ଭୁବନେଶ୍ବର: ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ଏଣିକି ହେଲା ସହଜ । ଭାଇଜାଗ, ଚେନ୍ନାଇ, ବିଶାଖାପାଟଣା ଓ କୋଲକାତା ଉପରେ କରିବାକୁ ପଡ଼ିବନି ନିର୍ଭର । ଭୁବନେଶ୍ବରରୁ ସିଧାସଳଖ ହେବ ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଆଜି ଏୟାର କାର୍ଗୋ ବା ଅନ୍ତରାଷ୍ଟ୍ରୀୟ ଆମଦାନୀ-ରପ୍ତାନୀ ଅପରେସନର ଶୁଭାରମ୍ଭ ହୋଇଛି । ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାକୁ ଉଦଘାଟନ କରିଛନ୍ତି ।
ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ରାଜ୍ୟର ବାଣିଜ୍ୟ କ୍ଷେତ୍ରରେ ଆଜି ଏକ ସ୍ମରଣୀୟ ମୁହୂର୍ତ୍ତ । ରାଜ୍ୟର ରପ୍ତାନୀକାରୀ ଓ ଆମଦାନୀକାରୀ ସଂସ୍ଥାର ଦୂର ହେଲା ସମସ୍ୟା । ଦୀର୍ଘଦିନର ଅସୁବିଧାରୁ ମିଳିଲା ମୁକ୍ତି । ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ପାଇଁ ଭାଇଜାଗ, ଚେନ୍ନାଇ, ବିଶାଖାପାଟଣା ଓ କୋଲକାତା ଏୟାରପୋର୍ଟ ଉପରେ ଆଉ ନିର୍ଭର କରିବାକୁ ପଡିବ ନାହିଁ । ବାଣିଜ୍ୟିକ ଫି ସହ କୌଣସି କାରଣବଶତଃ ଦିନ ଦିନ ଧରି ମାଲ ପରିବହନରେ ହେବନି ସମସ୍ୟା । ଭୁବନେଶ୍ବର ଏୟାରପୋର୍ଟରୁ ଏବେ ସିଧାସଳଖ ରପ୍ତାନୀ-ଆମଦାନୀରେ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କୌଣସି କାରଣବଶତଃ ବିଳମ୍ବ ହୁଏ ତେବେ ଖୁବ କମ ଦିନ ମଧ୍ୟରେ ଏହାର ସମାଧାନ ସମ୍ଭବ ହୋଇପାରିବ ।
ଅଧିକ ପଢନ୍ତୁ- ଜୟପୁରକୁ ଉଡିବ ବିମାନ: ଡିଜିସିଏର ଅନୁମତି ପରେ ସେବା ପାଇବେ ଯାତ୍ରୀ
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ରପ୍ତାନୀ ଉତ୍ପାଦର ଯଥେଷ୍ଟ ସମ୍ଭାବନା ରହିଛି । କାଜୁ, ଧାତବ, ପଦାର୍ଥ, ହସ୍ତତନ୍ତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, ଉଦ୍ୟାନ କୃଷିଜାତ ଦ୍ରବ୍ୟ, ସାମୁଦ୍ରିକ ଦ୍ରବ୍ୟ, ଫାର୍ମାସ୍ୟୁଟିକାଲ ପରି ବିଭିନ୍ନ ଦ୍ରବ୍ୟର ରପ୍ତାନୀର ମଧ୍ୟ ସୁବିଧା ହେବ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏହି ଅନ୍ତରାଷ୍ଟ୍ରୀୟ ରପ୍ତାନୀ-ଆମଦାନୀ ସେବା ଆରମ୍ଭ କରାଯାଇଛି । ସିଙ୍ଗାପୁର, ବ୍ୟାଙ୍କକ ଓ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ସଂଯୋଗ କରାଯାଇଛି । କେବଳ ଆଧୁନିକ ସମୟରେ ନୁହେଁ, ବହୁପୂର୍ବେ ଓଡ଼ିଶା ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିଆସିଛି । ଆମଦାନୀ-ରପ୍ତାନୀକୁ ବିଚାରକୁ ନିଆଗଲେ ପ୍ରତିବର୍ଷ ଓଡ଼ିଶା ୧୫ରୁ ୭୦ ହଜାର କୋଟି ଟଙ୍କାର ସମୁଦ୍ରଜାତ ଦ୍ରବ୍ୟ ଓ ହସ୍ତତନ୍ତ ରପ୍ତାନୀ କରୁଛି ।