ଓଡିଶା

odisha

ETV Bharat / state

ଏଥର ରଥଯାତ୍ରା ଭିଡ ଜଗିବ AI କ୍ୟାମେରା - PURI RATH YATRA 2025

ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ନେଇ ପୋଲିସର ପ୍ରସ୍ତୁତି ବୈଠକ । ଭିଡ ନିୟନ୍ତ୍ରଣ, ଟ୍ରାଫିକ, ପାର୍କିଂ ଉପରେ ସ୍ୱତନ୍ତ୍ର ନଜର

Rath Yatra 2025 preparations
Rath Yatra 2025 preparations (ETV Bharat Odisha)

By ETV Bharat Odisha Team

Published : Feb 17, 2025, 8:47 PM IST

ପୁରୀ:ଚଳିତ ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା କରିବ ଏଆଇ କ୍ୟାମେରା । ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ପୁରୀ ପୋଲିସ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଠାରେ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏନେଇ ଆଲୋଚନା କରାଯାଇଛି ।

ରଥଯାତ୍ରା ପ୍ରସ୍ତୁତି ବୈଠକ:

ଆସନ୍ତା ଜୁନ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ପୋଲିସ ଡ଼ିଜିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାରେ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଜନଗହଳି ନିୟନ୍ତ୍ରଣ, ପାର୍କିଂର ସୁବନ୍ଦୋବସ୍ତ ସହିତ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ଏହି ସ୍ବତନ୍ତ୍ର ବୈଠକରେ ପୋଲିସ ଡିଜି ସମୀକ୍ଷା କରିଥିଲେ ।

Rath Yatra 2025 preparations (ETV Bharat Odisha)

ରଥଯାତ୍ରାରେ ଭିଡ ଜଗିବ AI କ୍ୟାମେରା:

ଚଳିତବର୍ଷ ରଥଯାତ୍ରାର ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥା AI କ୍ୟାମେରା ମାଧ୍ୟମରେ ନଜର ରଖାଯିବ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଉତ୍ତରା ଛକଠାରୁ ପୁରୀ ପର୍ଯ୍ୟନ୍ତ AI କ୍ୟାମେରା ଲଗାଯିବ ।‌ ଏଥିସହିତ ବଡ଼ଦାଣ୍ଡ, ଶ୍ରୀମନ୍ଦିର, ବେଳାଭୂମି, ପୁରୀର ମୁଖ୍ୟ ପ୍ରବେଶ ପଥ ଗୁଡ଼ିକରେ ମଧ୍ୟ AI କ୍ୟାମେରା ଲଗାଯିବ । ଏହାକୁ ନେଇ ପୋଲିସ ବିଭାଗ ପକ୍ଷରୁ ସର୍ଭେ ଚାଲିଥିବା ବେଳେ ଖୁବ୍ ଶୀଘ୍ର କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ AI କ୍ୟାମେରା ଲଗାଯିବ ତା'ର ନିଷ୍ପତ୍ତି ନିଆଯିବ । AI କ୍ୟାମେରା ଦ୍ବାରା ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରି ହେବ ବୋଲି ପୋଲିସ ବିଭାଗ ଆଶା ରଖିଥିବା ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ।

ଦଳାଚକଟା ପରିସ୍ଥିତି ସୃଷ୍ଟି ନହେବା ଉପରେ ସ୍ୱତନ୍ତ୍ର ଧ୍ୟାନ:

