ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେଅସହଯୋଗ ଆନ୍ଦୋଳନ କରିବେ ଆୟୁଷ ଡାକ୍ତର । 19 ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆସନ୍ତା 20 ତାରିଖରୁ କାର୍ଯ୍ୟରେ ଅସହଯୋଗ କରିବା ନେଇ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ସାମ୍ୱାଦିକ ସମ୍ମିଳନୀ କରି ଆୟୁଷ ଡାକ୍ତର ସଂଘର ସାଧାରଣ ସମ୍ପାଦକ ପ୍ରଭାସ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।
ଆୟୁଷ ଡାକ୍ତର ସଂଘର ସାଧାରଣ ସମ୍ପାଦକଙ୍କ କହିବାନୁଯାୟୀ, ସଂଘ ରାଜ୍ୟରେ ୧୬ ବର୍ଷରୁ ଚୁକ୍ତିଭିତ୍ତିକ ଭାବରେ ସିଏଚ୍ସି/ପିଏଚ୍ସିରେ କାର୍ଯ୍ୟ କରୁଛି । ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରିବା ପାଇଁ ବିଭିନ୍ନ ସମୟରେ ଦାବି କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳିଛି । ହେଲେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିୟମିତ କରାଗଲା ନାହିଁ । ତେଣୁ ଏନେଇ ଆୟୁଷ ଡାକ୍ତର ସଂଘ ଆସନ୍ତା ମାର୍ଚ୍ଚ ୨୦ ତାରିଖ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ କରାଯିବ ।
ସଂଘ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ମାର୍ଚ୍ଚ ୧୫ ତାରିଖରେ ହୋଇଥିବା ଶେଷ କ୍ୟାବିନେଟରେ ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରାଯିବ ବୋଲି ଘୋଷଣା କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏବେସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଏହାକୁ ନିନ୍ଦା କରାଯାଉଛି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ ରାଜ୍ୟର ସମସ୍ତ ଆୟୁଷ ଡାକ୍ତର ଆନ୍ଦୋଳନାତ୍ମକପନ୍ଥା ଅବଲମ୍ବନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ମାର୍ଚ୍ଚ ମାସ ୨୦ ତାରିଖଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋଗୀ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ କାର୍ଯ୍ୟରେ ଅସହଯୋଗ କରାଯିବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।