋଭାଯାତ୍ରା କରି କାର୍ଯ୍ୟକ୍ରମ ହେଉଥିବା ସ୍ଥାନକୁ ଆସିଥିଲେ । ସେମାନେ ଖଣିକୁ ବିରୋଧ କରି ନାରାବାଜି ଦେଇଥିଲେ । ଏଭଳି କିଛି ସମୟ ହେବା ପରେ ଶେଷରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଖଣିକୁ ବିରୋଧ କରୁଥିବା ଲୋକେ ଏବଂ ସମର୍ଥନ କରୁଥିବା ଲୋକଙ୍କ ମଧ୍ୟରେ ପ୍ରଥମେ ବାଦ ବିବାଦ ଦେଖା ଦେଇଥିଲା । ଶୁଣାଣି ବେଳେ ପ୍ରବଳ ହୋ ହଲା ହୋଇଥିଲା । ଖଣି ଖନନ ପାଇଁ ସପକ୍ଷବାଦୀ ଓ ବିପକ୍ଷବାଦୀ ମାତ୍ର ୨୧ ଜଣ ସେମାନଙ୍କ ମତ ରଖିଥିଲା । ଖଣି ବିପକ୍ଷବାଦୀ କହିବା ମାତ୍ରେ ହୋ ହଲା ଆରମ୍ଭ ହୋଇଥିଲା । ତେଣୁ ଖୁବ କମ ସମୟ ମଧ୍ୟରେ ଜନ ଶୁଣାଣି ସମାପ୍ତ କରି ଦିଆ ଯାଇଥିଲା । ତେବେ ଖଣିକୁ ବିରୋଧ କରୁଥିବା ଲୋକଙ୍କ କହିବା ଅନୁସାରେ, ଜନଶୁଣାଣିରେ ସେମାନଙ୍କୁ କଥା ଶୁଣିବାକୁ ଦିଆଗଲା ନାହିଁ । ଏହା ଜନ ଶୁଣାଣି ନଥିଲା ଏକ ପ୍ରହସନ ଥିଲା । ଆଗାମୀ ଦିନରେ ଲୋକ ଏହାର ଜବାବ ଦେବେ ।
ଜନଶୁଣାଣି ଏକ ପ୍ରହସନ ଥିଲା:
ଏନେଇ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା କହିଛନ୍ତି, "ଆଜିର ଜନଶୁଣାଣି ଛେଣ୍ଡିପଦା ବିଧାୟକଙ୍କ ଏକ ପ୍ରାୟୋଜିl କାମ ଥିଲା । ସେ ଯେଉଁ ଲୋକମାନଙ୍କୁ ଶିଖେଇ ପଠାଇଥିଲେ କେବଳ ତାଙ୍କୁ କହିବା ପାଇଁ ସୁଯୋଗ ଦିଆଯାଉଥିଲା । ଆମେ ଯେତେବେଳେ ପରିବେଶ ସଂକ୍ରାନ୍ତରେ କିଛି ଆଲୋଚନା କରିବା ପାଇଁ ଚେଷ୍ଟା କରିଥିଲୁ, ସେତେବେଳେ ବିଧାୟକଙ୍କ ଲୋକମାନେ ବିଶୃଙ୍ଖଳା କରିବା ସହ ଧମକ ଚମକ୍ ଦେଇ ଆମ କଥାକୁ ଶୁଣିବାକୁ ଦିଆଗଲେ ନାହିଁ । ଆମକୁ କହିବାକୁ ସମୟ ଦିଆଗଲା ନାହିଁ । ଏହା ଏକ ଜନଶୁଣାଣି ନୁହେଁ ପ୍ରହସନ ଥିଲା । କିଭଳି ଜନ ଶୁଣାଣିକୁ ସଫଳ କରିବେ କମ୍ପାନୀ, ପ୍ରଶାସନ, ସ୍ଥାନୀୟ ବିଧାୟକ ମିଳିତ ଭାବରେ ପ୍ରାୟୋଜିତ କରିଛନ୍ତି । ଏହା ଜନ ଶୁଣାଣି ନଥିଲା ଏକ ପ୍ରହସନ ଥିଲା ।"
ଆମକୁ କହିବାର ସୁଯୋଗ ମିଳିଲାନି:
ସେହିପରି ଖଣି ଖନନକୁ ବିରୋଧ କରିଥିବା ମଞ୍ଚର ଜଣେ ସଦସ୍ୟ ବିଦ୍ୟାଧର ସାହୁ କହିଛନ୍ତି,"GMDC କମ୍ପାନୀର ଦେଖା ନାହିଁ । ଏଠାକେ ଲୋକଙ୍କୁ କିଛି କହିବାକୁ ଦିଆଗଲା ନାହିଁ । ପୁରୁଷ ମହିଳା ମିଶି ପ୍ରାୟ ୨ ହଜାର ଲୋକ ଜନଶୁଣାଣିକୁ ଆସିଥିଲେ । କିନ୍ତୁ ଆମକୁ କହିବାର କିଛି ସୁଯୋଗ ମିଳିଲାନି । ତେଣୁ ଆମେ ଏ ଜନଶୁଣାଣିକୁ ବିରୋଧ କରୁଛୁ । ଆମ ଲୋକମାନଙ୍କର ଦାବି ସେମାନେ ତାଙ୍କ ଭିଟାମାଟି ଛାଡ଼ିବେ ନାହିଁ । ଜଙ୍ଗଲ ଜମି ଉପରେ ଲୋକମାନଙ୍କର ଅଧିକାର ଅଛି । ଆଗାମୀ ଦିନରେ ଲୋକ ଏହାର ଜବାବ ଦେବେ ।"
କୌଣସି ଅପ୍ରିତିକର ପରିସ୍ଥିତି ହୋଇନାହିଁ:
ସେପଟେ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା କହିଛନ୍ତି, "ଲୋକଙ୍କର ଯାହା ସ୍ବର ହେଲା ଏଠାରେ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଛି । ପୂର୍ବତନ ବିଧାୟକ ଓ କଂଗ୍ରେସ ଦଳର ନେତା କିଛି ଲୋକଙ୍କୁ ଭଡ଼ାରେ ଆଣି ବିରୋଧ କରୁଥିଲେ । ପରିବେଶ ଜନଶୁଣାଣି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି । କୌଣସି ଅପ୍ରିତିକର ପରିସ୍ଥିତି ହୋଇନାହିଁ । ମୁଁ ଏଠାର ବିଧାୟକ ଭାବରେ ପ୍ରତିଶୃତି ଦେଉଛି ଯେ, ଏଠାର ଲୋକମାନଙ୍କୁ ନିଯୁକ୍ତି, ଥଇଥାନ, ପ୍ୟାକେଜ ଦିଆଯିବ । ଯାହା ଭାରତ ବର୍ଷରେ ଏକ ଅନନ୍ୟ ହୋଇ ରହିବ ।"