ଗତ ୨୦୨୪ ରଥଯାତ୍ରାରେ ଡ୍ରୋନ ମାଧ୍ୟମରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହିତ ଟ୍ରାଫିକ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଥିଲା । ଏଥିରେ ପୋଲିସ ବିଭାଗ ସଫଳତା ହାସଲ କରିବା ପରେ ଚଳିତ ବର୍ଷ ଆଉ ପାଦେ ଆଗକୁ ଯାଇ ପୋଲିସ ବିଭାଗ ପକ୍ଷରୁ AI କ୍ୟାମେରା ଦ୍ବାରା ରଥଯାତ୍ରାକୁ ପରିଚାଳନା କରାଯିବ ।‌ ପୂର୍ବବର୍ଷର ହୋଇଥିବା ତ୍ରୁଟି ବିଚ୍ୟୁତିକୁ ସମୀକ୍ଷା କରାଯାଇ ଚଳିତ ବର୍ଷ ଯେଭଳି ତ୍ରୁଟି ଗୁଡ଼ିକର ପୁନରାବୃତ୍ତି ନହୁଏ ସେ ଦିଗରେ ମଧ୍ୟ ପୋଲିସ ବିଭାଗ ନଜର ରଖିବ । ୨୦୨୪ ରଥଯାତ୍ରାରେ ରଥଟଣା ବେଳେ ଭକ୍ତଙ୍କ ଭିଡ଼ ବେକାକୁ ହୋଇଯିବାରୁ ତାଳଧ୍ବଜ ଏବଂ ନନ୍ଦିଘୋଷ ରଥ ଟଣା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଣୁ ଚଳିତ ବର୍ଷ ଯେଭଳି ଦଳାଚକଟା ପରିସ୍ଥିତି ସୃଷ୍ଟି ନହୁଏ ସେ ଦିଗରେ ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

କଣ କହୁଛନ୍ତି ପୁରୀ ଏସପି:

ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି," ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ଆୟୋଜନ ହେବ ।"


ସେ ଆଉ ମଧ୍ୟ କହିଛନ୍ତି, "ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ଜୁନରେ ପଡୁଛି । ଏଥିପାଇଁ ପୁରୀ ପୋଲିସ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଆମ ଜିଲ୍ଲାରେ ଥିବା ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ନେଇ ବିଭିନ୍ନ କମିଟି ଗଠନ ହୋଇଛି । ପୋଲିସ୍ ପକ୍ଷରୁ ଯାହା କିଛି ପ୍ରସ୍ତୁତି ରହିଛି ତାହା ଆମ ଟିମ ତଦାରଖ କରୁଛନ୍ତି । ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ପାର୍କିଂ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ୟବସ୍ଥା କରାଯାଉଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ରଥଯାତ୍ରା ଭଲରେ ଅନୁଷ୍ଠିତ ହେବ ବୋଲି ଆମର ଆଶା ରହିଛି । ତେବେ ରଥଯାତ୍ରା ପରିଚାଳନା ପାଇଁ ଏଆଇ କ୍ୟାମେରା ଲଗାଯିବ । ଏନେଇ ପ୍ରସ୍ତୁତି ଚାଲିଛି । ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏହି ଏଆଇ କ୍ୟାମେରା ଦ୍ଵାରା ହେବ । ଏହା ଆମକୁ ବେଶ୍ ସହାୟକ ହେବ ବୋଲି ଆମେ ଆଶା ରଖୁଛୁ ।"

ଏହାମଧ୍ୟ ପଢନ୍ତୁ...

ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ କରିବ AI କ୍ୟାମେରା, ଖୁବଶୀଘ୍ର ଲଗାଯିବାକୁ ନିଷ୍ପତ୍ତି

ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ, ସବୁଠି ସ୍ବାଗତ


ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରତିବର୍ଷ ବ୍ୟାପକ ପଦକ୍ଷେପ ନିଆଯାଉଛି । ହେଲେ କେତେକ ସ୍ଥାନରେ ଦୁରଦୃଷ୍ଟି ଅଭାବରୁ ଅନେକ ଅଘଟଣ ମଧ୍ୟ ଘଟୁଛି । ତେଣୁ ଚଳିତବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସମ୍ପାଦନ କରିବା ପାଇଁ ଓଡ଼ିଶା ପୋଲିସ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ମୁତୟନ କରି ବିଭିନ୍ନ ତ୍ରୁଟି ବିଚ୍ୟୁତି‌ ଯେଭଳି ନହୁଏ ସେ ଦିଗରେ କଡ଼ା ନଜର ରଖାଯିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details