ଓଡିଶା

odisha

ETV Bharat / state

ଅସହ୍ୟ ଖରାରେ ଅଙ୍ଗନବାଡି ଖୋଲା, ତାତିରେ ଡହଳ ବିକଳ ପିଲାଏ - ANGANWADI OPEN

Anganwadi Students Facing Problems: ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି, କିନ୍ତ ଖୋଲା ରହିଛି ଅଙ୍ଗନବାଡି । ଘରକୁ ଫେରିବା ବେଳେ ପିଲାଙ୍କୁ କଲବଲ କରୁଛୁ ଡହଡହ ତାତି । ଅଧିକ ପଢନ୍ତୁ

ETV BHARAT ODISHA
ETV BHARAT ODISHA (ETV BHARAT ODISHA)

By ETV Bharat Odisha Team

Published : May 2, 2024, 3:49 PM IST

ANGANWADI CENTRE (ETV BHARAT ODISHA)

ଭୁବନେଶ୍ୱର: କଲବଲ କରୁଛି ଅସହ୍ୟ ତାତି । ପ୍ରତିଦିନ 40 ଡିଗ୍ରୀ ପାର କରୁଛି ତାପମାତ୍ରା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଛୁଟି ଘୋଷଣା କରିଥିବା ବେଳେ ଅଙ୍ଗନବାଡି କିନ୍ତୁ ଖୋଲା ରହିଛି । ଫଳରେ ଛୋଟ ଛୋଟ ପିଲାମାନେ ସକାଳୁ ସକାଳୁ ପାଠ ପଢିବାକୁ ଅଙ୍ଗନବାଡି ଯାଉଛନ୍ତି ଓ ଡହଡହ ଖରାରେ ଘରୁ ଫେରୁଛନ୍ତି । ଭୁବନେଶ୍ୱରରେ ଥିବା ସମସ୍ତ ଅଙ୍ଗନବାଡି ଏବେ ଖୋଲା ରହିଛି । କର୍ମୀଙ୍କ ପିଲାମାନେ ମଧ୍ୟ ପଢିବାକୁ ଆସୁଛନ୍ତି ।

୩ରୁ ୪ ଘଣ୍ଟା ଧରି ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ରହୁଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ଗରମରୁ ମୁକ୍ତି ପାଇଁ ଫ୍ୟାନ ଲାଗିଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ । ଏମିତି ମଧ୍ୟ କିଛି ଅଙ୍ଗନବାଡି କେନ୍ଦ୍ର ରହିଛି ଯାହା ଭଡାରେ ଚାଲୁଛି, ଅନେକ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ମଧ୍ୟ ନାହିଁ। ଏମିତିକି ଆଜବେଷ୍ଟ ଘରେ ପଢା ଚାଲିଛି । ଅଙ୍ଗନବାଡି କେନ୍ଦ୍ରରେ ପାଣିର ବ୍ୟବସ୍ଥା ରହିଥିଲେ ମଧ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଅଧିକ ଖରାପ କରିଦେଉଛି । ଅଭିଭାବକମାନେ ଅଙ୍ଗନବାଡି କେନ୍ଦ୍ରରେ ସମସ୍ୟାକୁ ନେଇ ଅଭିଯୋଗ କରି ଆସୁଛନ୍ତି । ହେଲେ ସ୍କୁଲ ଛୁଟି ହୋଇଥିବା ବେଳେ ଅଙ୍ଗନବାଡି ଛୁଟି ଆବଶ୍ୟକ ବୋଲି କହିଛନ୍ତି ଅଭିଭାବକ ।

ଏହା ମଧ୍ୟ ପଢନ୍ତୁ-ଖରା ଛୁଟି ଘୋଷଣା କଲେ ସରକାର, ଜାଣନ୍ତୁ କେବେଠୁ ? - Summer Vacation In Odisha

ଅଭିଭାବକ ମାନେ ଆହୁରି କହିଛନ୍ତି ଯେ, ସକାଳ ସମୟରେ ଅଧିକ ଗୁଳୁଗୁଳି ହେବା ସହ ପିଲାମାନେ ଠିକ ସମୟରେ ସକାଳୁ ଉଠି ପାରୁନାହାନ୍ତି । ଯାହା ଫଳରେ ସବୁଦିନ ଅଙ୍ଗନବାଡି ଆସିବା ସମ୍ଭବପର ନୁହେଁ । ତେଣୁ ବର୍ତ୍ତମାନ ସମୟରେ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିବା ଆବଶ୍ୟକ । ଏପଟେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚଳିତ ବର୍ଷ ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ହେଲେ ଅଙ୍ଗନବାଡି ଆଜି ବି ଖରାରେ ପିଲା ଯାଉଛନ୍ତି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଅନେକ ସହରକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ସ୍କୁଲ ଛୁଟି ହେଉଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏପଟେ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଲଲିତା ବେହେରା କହିଛନ୍ତି ଯେ, ଖରାରେ ପିଲାମାନେ ଆସୁଛନ୍ତି । ସେମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । କିନ୍ତୁ ଅନେକ ସମୟରେ ଯଦି ପିଲାମାନଙ୍କର କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦିଏ ତେବେ କିଏ ଦାୟୀ ରହିବ । ସତ୍ୟନଗରରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ୪ଟି ସେଣ୍ଟର ରହିଛି । ପାଖାପାଖି ଗୋଟିଏ ସେଣ୍ଟରରେ ୨୦ରୁ ୩୦ ପିଲା ରହିଛନ୍ତି । ଖରା ପାଇଁ ଅନେକ ପିଲା ଆସୁନାହାନ୍ତି । ଏତେ ଖରାରେ ପିଲାଙ୍କ ପାଇଁ ଛୁଟି କରିବା ଆବଶ୍ୟକ । ଯାହା ବି ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଆସୁଛି ତାହା ଆମେ ଘରେ ପହଞ୍ଚାଇବା ଦାୟିତ୍ବ ନେବୁ ।

ସୂଚନା ଅନୁଯାୟୀ, ଅଙ୍ଗନବାଡି କେନ୍ଦ୍ରରେ ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ଯଥେଷ୍ଟ ପରିମାଣରେ ଓଆରଏସ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଫ୍ୟାନର ବ୍ୟବସ୍ଥା ନାହିଁ । ତେଣୁ ଚିନ୍ତାରେ ପଡ଼ିଛନ୍ତି ଅଙ୍ଗନବାଡି କର୍ମୀ । ସ୍କୁଲ ପାଇଁ ଗୋଟିଏ ନିୟମ କରାଯାଉଥିବା ବେଳେ ଅଙ୍ଗନବାଡି ପାଇଁ ଅଲଗା ଏକ ନିୟମ କାହିଁକି ? ପିଲାଙ୍କର ଯଦି କୌଣସି କ୍ଷତି ହୁଏ ତେବେ ଏଥିପାଇଁ ଦାୟୀ କିଏ ରହିବା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details